ଶୁକଶାରୀ ନିକଟରୁ ମିଳିଲା ଚାରିଭୂଜା ଦୁର୍ଗା ମୂର୍ତ୍ତି

ଭୁବନେଶ୍ୱର (ଓଡ଼ିଶା ଫାଷ୍ଟ ବ୍ୟୁରୋ): ପୁରୁଣା ଭୁବନେଶ୍ୱରସ୍ଥିତ ଶୁକଶାରୀ ମନ୍ଦିର ନିକଟରେ ଖନନ ବେଳେ ବୁଧବାର ଆଉ ଏକ ମୂର୍ତ୍ତି ଏଏସ୍ଆଇ ଦ୍ୱାରା ଠାବ କରାଯାଇଛି । ମନ୍ଦିରର ଗର୍ଭଗୃହରୁ ମିଳିଥିବା ମୂର୍ତ୍ତି ଚାରିଭୁଜା ମା’ ଦୁର୍ଗାଙ୍କ ମୂର୍ତ୍ତି ବୋଲି କୁହାଯାଉଛି । ପୂର୍ବରୁ ମନ୍ଦିର ପରିସରରୁ ଅର୍ଦ୍ଧନାରୀଶ୍ୱରଙ୍କ ମୂର୍ତ୍ତି ମଧ୍ୟ ମିଳିଛି । ତେବେ ପ୍ରାଥମିକ ସୂଚନାନୁସାରେଏହା ୬ଷ୍ଠ କିମ୍ବା ୭ମ ଶତାଦ୍ଦୀର ବୋଲି ଅନୁମାନ କରାଯାଉଛି । ଶୁକଶାରୀ ମନ୍ଦିର ଠାରୁ ବିନ୍ଦୁସାଗର ପର୍ଯ୍ୟନ୍ତ ଅନେକ ମନ୍ଦିର ତଥା କଳା ଭାସ୍କର୍ଯ୍ୟ ମାଟିତଳେ ପୋତି ହୋଇ ରହିଥିବା ଅନୁମାନ କରାଯାଉଛି । ତେଣୁ ଆଗାମୀ ଦିନରେ ଖନନ ପ୍ରକ୍ରିୟାରେ ଆହୁରି ଐତିହାସିକ ତଥ୍ୟ ସାମନାକୁ ଆସିବ ବୋଲି ଆଶା କରାଯାଉଛି ।
ସୂଚନା ଥାଉ କି, ଏକାମ୍ର ବିକାଶ ଯୋନା ଅଧୀନରେ ଏଏସ୍ଆଇ ପକ୍ଷରୁ ୨୦୨୦ ମସିହାରୁ ଶୁକଶାରୀ ମନ୍ଦିର ଆଖପାଖ ଅଞ୍ଚଳ ଖନନ କାର୍ଯ୍ୟ କରାଯାଉଛି । ଉକ୍ତ ଅଞ୍ଚଳରେ ଗଢ଼ିଉଠିଥିବା ଏକ ମହାବିଦ୍ୟାଳୟ ଉଚ୍ଛେଦ ପରେ ଖନନ କାର୍ଯ୍ୟ ଆରମ୍ଭ ହୋଇଥିଲା । ତେବେ ଖନନବେଳେ ମାଟି ତଳୁ ଅନେକ ପ୍ରାଚୀନ କଳାକିର୍ତ୍ତୀର ସନ୍ଧାନ ମିଳିଛି । ପୂର୍ବରୁ ଏଠାରେ ଖନନ କାର୍ଯ୍ୟ ଚାଲୁ ଥିବା ବେଳେ ନୂତନ ମନ୍ଦିର ତଥା ମନ୍ଦିରର ଭଗ୍ନାବଶେଷ ଉଦ୍ଧାର ହୋଇଥିଲା ।