ଟ୍ରକ ଧକ୍କା ରେ ଛାତ୍ରୀ ମୃତ, କ୍ଷତିପୂରଣ ଦାବିରେ ରାସ୍ତାରୋକ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ବୁଧବାର ସକାଳେ ଏକ ଟ୍ରକ୍‌ ଧକ୍କାରେ ଜଣେ କଲେଜ ଛାତ୍ରୀଙ୍କ ମୃତ୍ୟୁ ପରେ ବଲାଙ୍ଗୀର ସହରରେ ଉତ୍ତେଜନା ପ୍ରକାଶ ପାଇଛି । ଉତ୍ତ୍ୟକ୍ତ କଲେଜ ଛାତ୍ରିଛାତ୍ରଙ୍କ ସହ ସ୍ଥାନୀୟ ଲୋକେ ଓ ବିଭିନ୍ନ ସଙ୍ଗଠନର ପ୍ରତିନିଧି ୨୬ ନମ୍ବର ଜାତୀୟ ରାଜପଥ ଅବରୋଧ କରିଛନ୍ତି । ଉତ୍ତ୍ୟକ୍ତ ଲୋକେ ରାସ୍ତା ଉପରେ ଛାତ୍ରୀଙ୍କ ମୃତଦେହ ରଖି, ଟାୟାରଜାଳି ଆନ୍ଦୋଳନ କରିଥିଲେ । ମୃତ ଛାତ୍ରୀଙ୍କ ପରିବାରବର୍ଗଙ୍କୁ ତୁରନ୍ତ ୨୫ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ଆନ୍ଦୋଳନକାରୀମାନେ ଦାବି କରିଛନ୍ତି । ରାସ୍ତାରୋକ ଯୋଗୁ ବରଗଡ – ବୋରିଗୁମା ୨୬ନମ୍ବର ଜାତୀୟ ରାଜପଥର ଉଭୟ ପାର୍ଶ୍ଵରେ ଶତାଧିକ ଗାଡିମୋଟର ଅଟକି ରହିଛି ।

ସୂଚନା ଅନୁସାରେ, ବଲାଙ୍ଗୀର ସରକାରୀ କଲେଜରେ ଯୁକ୍ତ ୨ରେ ପାଠ ପଢ଼ୁଥିବା ନିକଟସ୍ଥ ରିନ୍‌ବଚନ ଗଁ। ର ମିଲି ନାଏକ (୧୭) ସକାଳ ୭ଟାରେ ସାଇକେଲରେ କଲେଜକୁ ଯାଉଥିଲେ । ଗାନ୍ଧୀନଗର-ସତ୍ୟନାରାୟଣପଡା ରାସ୍ତାରେ ଏକ ଟ୍ରକ୍‌ ମିଲିଙ୍କୁ ପଛପଟୁ ଧକ୍କା ଦେଇଥିଲା । ଫଳରେ ମିଲି ସାଇକେଲରୁ ଛିଟକି ପଡି ଗୁରୁତର ଆହତ ହୋଇଥିଲେ । ତାଙ୍କୁ ତୁରନ୍ତ ବଲାଙ୍ଗୀର ସରକାରୀ ଡାକ୍ତରଖାନାକୁ ନିଆଯାଇଥିଲା । ମାତ୍ର ସେଠାରେ ଡାକ୍ତର ତାଙ୍କର ମୃତ୍ୟୁ ହୋଇଯାଇଥିବା ସୂଚନା ଦେଇଥିଲେ । ଏହି ଖବର ପ୍ରଚାରିତ ହେବ ପରେ ଡାକ୍ତରଖାନା ପରିସରରେ ଶତାଧିକ ଲୋକ ଓ କଲେଜ ଛାତ୍ରଛାତ୍ରୀଙ୍କ ଭିଡ଼ ଜମିଥିଲା।

Leave a comment