ଜିତେନ୍ଦ୍ର ପଟ୍ଟନାୟକ-ଶୁଭେନ୍ଦୁ ମହାନ୍ତିଙ୍କ ଲିଖିତ ପୁସ୍ତକ ରାଜ୍ୟପାଳଙ୍କ ଦ୍ୱାରା ଉନ୍ମୋଚିତ
ଆନ୍ତର୍ଜାତୀକ ପର୍ଯ୍ୟଟକଙ୍କ ପାଇଁ ବେଶ ଉପଯୋଗୀ: ଗଣେଶୀ ଲାଲ
ଭୁବନେଶ୍ୱର,ଓଡ଼ିଶା ଫାଷ୍ଟ(ବ୍ୟୁରୋ):ବିଶିଷ୍ଟ ଗବେଷକ ଓ ସାମ୍ବାଦିକ ଜିତେନ୍ଦ୍ର ପଟ୍ଟନାୟକ ଏବଂ ବିଶିଷ୍ଟ ଶିକ୍ଷାବିତ ଓ ଉପସ୍ଥାପକ ଶୁଭେନ୍ଦୁ ମହାନ୍ତିଙ୍କ ଦ୍ୱାରା ଲିଖିତ ‘ଏକ୍ସଟିକ ଇଡେନ-ଦି ଲଭର୍ସ ଡେଷ୍ଟିନେସନ ଅଫ ଓଡ଼ିଶା’ (‘Exotic EDEN-THE LOVERS’ Destination of Odisha’) ପୁସ୍ତକକୁ ମହାମହିମ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଉନ୍ମୋଚନ କରିଛନ୍ତି । ଅନ୍ତର୍ଜାତୀୟ ସ୍ତରରେ ପର୍ଯ୍ୟଟକମାନଙ୍କ ପାଇଁ ଉକ୍ତ ପୁସ୍ତକ ବେଶ ଉପଯୋଗୀ ହେବ ଏବଂ ଓଡ଼ିଶାକୁ ଅଧିକ ସଂଖ୍ୟାରେ ପର୍ଯ୍ୟଟକ ଆକର୍ଷିତ ହେବେ ବୋଲି ରାଜ୍ୟପାଳ ଏହି ଅବସରରେ ମତବ୍ୟକ୍ତ କରିଛନ୍ତି ।
ଗୁରୁବାର ରାଜଭବନରେ ଲୋକାର୍ପିତ ହୋଇଥିବା ୧୪୦ ପୃଷ୍ଠା ସମ୍ବଳିତ ଉକ୍ତ ପର୍ଯ୍ୟଟନ ଆଧାରିତ ଇଂରାଜୀ ଭାଷାରେ ଲିଖିତ ପୁସ୍ତକଟି ସମ୍ପୂର୍ଣ୍ଣ ରଙ୍ଗୀନ । ଏଥିରେ ଓଡ଼ିଶାର ୩୦ଟି ‘ଗ୍ଲାମର ଟୁରିଷ୍ଟ ସ୍ପଟ’ର ସମ୍ପୂର୍ଣ୍ଣ ବିବରଣୀ ସହ ରଙ୍ଗୀନ ଫଟୋ ଦିଆଯାଇଛି । ଏଇ ଅନାଲୋଚିତ ‘ପ୍ରେମର ପ୍ରତୀକ’ ପର୍ଯ୍ୟଟନ ସ୍ଥଳୀଗୁଡ଼ିକ ମଧ୍ୟରେ- ହନିମୁନ ଆଇଲ୍ୟାଣ୍ଡ, ପୁଟୁଡ଼ି, କୋଇଲି ଘୋଘର, ଫୁର୍ଲିଝରଣ, ରାଜହଂସ, ଦେଓମାଳି, ଦାରିଙ୍ଗବାଡ଼ି, ସରାଫଗଡ଼-ବାଡ଼ୁନଝରିଆ,ତାଳସାରି, ପ୍ରଧାନପାଟ, ଦେବ୍ରୀଗଡ଼, ଚନ୍ଦ୍ରଭାଗା, ଭିତରକନିକା, ହୀରାକୁଦ ଓ ଗୋଲଡେନ ବିଚ ଅନ୍ୟତମ । ଏସବୁ ସ୍ଥାନଗୁଡିକୁ ଦେଶୀୟ ଓ ଆନ୍ତର୍ଜାତିକ ସ୍ତରର ପର୍ଯ୍ୟଟକମାନେ କେମିତି ଯିବେ, କେଉଁଠି ରହିବେ ଓ କଣ ଖାଦ୍ୟ ସେବନ କରିବେ ତାର ସମ୍ପୂର୍ଣ୍ଣ ତଥ୍ୟ ପୁସ୍ତକରେ ସନ୍ନିବିଷ୍ଟ ହୋଇଛି । ବିଶେଷକରି ଓଡ଼ିଶା ସରକାରଙ୍କ ଦ୍ୱାରା ପର୍ଯ୍ୟଟକଙ୍କ ପାଇଁ କରାଯାଇଥିବା ସୁରକ୍ଷା ବ୍ୟବସ୍ଥା ଏବଂ ରାଜ୍ୟ ପର୍ଯ୍ୟଟନ ବିଭାଗ ଦ୍ୱାରା ଜାରି ହୋଇଥିବା ଗୁରୁତ୍ୱପୂର୍ଣ୍ଣ ଟେଲିଫୋନ ନମ୍ବର ଓ ହେଲ୍ପଲାଇନ ଆଦି ବି ଦିଆଯାଇଛି ।
ଓଡ଼ିଶାକୁ ଆସୁଥିବା ଯେ’କୌଣସି ପର୍ଯ୍ୟଟକ ଏହି ପୁସ୍ତକ ଜରିଆରେ ନିଜ ପର୍ଯ୍ୟଟନ କାର୍ଯ୍ୟକ୍ରମ ସମ୍ପର୍କରେ ସମ୍ପୂର୍ଣ ଅବଗତ ହୋଇପାରିବେ । ଫ୍ଲିପକାର୍ଟ, ଆମଜନ ଭଳି ଅନଲାଇନ ସାଇଟରେ ବି ପୁସ୍ତକଟି ଉପଲବ୍ଧ । ଏଥିସହ ଅନ୍ତର୍ଜାତୀୟ ବିମାନଗୁଡିକରେ ଏହା ଯାତ୍ରୀଙ୍କ ପାଇଁ ଯୋଗାଇଦିଆ ଯିବାର ଯୋଜନା ରହିଛି । ତେଣୁ ମହାମହିମ ରାଜ୍ୟପାଳ ପ୍ରଫେସର ଲାଲ ଉଭୟ ଲେଖକଙ୍କୁ ଆଶୀର୍ବାଦ ଦେବା ସହ ଏଭଳି ସାରସତ୍ୱ ଗବେଷଣା କାର୍ଯ୍ୟ ଜାରି ରଖିବାକୁ ପରାମର୍ଶ ଦେଇଛନ୍ତି ।
ଉଲ୍ଲେଖନୀୟ ଯେ, ପୂର୍ବରୁ ରାଜ୍ୟପାଳ ପ୍ରଫେସର ଲାଲ ଗବେଷକ ତଥା ସାମ୍ବାଦିକ ଜିତେନ୍ଦ୍ର ପଟ୍ଟନାୟକଙ୍କ ଦ୍ୱାରା ଲିଖିତ ବିରଳ ଜନଜାତି ଡ଼ଙ୍ଗରିଆ କନ୍ଧଙ୍କ ଉପରେ ପର୍ଯ୍ୟବେସିତ ଓ ଗବେଷଣାତ୍ମକ ପୁସ୍ତକ ‘ଡଙ୍ଗରାନ କୁଆଁ’କୁ ରାଜଭବନରେ ଲୋକାର୍ପିତ କରିଥିଲାବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୋଁଣ୍ଡ ଜନଜାତିଙ୍କ ଉପରେ ପୁସ୍ତକ ‘ଡ଼ଙ୍ଗର ଉହାଡ଼େ ଜହ୍ନ’କୁ ଉନ୍ମୋଚନ କରିଥିଲେ । ତେବେ ଶିକ୍ଷାବିତ ଶୁଭେନ୍ଦୁ ମହାନ୍ତିଙ୍କ ଦ୍ୱାରା ଅନୁଦିତ ‘ଡଙ୍ଗରାନ କୁଆଁ’ର ଇଂରାଜୀ ସଂସ୍କରଣ ଖୁବଶୀଘ୍ର ଲୋକାର୍ପିତ ହେବ ବୋଲି ଜଣାପଡ଼ିଛି ।