କଂଗ୍ରେସର ନିର୍ବାଚନୀ ଇସ୍ତାହାର, ପ୍ରତି ଗରିବ ପରିବାରକୁ ମାସିକ ମିଳିବ ୩ ହଜାର ଟଙ୍କା
ଓଡ଼ିଶା ଫାଷ୍(ବ୍ୟୁରୋ): ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଆଜି ଭୁବେଶ୍ୱରରେ ୨୦୧୯ନିର୍ବାଚନୀ ଇସ୍ତାହାର ପ୍ରକାଶ କରିଛନ୍ତି । ଏହି ଇସ୍ତାହାର ପତ୍ରର ନାଁ ରହିଛି ‘ଆସିବ କଂଗ୍ରେସ ହସିବ ଓଡିଶା’ । କଂଗ୍ରେସର ଇସ୍ତାହାର ପତ୍ରରେ ଚାଷୀ, ଯୁବକ, ମହିଳା, ଆଦିବାସୀ ଦଳିତ ଏବଂ ବେରୋଜଗାରୀଙ୍କୁ ଗୁରୁତ୍ୱ ଦିଆଯିବା ସହ ୧୯ଟି ପ୍ରମୁଖ ପ୍ରତିଶ୍ରୃତି ମଧ୍ୟ ଦିଆଯାଇଛି । ଏହି ପ୍ରତିଶ୍ରୁତି ମଧ୍ୟରୁ ‘ନ୍ୟାୟ’ ଯୋଜନାରେ ପ୍ରତି ଗରିବ ପରିବାରଙ୍କୁ ମାସିକ ୬ ହଜାର ଟଙ୍କାର ସହାୟତା ଦିଆଯିବ ଯାହାକି ବ୍ୟାଙ୍କ ଜରିଆରେ ସିଧାସଳଖ ପରିବାରର ମହିଳାଙ୍କ ଖାତାରେ ଜମା କରିବ ଦଳ ।
ଏହି ଇସ୍ତାହାରରେ ପ୍ରକାଶ ପାଇଥିବା ପ୍ରମୁଖ ପ୍ରତିଶ୍ରୁତି ଗୁଡିକ ହେଲା:
◆ ଚାକିରୀ ନପାଇବା ପର୍ଯ୍ୟନ୍ତ ଯୁବକମାନଙ୍କୁ ମାସିକ ୩ ହଜାର ଟଙ୍କା ବେକାରୀ ଭତ୍ତା ଦିଆଯିବ ।
◆ ଚାକିରି ଆରମ୍ଭର ବୟସ ସୀମାକୁ ବୃଦ୍ଧି କରାଯିବ ।
◆ ପ୍ରତି ପରିବାରକୁ ସରକାରୀ ହେଉ ଅବା ବେସରକାରୀ ହେଉ, ଯୁବକମାନଙ୍କ ନିଯୁକ୍ତି ଦିଆଯିବ ।
◆ ଠିକା କର୍ମଚାରୀଙ୍କୁ ନିୟମିତ କରାଯିବ ।
◆ ମନରେଗାକୁ ୧୫୦ ଦିନ ବଢାଯିବ ।
◆ ୨୦୨୪ ସୁଦ୍ଧା ସମସ୍ତ ଗାଁ ଓ ସହରାଂଚଳ ବାସିନ୍ଦାଙ୍କୁ ପିଇବା ପାଣି ଦିଆଯିବ ।
◆ ୨୦୨୪ ସୁଦ୍ଧା ସମସ୍ତଙ୍କୁ ଘର ଓ ଭୂମି ଦେବାକୁ ପ୍ରତିଶ୍ରୃତି ଦେଇଛି କଂଗ୍ରେସ ।
◆ ମହିଳା ସଶକ୍ତିକରଣ ପାଇଁ ପାର୍ଲାମେଂଟ, ବିଧାନସଭା ଓ ସମସ୍ତ ସରକାରୀ ଚାକିରୀରେ ୩୩ ପ୍ରତିଶତ ସଂରକ୍ଷଣ କରିବ କଂଗ୍ରେସ ।
◆ ୬ ମାସ ଭିତରେ ଚିଟଫଣ୍ଡ ଜମାକାରୀଙ୍କୁ ସେମାନଙ୍କ ଟଙ୍କା ଫେରାଯିବ ।
◆ ଅଙ୍ଗନୱାଡି କର୍ମୀଙ୍କୁ ମାସିକ ୯ ହଜାର ଟଙ୍କାର ମାସିକ ଦରମା ପ୍ରଦାନ କରାଯିବ ।
◆ ମହିଳାଙ୍କୁ ମାଗଣ ଶିକ୍ଷା ଓ ଗରିବ ପରିବାରକୁ ବିବାହ ପାଇଁ ଆର୍ଥିକ ସହାୟତା ଦେବାକୁ କଂଗ୍ରେସ ପ୍ରତିଶ୍ରୃତି ଦେଇଛି । ଦ୍ୱାଦଶ ଯାଏଁ ମହିଳାମାନଙ୍କୁ ମାଗଣା ଶିକ୍ଷା ପ୍ରଦାନ କରାଯିବ ।
◆ କଂଗ୍ରେସ ସରକାର ଗଢିଲେ ଚାଷୀଙ୍କ ୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ଛାଡ କରାଯିବ । ଚାଷ ପାଇଁ ବ୍ୟବହୃତ ବିଦ୍ୟୁତକୁ ଛାଡ କରାଯିବ ।
◆ ଯେଉଁ ଚାଷୀମାନେ ଋଣ ଫେରାଇ ଦେଇଛନ୍ତି, ସେମାନଙ୍କର ଟଙ୍କା ଫେରସ୍ତ କରିଦିଆଯିବ । ଏହାବ୍ୟତୀତ ସୋଲାର ପମ୍ପ ଚାଷୀ ମାନଙ୍କୁ ଦିଆଯିବ । ଏହା ବ୍ୟତୀତ ୩ ବର୍ଷ ପାଇଁ ବାର୍ଷିକ ୧୦ ହଜାର ଟଙ୍କା ଲେଖାଏଁ ଅନ୍ୟାନ୍ୟ ଚାଷ କାମ କରିବା ପାଇଁ ଆର୍ଥିକ ସହାୟତା ଦିଆଯିବ ।
◆ ଧାନର ଏମଏସପି ମୂଲ୍ୟ ୨ହଜାର ୬୦୦ଟଙ୍କା ଧାର୍ଯ୍ୟ କରାଯିବ । ସ୍ୱାମୀନାଥମ କମିଟିକୁ ଦଳ ଗ୍ରହଣ କରିବ ଏବଂ ଧାନ ବ୍ୟତୀତ ଅନ୍ୟାନ୍ୟ କୃଷିଜାତ ଦ୍ରବ୍ୟକୁ ଗୁରୁତ୍ୱ ଦିଆଯିବ ।
◆ ସମସ୍ତ ପ୍ରାଥମିକ ଓ ଗୋଷ୍ଠୀସ୍ୱାସ୍ଥ୍ୟ କେନ୍ଦ୍ରରେ ସବୁ ପ୍ରକର ନିଦାନ, ଅସ୍ତ୍ରୋପଚାର ଆଦି ମାଗଣାରେ କରାଯିବ ।