ୱାୟନାଡ ଆସନ ପାଇଁ ନାମାଙ୍କନ ଦାଖଲ କଲେ ରାହୁଲ, ସାମ୍ବିଦକଙ୍କୁ ସାହାଯ୍ୟ କରି ପ୍ରଶଂସା ସାଉଁଣ୍ଟିଲେ ପ୍ରିୟଙ୍କା
ଓଡ଼ିଶା ଫାଷ୍ଟ(ବ୍ୟୁରୋ): କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଆଜି କେରଳର ଓ୍ବାୟନାଡ ଲୋକ ସଭା ଆସନରୁ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ଏହି ସମୟରେ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କ ସମେତ କଂଗ୍ରେସ ସମର୍ଥକଙ୍କ ପ୍ରବଳ ଭିଡ଼ ଜମିଥିଲା । ଚଳିତ ଥର ରାହୁଲ ଗାନ୍ଧି ଉତ୍ତର ପ୍ରଦେଶର ଆମେଥି ଓ କେରଳର ୱାୟନାଡ ଆସନରୁ ର୍ନିବାଚନ ଲଢୁଛନ୍ତି । କେରଳ ୱାୟନାଡ଼ ଲୋକସଭା ଆସନ ପାଇଁ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ପ୍ରାର୍ଥୀ ହେବା ପରେ କଂଗ୍ରେସ ବିରୋଧୀ ଦଳଙ୍କ ଉଦ୍ଦେଶ୍ୟରେ ଏକ ବୟାନ ରଖିଛନ୍ତି । ସେ କହିଛନ୍ତି ମୁଁ ଦୁଇଟି ଆସନରୁ ଛିଡ଼ା ହୋଇ ଗୋଟିଏ ବାର୍ତ୍ତା ଦେବାକୁ ଚାହୁଁଛି ଯେ ଭାରତ ଗୋଟିଏ । ସେଥିପାଇଁ ମୁଁ ଉଭୟ ଦକ୍ଷିଣ ଭାରତ ଓ ଉତ୍ତର ଭାରତରୁ ପ୍ରାର୍ଥୀ ହୋଇଛି ।
ଏହାପରେ କଂଗ୍ରେସ ପକ୍ଷରୁ ଏକ ବିଶାଳ ରୋଡ ଶୋ’ର ଆୟୋଜନ କରାଯାଇଥିଲା । ତେବେ ଖବର ସଂଗ୍ରହ କରୁଥିବା ବେଳେ ବ୍ୟାରିକେଡ୍ ପଡ଼ିଯିବା ଯୋଗୁ ୩ଜଣ ସାମ୍ବାଦିକ ଆହତ ହୋଇଥିଲେ । ଏହା ଦେଖିବା କ୍ଷଣି ରାହୁଲ ଗାନ୍ଧୀ ଓ ଭଉଣୀ ପ୍ରିୟଙ୍କା ଗାଡ଼ିରୁ ଓହ୍ଲାଇ ପଡ଼ି ଆହତ ସାମ୍ବାଦିକଙ୍କୁ ତଳୁ ଉଠାଇ ଆମ୍ବୁଲାନ୍ସରେ ମେଡିକାଲ ପଠାଇବାର ବ୍ୟବସ୍ଥା କରିଥିଲେ । ଏପରିକି ପ୍ରିୟଙ୍କା ଆହତ ସାମ୍ବାଦିକଙ୍କ ଚପଲ ଆମ୍ବୁଲାନ୍ସ ପର୍ଯ୍ୟନ୍ତ ନେଇଥିବା ଦେଖାଯାଇଥିଲା । ରାହୁଲ ଓ ପ୍ରିୟଙ୍କାଙ୍କ ଏହି ଭିଡିଓ ସୋସିଆଲ ମିଡିଆରେ ଘୁରି ବୁଲିବା ପରେ ଅନେକେ ଏହାକୁ ପ୍ରଶଂସା କରିଛନ୍ତି ।