କଂଗ୍ରେସ ଭବନରେ ପହଞ୍ଚିଲା ତୁଳସୀ ଯାତ୍ରାର ପ୍ରଥମ ତୁଳସୀ, ଡିସେମ୍ବର ୧ରୁ ତୁଳସୀ ଯାତ୍ରା ଆରମ୍ଭ

0

କଂଗ୍ରେସ ଭବନରେ ପହଞ୍ଚିଲା ତୁଳସୀ ଯାତ୍ରାର ପ୍ରଥମ ତୁଳସୀ । ଏହାକୁ ପଠାଇଛନ୍ତି ପଶ୍ଚିମ ଓଡ଼ିଶା ସମ୍ବଲପୁରର ଜୟନ୍ତ ପୂଜାରୀ । ତେବେ ଶ୍ରୀମନ୍ଦିରର ବିଭିନ୍ନ ଦାବି ନେଇ ଡିସେମ୍ବର ୧ ତାରିଖରେ ତୁଳସୀ ଯାତ୍ରା କରିବ କଂଗ୍ରେସ । ଜନସାଧାରଣଙ୍କୁ କଂଗ୍ରେସ ସହ ଯୋଡିବାକୁ ଦଳର ଏହା ଏକ ଅଭିନବ ପ୍ରୟାସ ।

ଓଡିଶାବାସୀଙ୍କ ଧର୍ମୀୟ ଭାବନା ସହ କଂଗ୍ରେସକୁ ଯୋଡିବାକୁ ପିସିସି ପକ୍ଷରୁ ଏପରି ଉଦ୍ୟମ କରାଯାଉଛି । ଏହି ତୁଳସୀ ଯାତ୍ରାରେ ସାମିଲ ହେବା ପାଇଁ ସମ୍ବଲପୁର ଜଣେ ଶ୍ରଦ୍ଧାଳୁ କଂଗ୍ରେସ ଭବନକୁ ତୁଳସୀ ପଠାଇଛନ୍ତି । ଯାହା ଶୁକ୍ରବାର ଦିନ ପ୍ରଥମ କରି କଂଗ୍ରେସ ଭବନରେ ପହଞ୍ଚିଛି । ଏହାସହ ଏକ ଚିଠି ମଧ୍ୟ ପ୍ରେରଣ କରିଛନ୍ତି । ଯେଉଁଥିରେ ଲେଖାଯାଇଛି ଏହି ଯାତ୍ରା ସଫଳ ହେବ । ସେ ଏହାକୁ ସମର୍ଥନ ଜଣାଇଛନ୍ତି ।

ସୂଚନାଯୋଗ୍ୟ, କଂଗ୍ରେସ ପୁରୀ ଶ୍ରୀମନ୍ଦିରର ସୁରକ୍ଷା ପାଇଁ ତୁଳସୀ ଯାତ୍ରା ଆରମ୍ଭ କରିବ । ଶ୍ରୀମନ୍ଦିର ରତ୍ନଭଣ୍ଡାର ଖୋଲିବା, ମରାମତି ଓ ଭକ୍ତଙ୍କ ପାଇଁ ମନ୍ଦିରର ଚାରିଦ୍ବାର ଖୋଲିବା ପାଇଁ ଦାବି କରିଛି ଦଳ । ଏହାରି ପ୍ରତିବାଦରେ କଂଗ୍ରେସ ରାଜ୍ୟରେ ସଙ୍କୀର୍ତ୍ତନ ସତ୍ୟାଗ୍ରହ କରିଥିଲା । ନଭେମ୍ବର ୧୭ରୁ ପ୍ରତି ପଞ୍ଚାୟତ, ବ୍ଲକ, ଜିଲ୍ଲା ଓ ମ୍ୟୁନିସିପାଲିଟିରେ ତୁଳସୀ ସଂଗ୍ରହ କାର୍ୟ୍ୟକ୍ରମ ଆରମ୍ଭ ହୋଇଛି । ଏନେଇ ଜିଲ୍ଲା ଓ ବ୍ଲକ ସଭାପତିଙ୍କୁ ଚିଠି ଲେଖି ଅବଗତ କରିଥିଲେ ପିସିସି ସଭାପତି । ଡିସେମ୍ବର ୧ ସୁଦ୍ଧା ରାଜ୍ୟର ପ୍ରତି ଅଞ୍ଚଳରୁ ତୁଳସୀ କଂଗ୍ରେସ ଭବନ ଆସିବ ଏବଂ ସେହିଦିନ ରାଜଧାନୀରୁ ଶ୍ରୀକ୍ଷେତ୍ର ଅଭିମୁଖେ ବିରାଟ ଶୋଭାଯାତ୍ରା ତୁଳସୀ ଯାତ୍ରାରେ ବାହାରିବ ଦଳ । ଏନେଇ ପିସିସି ସଭାପତି ଶରତ ପଟ୍ଟନାୟକ ସୂଚନା ଦେଇଛନ୍ତି । ରାଜ୍ୟବସୀଙ୍କୁ ଏହି ଯାତ୍ରାରେ ସାମିଲ ହେବା ପାଇଁ ନିବେଦନ କରିଛନ୍ତି ପିସିସି ସଭାପତି ।

Leave a comment