ଆନ୍ଧ୍ରପ୍ରଦେଶ ରେଳ ଦୁର୍ଘଟଣାକୁ ନେଇ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ଶୋକ, ତୁରନ୍ତ ସହାୟତା ପାଇଁ ଏସଆରସିଙ୍କୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ
ମୃତ୍ୟୁ ସଂଖ୍ୟା ୧୩କୁ ବୃଦ୍ଧି, ୫୦ ଜଣ ଆହତ ସୂଚନା
ଆନ୍ଧ୍ରପ୍ରଦେଶ ବିଜୟନଗରମ୍ରେ ହୋଇଥିବା ବଡ଼ ଧରଣର ରେଳ ଦୁର୍ଘଟଣାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ ପ୍ରମୁଖ ରାଜନେତା ଶୋକ ପ୍ରକାଶ କରିଛନ୍ତି । ଏଥିସହ ମୁଖ୍ୟମନ୍ତ୍ରୀ ତୁରନ୍ତ ସହାୟତା ପାଇଁ ଏସଆରସିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ରାୟଗଡ଼ା, କୋରାପୁଟ ଜିଲ୍ଲା ପ୍ରଶାସନକୁ ସଜାଗ ରହିବା ପାଇଁ ନିଦ୍ଦେର୍ଶ ଦେଇଛନ୍ତି ସ୍ୱତନ୍ତ୍ର ରିଲିଫ୍ କମିସନର । ଅନ୍ୟପଟେ ଉଦ୍ଧାର କାର୍ଯ୍ୟରେ ସହାୟତା ପାଇଁ ଓଡିଶାରୁ ଅଗ୍ନିଶମ ବାହିନୀ ବିଜୟନଗରମ ଯାଇଛନ୍ତି । ଓଡ଼ିଆ ଯାତ୍ରୀଙ୍କ ଆସିବା ପାଇଁ ବସ୍ ମଧ୍ୟ ପଠାଯାଇଛି । ଅନ୍ୟପଟେ ରାୟଗଡ଼ା ହସପିଟାଲକୁ ପ୍ରସ୍ତୁତ ରଖିବାକୁ କୁହାଯାଇଛି ।
ଆନ୍ଧ୍ର-ଓଡ଼ିଶା ସୀମାବର୍ତ୍ତୀ କଣ୍ଟାକାପାଲୀ-ଆଲମଣ୍ଡା ଷ୍ଟେସନ ମଧ୍ୟରେ ବିଶାଖାପାଟଣା-ପଲାସା ପାସେଞ୍ଜର ଟ୍ରେନ୍କୁ ବିଶାଖାପାଟଣା- ରାୟଗଡା ପାସେଞ୍ଜର ଟ୍ରେନ୍ ଧକ୍କା ଦେଇଛି ।
ପ୍ରଧାନମନ୍ତ୍ରୀ ମୋଦି ଘଟଣାକୁ ନେଇ ଦୁଃଖ ପ୍ରକାଶ କରିବା ସହ ମୃତକଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି । ଏଥିସହ ଆହତଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି । ଗତକାଲି ଟ୍ରେନ୍ ଦୁର୍ଘଟଣା ପରେ ପ୍ରଧାନମନ୍ତ୍ରୀ, ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଓ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନମୋହନ ରେଡ୍ଡୀଙ୍କ ସହ କଥା ହୋଇ ସ୍ଥିତିର ସମୀକ୍ଷା କରିଥିଲେ । ପ୍ରକାଶ ଯେ, ଗତକାଲି ରାତିରେ ଏହି ଦୁର୍ଘଟଣା ଘଟିଥିବା ବେଳେ ବର୍ତ୍ତମାନ ସୁଦ୍ଧା ୧୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୫୦ ଜଣ ଆହତ ହୋଇଛନ୍ତି ।