ଓଡ଼ିଶା ମିଲେଟ୍ସ ମିଶନ୍‌ର ରୋମାଞ୍ଚକର ସନ୍ଧ୍ୟାରେ କଟକ ହେଲା ବିମୋହିତ

0

କଟକ(ଓଡିଶା ଫାଷ୍ଟ ବ୍ୟୁରୋ): ଓଡ଼ିଶା ମିଲେଟ୍ସ ମିଶନ୍ ରାଜ୍ୟର ବିଭିନ୍ନ ସହରରେ ନିୟମିତ ଭାବରେ ବିଭିନ୍ନ ମନୋରଞ୍ଜନଧର୍ମୀ କାର୍ଯ୍ୟକ୍ରମ ଆୟୋଜନ କରୁଛି । ଅକ୍ଟୋବର ମାସର ଏହି ସପ୍ତାହର ୧୪ ଓ ୧୫ ତାରିଖରେ ଓଡ଼ିଶା ମିଲେଟ୍ସ ମିଶନ୍ ଟିମ୍ କଟକ ସହରରେ ଥିବା ଦରଗା ବଜାର ସପିଂ ମଲରେ ପହଞ୍ଚିଥିଲା ଏବଂ ସେଠାରେ ଆୟୋଜିତ କାର୍ଯ୍ୟକ୍ରମରେ ସ୍ଥାନୀୟ କୃଷି ବିଭାଗର କର୍ମକର୍ତ୍ତାଙ୍କ ସହିତ ସପିଂମଲର ବହୁ ଦୋକାନୀ ଯୋଗ ଦେଇଥିଲେ । ଓଡ଼ିଶା ମିଲେଟ୍ ମିଲେଟ୍ସ ମିଶନ୍ ହେଉଛି ରାଜ୍ୟ ସରକାରଙ୍କର ଏକ ଐତିହାସିକ ଅଭିଯାନ ଯାହା ଜରିଆରେ ରାଜ୍ୟ ସରକାର ମିଲେଟ୍ସକୁ କୃଷିକ୍ଷେତ୍ରରୁ ଆଣି ଖାଦ୍ୟଥାଳିରେ ପହଞ୍ଚାଇବା ନିମନ୍ତେ ବିଭିନ୍ନ ଅଭିନବ ତଥା ରୋମାଞ୍ଚକର ଉପାୟ ଅବଲମ୍ବନ କରୁଛନ୍ତି ।

ଗୃହିଣୀ ତଥା ହୋମ ସେଫ୍‌ମାନଙ୍କୁ ନୂତନ ରେସିପି ସମ୍ପର୍କରେ ତାଲିମ ଦେବା ଲାଗି ସ୍ଥାନୀୟ ସେଫ୍‌ମାନଙ୍କ ସହିତ ମିଳିତ ହୋଇ ଓଡ଼ିଶା ମିଲେଟ୍ସ ମିଶନ୍ ଏବେ ଯେଉଁ ଚିତ୍ତାକର୍ଷକ କାର୍ଯ୍ୟକ୍ରମ ଆୟୋଜନ କରୁଛି ତାହା ନିଶ୍ଚିତ ଭାବରେ ଲୋକମାନଙ୍କ ଉପରେ ଏକ ସୁଦୂରପ୍ରସାରୀ ପ୍ରଭାବ ପକାଉଛି । ମିଲେଟ୍ସକୁ ଦୈନନ୍ଦିନ ଖାଦ୍ୟାଭ୍ୟାସରେ ସାମିଲ କରି ସେମାନେ କିପରି ଲାଭବାନ ହୋଇ ପାରିବେ, ଉପସ୍ଥିତ ଲୋକମାନଙ୍କ ମନରେ ବିଭିନ୍ନ ପ୍ରକାର ମନୋରଞ୍ଜନମୂଳକ କାର୍ଯ୍ୟ ଜରିଆରେ ଏକ ବ୍ୟାପକ ଧାରଣା ସୃଷ୍ଟି କରିବା ହେଉଛି ଏହି କାର୍ଯ୍ୟକ୍ରମଗୁଡ଼ିକର ଅନ୍ତର୍ନିହିତ ଉଦ୍ଦେଶ୍ୟ ।

କାର୍ଯ୍ୟକ୍ରମର ପ୍ରାରମ୍ଭରେ ଆୟୋଜକ ଓଡ଼ିଶା ମିଲେଟ୍ସ ମିଶନ୍ ବିଷୟରେ ସୂଚନା ପ୍ରଦାନ କରିବା ସହିତ ଆୟୋଜିତ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ସମ୍ପର୍କରେ ଉପସ୍ଥିତ ଜନସାଧାରଣଙ୍କୁ ଅବଗତ କରାଇଥିଲେ । ପରେ ପରେ ସ୍ଥାନୀୟ ଲୋକଙ୍କ ଦ୍ୱାରା ବିଭିନ୍ନ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା ଯାହା ଲୋକମାନଙ୍କୁ ଆକର୍ଷିତ କରି ରଖିଥିଲା । ପ୍ରସିଦ୍ଧ ଟିଭି ଓ ଫିଲ୍ମ ହାସ୍ୟ ଅଭିନେତ୍ରୀ ଚାନ୍ଦିନୀ ଏବଂ ଲୋକପ୍ରିୟ ଗାୟକ ମନଦୀପ ଓ କୁଲଦୀପ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରି ଦର୍ଶକମାନଙ୍କର ମନୋରଞ୍ଜନ କରିଥିଲେ । ଓଡ଼ିଆ ଓ ହିନ୍ଦୀଗୀତର ତାଳରେ ଦର୍ଶକମାନେ ଝୁମିବା ଏକ ସୁନ୍ଦର ତଥା ମନୋମୁଗ୍ଧକର ପରିବେଶ ସୃଷ୍ଟି କରିଥିଲା ।

ଏହାପରେ ଲୋକମାନଙ୍କର ଅସ୍ୱାସ୍ଥ୍ୟକର ଖାଦ୍ୟାଭ୍ୟାସ ଓ ତା’ ପ୍ରଭାବରେ ସୃଷ୍ଟି ହେଉଥିବା ସମସ୍ୟାଗୁଡ଼ିକ ହାସ୍ୟରସ ମାଧ୍ୟମରେ ପରିବେଷଣ କରାଯାଇଥିଲା ଯାହା ଲୋକମାନଙ୍କୁ ପ୍ରଭାବିତ କରିଥିଲା । ଦର୍ଶକମାନେ ଏହି ବାର୍ତ୍ତାକୁ ଗ୍ରହଣ କରୁଛନ୍ତି କି ନାହିଁ ତାହା ନିଶ୍ଚିତ କରିବା ଲାଗି, ମିଲେଟର ପୁଷ୍ଟିକର ମୂଲ୍ୟ ଦର୍ଶାଉଥିବା ଏକ ଶିକ୍ଷଣୀୟ ଚଳଚ୍ଚିତ୍ରର ସ୍କ୍ରିନିଂ କରିବାକୁ ଯୋଜନା କରାଯାଇଛି । ଲୋକମାନଙ୍କର ଉତ୍ସାହକୁ ବଢ଼ାଇବା ଲାଗି ଓଡ଼ିଶା ମିଲେଟ୍ସ ମିଶନ୍ ବିଭିନ୍ନ କଉତୁକିଆ ତଥା ପ୍ରତିଯୋଗିତାମୂଳକ ଖେଳର ଆୟୋଜନ କରିଥିଲା । ଉଭୟ ଖେଳରେ ଅଂଶଗ୍ରହଣକାରୀ ତଥା ଦର୍ଶକମାନଙ୍କୁ ଏହା ଆନନ୍ଦିତ କରିଥିଲା । ଏହି ରୋମାଞ୍ଚକର ଖେଳ ପ୍ରତିଯୋଗିତାର ବିଜେତାମାନେ ଆକର୍ଷଣୀୟ ଉପହାରମାନ ଜିତିବାକୁ ସୁଯୋଗ ପାଇଥିଲେ ଏବଂ ଏହା ସେମାନଙ୍କ ଉତ୍ସାହକୁ ବହୁଗୁଣିତ କରିଥିଲା ।

ଓଡ଼ିଶା ସରକାରଙ୍କର ଏହି ଅଭିନବ ପ୍ରୟାସ ରାଜ୍ୟରେ ଏକ ଶକ୍ତିଶାଳୀ ପ୍ଲାଟଫର୍ମ ପ୍ରତିଷ୍ଠା କରିଛି । ଏଭଳି ଭାବରେ ଆଞ୍ଚଳିକ ସ୍ତରରେ ଅନୁଷ୍ଠିତ ହେଉଥିବା କାର୍ଯ୍ୟକ୍ରମଗୁଡ଼ିକ କେବଳ ଏକ ବୃହତ୍ତର ଦର୍ଶକଗୋଷ୍ଠୀର ଦୃଷ୍ଟି ଆକର୍ଷଣ କରୁନାହିଁ; ଅଧିକନ୍ତୁ ରାଜ୍ୟବାସୀଙ୍କୁ ସୁସ୍ଥ ତଥା ସୁଖୀ ଜୀବନଶୈଳୀ ଆପଣାଇବାକୁ ଉତ୍ସାହିତ କରୁଛି ।

Leave a comment