ନିରବ ସାଧକ,ଉନ୍ନତି ଅନେକ
ଲୋକଙ୍କ ସେବାରେ ସମର୍ପିତ ନବୀନ; କଥା କମ୍, କାମ ବେଶୀ
ଭୁବନେଶ୍ୱର(ଓଡିଶା ଫାଷ୍ଟ ବ୍ୟୁରୋ): ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଆଜି ୭୮ ବର୍ଷ ବୟସରେ ପାଦ ଥାପିଛନ୍ତି । ଗତ ମାସରେ ବଡ ଭଉଣୀ ଗୀତା ମେହେଟା ଙ୍କ ବିୟୋଗ ହୋଇଥିବାରୁ ମୁଖ୍ୟମନ୍ତ୍ରୀ ଚଳିତ ବର୍ଷ ଜନ୍ମ ଦିବସ ପାଳନ କରିନାହାଁନ୍ତି । ତାଙ୍କୁ ଶୁଭେଚ୍ଛା ଜଣାଇବାକୁ ନବୀନ ନିବାସ ନ ଆସି ଲୋକଙ୍କ ସେବାରେ ସମୟ ଦେବାକୁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଶୁଭେଚ୍ଛୁ ମାନଙ୍କୁ ଅନୁରୋଧ କରିଥିଲେ । କିନ୍ତୁ ନବୀନଙ୍କ ଜନ୍ମଦିନ ଅବସରରେ ସୋସିଆଲ ମିଡ଼ିଆ ରେ କର୍ମୀ ଏବଂ ଶୁଭେଚ୍ଛୁ ଙ୍କ ଶୁଭେଚ୍ଛାର ସୁଅ ଛୁଟିଛି।
୧୯୯୭ ସାଂସଦ ଭାବେ ନିର୍ବାଚିତ ହୋଇଥିବା ନବୀନ ଏହି ୨୫ ବର୍ଷ ମଧ୍ୟରେ ନିଜକୁ ଦେଶର ଜଣେ ଅପ୍ରତିଦ୍ବନ୍ଦ୍ବୀ ରାଜନେତାଭାବେ ପ୍ରତିଷ୍ଠିତ କରିପାରିଛନ୍ତି । ରାଜ୍ୟବାସୀଙ୍କ ଅତୁଟ ବିଶ୍ୱାସ ର ଏକ ମାତ୍ର ନାଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସେ ଜଣେ ନିରବ ସାଧକ କହିଲେ ଅତ୍ୟୁକ୍ତି ହେବନାହିଁ । ରାଜନୀତି ପାଇଁ ନୁହେଁ ବରଂ ରାଜ୍ୟର ଉନ୍ନତି ପାଇଁ ବିଭିନ୍ନ ସମୟରେ ବିଭିନ୍ନ କଲ୍ୟାଣକାରୀ ଯୋଜନା ପ୍ରଣୟନ କରୁଛନ୍ତି ନବୀନ । ଯାହାକି ନିର୍ବାଚନ ସମୟରେ ଭୋଟ ରୂପରେ ଜନତାଙ୍କ ଆଶୀର୍ବାଦ ହୋଇ ଅଜାଡି ହେଉଛି ତାଙ୍କ ଉପରେ । ଓଡ଼ିଶାର ଅନେକ କାର୍ଯ୍ୟକ୍ରମ ଏବଂ ଯୋଜନାକୁ ଅନ୍ୟରାଜ୍ୟ ମାନେ ଅନୁକରଣ କରିଥିବା ଅନେକ ନଜିର ରହିଛି । କେନ୍ଦ୍ର ସରକାର ପ୍ରଶଂସା କରିଥିବାବେଳେ ଜାତିସଂଘ ପକ୍ଷରୁ ସାବାସି ମିଳିଛି । ଓଡ଼ିଶାରେ ଯୋଜନା ସମ୍ପର୍କରେ ଆଲୋଚନା କରାଯାଏ ତାହେଲେ ପ୍ରାୟ ୭୦ରୁ ଉର୍ଦ୍ଧ୍ୱ ଯୋଜନା ଲୋକଙ୍କ ଆବଶ୍ୟକତାକୁ ଦେଖି ପ୍ରଣୟନ ହୋଇଛି ।କରୋନାର ପ୍ରତିକୂଳ ପ୍ରଭାବ ସତ୍ତ୍ୱେ ମୁଖ୍ୟମନ୍ତ୍ରୀ ଶିକ୍ଷା, ସ୍ୱାସ୍ଥ୍ୟ, କୃଷି, ପର୍ଯ୍ୟଟନ ସର୍ବୋପରି ଆମ ଐତିହ୍ୟ ଏବଂ ସଂସ୍କୃତିକୁ ବିଶ୍ୱବ୍ୟାପୀ କରିବା ପାଇଁ ବିରାଟ ପଦକ୍ଷେପ ନେଇଛନ୍ତି । ପ୍ରତିଟି ଜୀବନ ମୂଲ୍ୟବାନ । ସୁସ୍ଥ ଓଡ଼ିଶା, ସୁଖୀ ଓଡ଼ିଶା । ଏହି ଦୁଇ ନୀତିକୁ ନିଜ ସ୍ୱାସ୍ଥ୍ୟସେବାର ମୂଳମନ୍ତ୍ର କରିଛନ୍ତି ନବୀନ । ଚଳିତ ବର୍ଷ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ସ୍ମାର୍ଟ ହେଲ୍ଥ କାର୍ଡ ବଣ୍ଟନ କରି ରାଜ୍ୟର ୯୬ ଲକ୍ଷ ପରିବାରର ସାଢ଼େ ୩ କୋଟି ଲୋକଙ୍କୁ ମାଗଣା ଚିକିତ୍ସା ସୁବିଧା ଯୋଗାଇ ଦିଆଯାଇଛି । ଅନ୍ୟ ପ୍ରମୁଖ ଯୋଜନା ମଧ୍ୟରେ ମୁଖ୍ୟମନ୍ତ୍ରୀ ନିଯୁକ୍ତି ସୃଷ୍ଟି ଯୋଜନା, ଅବଢ଼ା, କାଳିଆ ଯୋଜନା, ଲକ୍ଷ୍ମୀ ଯୋଜନା, ସ୍କୁଟି ଯୋଜନା, ବିଜୁ କନ୍ୟାରତ୍ନ ଯୋଜନା, ନିର୍ମାଣ ଶ୍ରମିକ ଯୋଜନା, ଆହାର, ବିଜୁ କୃଷକ କଲ୍ୟାଣ ଯୋଜନା, ମମତା ଯୋଜନା, ବିଜୁ ପକ୍କାଘର ଯୋଜନା ଇତ୍ୟାଦି । ନୂଆ ଓଡ଼ିଶା ରୂପାନ୍ତରଣର ରୂପକାର ନବୀନ ପଟ୍ଟନାୟକଙ୍କୁ ରେ ଓଡ଼ିଶା ଫାଷ୍ଟ ପକ୍ଷରୁ ୭୮ତମ ଜନ୍ମଦିନର ଶୁଭେଚ୍ଛା ଓ ଶୁଭକାମନା।