ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତି: ଚଳିତ ପାର୍ବଣ ଋତୁରେ କଟକ ମହାନଗର ନିଗମ ଅଞ୍ଚଳରେ ସାର୍ବଜନୀନ ପୂଜା ଉତ୍ସବ ପାଇଁ ଗ୍ରାଉଣ୍ଡ ରେଣ୍ଟ ଆଦାୟ କରାଯିବ ନାହିଁ
ଭୁବନେଶ୍ୱର(ଓଡିଶା ଫାଷ୍ଟ ବ୍ୟୁରୋ):ଚଳିତ ବର୍ଷ ପାର୍ବଣ ସମୟରେ କଟକ ମହାନଗର ନିଗମ ଅଞ୍ଚଳରେ ସାର୍ବଜନୀନ ପୂଜା ଉତ୍ସବ ପାଇଁ ଗ୍ରାଉଣ୍ଡ ରେଣ୍ଟ ଆଦାୟ ନ କରିବାକୁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି।
ବିଭିନ୍ନ ପୂଜା ସମିତି ଓ ସ୍ଥାନୀୟ ବିଧାୟକମାନଙ୍କ ଅନୁରୋଧ କ୍ରମେ ଜନସାଧାରଣଙ୍କ ସାଂସ୍କୃତିକ ଓ ଆଧ୍ୟାତ୍ମିକ ଭାବନାକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ଏହି ନିଷ୍ପତ୍ତି ନେଇଛନ୍ତି ।
ଏହା ଦ୍ୱାରା କଟକ ମହାନଗର ନିଗମ ଅଞ୍ଚଳରେ ପାର୍ବଣ ଋତୁ ସମୟରେ ସରକାରୀ ଜାଗାରେ ସାମୟିକ ଭାବରେ ଆୟୋଜିତ ହେଉଥିବା ବିଭିନ୍ନ ପୂଜା ଉତ୍ସବ ପାଇଁ କୌଣସି ଗ୍ରାଉଣ୍ଡ ରେଣ୍ଟ ଆଦାୟ କରାଯିବ ନାହିଁ । ଚଳିତ ବର୍ଷ ଆଗାମୀ ଦିନରେ ଦୂର୍ଗା ପୂଜା, କାଳୀ ପୂଜା, ଲକ୍ଷ୍ମୀ ପୂଜା ଓ କାର୍ତ୍ତିକେଶ୍ୱର ପୂଜା ଆଦି ଅନେକ ପୂଜା ଅନୁଷ୍ଠିତ ହେବାର ଅଛି। ଏସବୁ ପୂଜା ପାଇଁ କୌଣସି ଗ୍ରାଉଣ୍ଡ ରେଣ୍ଟ କଟକ ମହାନିଗମ ପକ୍ଷରୁ ଆଦାୟ କରାଯିବ ନାହିଁ।