ବିଜେଡି ଫେରିବାକୁ ବ୍ୟାକୁଳ ବୈଜୟନ୍ତ !!
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଅମିତ ଶାହାଙ୍କ ଓଡ଼ିଶା ଗସ୍ତ ଅନେକ ପ୍ରଶ୍ନ ସୃଷ୍ଟି କରିଛି । ଯେପରି କେନ୍ଦ୍ରମନ୍ତ୍ରୀ ନିଜ ଦଳ ନେତାଙ୍କୁ ବାହାରେ ଅପେକ୍ଷା କରାଇ ୫ଟି ସଚିବଙ୍କ ସହ ଗୁପ୍ତ ବୈଠକ କଲେ । ଏହାପରେ ଦଳୀୟ ବୈଠକରେ ରାଜ୍ୟ ସରକାରଙ୍କ ବିପକ୍ଷରେ କୌଣସି ଆକ୍ରମକ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ନଦେବା ସ୍ତାନୀୟ ନେତା ଓ କର୍ମୀ ଙ୍କୁ ଦ୍ଵନ୍ଦରେ ପକାଇଛି । ରାଜ୍ୟ କଂଗ୍ରେସ ଲଗାତାର ଭାବେ କରି ଆସୁଥିବା ବିଜେଡି-ବିଜେପି ସମ୍ପର୍କ ଅଭିଯୋଗକୁ ଧୀରେ ଧୀରେ ସ୍ୱୀକାର କଲେଣି ବିଜେଡି ଛାଡି ବିଜେପିରେ ଯୋଗ ଦେଇଥିବା ନେତା । ସେମାନଙ୍କ ମଧ୍ୟରୁ ବୈଜୟନ୍ତ ପଣ୍ଡା ଅନ୍ୟତମ ।
କ’ଣ କରିବେ, ବୈଜୟନ୍ତ ଙ୍କ ଅକଲ ଗୁଡୁମ ହେଲାଣି ।” ବିଜେଡିର ଥିଲି ଭଲରେ ଥିଲି । କାହିଁକି ଶତ୍ରୁ ହେଲି । ଯଦିବି ଶତ୍ରୁ ହେଲି କାହିଁକି ବିଜେପି କୁ ବିଶ୍ଵାସ କରି ପଦ୍ମ ଧରିଲି । ପଦ୍ମ ଧରି ମସ୍ତବଡ ଭୁଲ କରିଦେଲି । ସେହିଭଳି ଅନେକ ପଶ୍ଚାତାପ ଅଗ୍ନିରେ ଜଳୁଛନ୍ତି ବୈଜୟନ୍ତ” । ଅମିତ ଶାହାଙ୍କ ଓଡ଼ିଶା ଗସ୍ତ ପରେ ବିଜେଡିକୁ ଫେରିବାକୁ ବୈଜୟନ୍ତ ଖୋଜୁଛନ୍ତି ବାଟ ।
ବୈଜୟନ୍ତଙ୍କ ଏଭଳି ଅବସ୍ଥା ଦେଖି ରାଜନୈତିକ ବିଶେଷଜ୍ଞ କହୁଛନ୍ତି, ଯେଉଁ କେନ୍ଦ୍ର ସରକାରଙ୍କ ଉପରେ ଭରସା କରିଥିଲେ ସେ ଠିକ ସମୟରେ ଧୋକା ଦେଲେ । ବୈଜୟନ୍ତ ଭାବୁଥିଲେ ନିର୍ବାଚନ ପୂର୍ବରୁ ସିବିଆଇ ର ନିଦ ଭାଙ୍ଗିବ । ରାଜ୍ୟ ସରକାରଙ୍କୁ ଇଡି ଛାଟ ମଧ୍ୟ ଲାଗିବ । ସିବିଆଇ ଓ ଇଡି ନିଦ ଉଡାଇଦେବେ ରାଜ୍ୟ ସରକାରଙ୍କର । ଯାହାର ଲାଭ ବିଜେପିକୁ ମିଳିବ । ମାତ୍ର ସବୁ ଫସର ଫତିଗଲା । ଗୃହମନ୍ତ୍ରୀଙ୍କ ଓଡ଼ିଶା ଆସିବା ପରେ ନେତା ଠାରୁ କର୍ମୀ ପର୍ଯ୍ୟନ୍ତ ସମସ୍ତେ ହତାଶ । କେନ୍ଦ୍ର ବିଜେଡି ବିପକ୍ଷରେ ନିଦା ବିଷ୍ଣୁ ସାଜିଛି । ଯେଉଁ ଅମିତ ଶାହା ଗତ ନିର୍ବାଚନ ପୂର୍ବରୁ ନବୀନ ପଟ୍ଟନାୟକଙ୍କୁ ପୋଡା ଟ୍ରାନ୍ସଫର୍ମର କହୁଥିଲେ ଏବଂ ତାଙ୍କ ସରକାର କୁ ଓଡ଼ିଶାରୁ ଓପାଡି ସମୁଦ୍ରରେ ଫୋପାଡ଼ିବାକୁ କହୁଥିଲେ ଆଜି ସେ ଭାଷଣ କାଇଁ ? ଯାହା ନିର୍ଜୀବ ହୋଇଥିବା ରାଜ୍ୟ ବିଜେପି ମଧ୍ୟରେ ପ୍ରାଣ ପ୍ରତିଷ୍ଠା କରିଥାନ୍ତା ।
ତେଣୁ ବିଜେପି ଠାରୁ ଆଶା ତୁଟାଇ ବୈଜୟନ୍ତଙ୍କ ବିଜେଡି କୁ ଫେରିବାକୁ ଚାଲିଛି ପ୍ରୟାସ । ନିକଟରେ ନବୀନ ବାବୁଙ୍କ ବଡ଼ ଭଉଣୀ ଗୀତ ମେହେଟାଙ୍କ ଦେହାନ୍ତ ହୋଇଥିଲା । ତାଙ୍କ ଶେଷ ଦର୍ଶନ କରିବାକୁ ବୈଜୟନ୍ତ ପହଞ୍ଚିଥିଲେ । ସେଠାରେ ଅନେକ ଦିନ ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ବୈଜୟନ୍ତଙ୍କ ସାମ୍ନାସାମ୍ନି ସାକ୍ଷାତ ହୋଇଥିଲା । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ନବୀନଙ୍କ ବଡଭାଇ ପ୍ରେମ ପଟ୍ଟନାୟକ ଓ ବୈଜୟନ୍ତ ସେଠାରେ କୋଳାକୋଳି ହୋଇଥିଲେ । ଯାହାକୁ ନେଇ ବୈଜୟନ୍ତଙ୍କ ବିଜେଡି ପ୍ରତ୍ୟାବର୍ତ୍ତନ କଥା ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି । ଶୁଣିବାକୁ ମିଳୁଛି ସରକାରଙ୍କ ପକ୍ଷରୁ “ବିଜନେସ ଓଡ଼ିଶା” କାର୍ଯ୍ୟକ୍ରମରେ ସଚିବ ଏବଂ ଅଫିସର ମାନଙ୍କ ସହ ବିଦେଶ ଭ୍ରମଣ କରିଥିଲେ ବୈଜୟନ୍ତଙ୍କ ସାନ ଭାଇ ଶୁଭ୍ରକାନ୍ତ ପଣ୍ଡା । ଶୁଭ୍ରକାନ୍ତଙ୍କର ରାଜ୍ୟ ଓ କେନ୍ଦ୍ରରେ ଭଲ ପ୍ରତିଷ୍ଠା ଥିବା କୁହାଯାଉଛି । କର୍ପୋରେଟ ସେକ୍ଟର ର ସେ ଜଣେ ପ୍ରଭାବଶାଳୀ ବ୍ୟକ୍ତି ଅଟନ୍ତି । ଶୁଭ୍ରକାନ୍ତ କୁଆଡେ ବଡ଼ଭାଇଙ୍କୁ ବିଜେଡିକୁ ଫେରାଇ ଆଣିବାକୁ ୫ଟି ସଚିବଙ୍କ ସହ ଆଲୋଚନା କରିଥିବା ନେଇ ଚର୍ଚ୍ଚା ହେଉଛି ।