ଦାମ ହେବେ ରାଜ୍ୟପାଳ !

0

ଓଡ଼ିଶା ଫାଷ୍ଟ(ଜିତେନ୍ଦ୍ର ମହାନ୍ତି): ଓଡ଼ିଶାରେ ବିଜେପି ନିଜ ଗଡ଼ ମଜଭୁତ କରିବାକୁ ସବୁକିଛି ଅପଣେଇବାକୁ ମନସ୍ତ କରିସାରିଛି । ଯାହାକି ଦାମଙ୍କ ବିଜେପିରେ ଯୋଗଦାନର ରହସ୍ୟ ଖୋଲିବାରେ ଲାଗିଛି । ବରିଷ୍ଠ ନେତା ଦାମୋଦର ରାଉତ ବଜେପି ରେ ଯୋଗଦାନ କୁ ନେଇ ଚାଲିଥିବା ସସପେନ୍ସରେ ପଡିଛି ପୂର୍ଣ୍ଣଛେଦ । ବିଜେପି ଦେଇଛି ପ୍ରତିଶ୍ରୁତି ଯଦି ନିର୍ବାଚନରେ ପରାସ୍ତ ହେବେ ତେବେ ଚିନ୍ତା କରିବାର ଆବଶ୍ୟକତା ନାହିଁ ଦାମଙ୍କୁ ରାଜ୍ୟପାଳ କରାଯିବ । ଏପରି କିଛି ଆଶ୍ୱାସନା ଦାମଙ୍କୁ ଦେଇଛି ବିଜେପି ।

ସୂଚନା ଅନୁଯାୟୀ, କିଛିଦିନ ତଳେ ପ୍ରଥମଥର ବିଜେପି ନେତାଙ୍କୁ ଦେଖାକରିବାକୁ ଦାମ ଯାଇଥିଲେ ଦିଲ୍ଲୀ । ସେଠାରେ ସେ ଧର୍ମେନ୍ଦ୍ର ପ୍ରଧାନ ବୈଜୟନ୍ତ ଓ ଅମିତ ଶାହା ଙ୍କ ସହ ଆଲୋଚନା କରିଥିଲେ । ଦିଲ୍ଲୀରୁ ଫେରିବା ପରେ ଦାମ କହିଥିଲେ ସେ ବିଜେପି ନେତାଙ୍କ ଆଗରେ କିଛି ସର୍ତ୍ତ ରଖିଛନ୍ତି । ଯଦି ସେମାନେ ତାହା ମାନନ୍ତି ତେବେ ସେ ବିଜେପିରେ ଯୋଗଦେବେ । ବରିଷ୍ଠ ନେତା ଦାମୋଦର ରାଉତ ଓଡିଶା ରାଜନୀତିର ଭୀଷ୍ମ ପିତାମହ ଭାବେ ଜଣାଶୁଣା । ଯେକି ନିଜ ତୁଣ୍ଡ ପାଇଁ ସବୁବେଳେ ଚର୍ଚ୍ଚାରେ ରହି ଆସିଛନ୍ତି । ଏପରିକି ଶାସକ ଦଳର ଥାଇ ମଧ୍ୟ ସରକାରଙ୍କୁ ସମାଲୋଚନା କରିବାକୁ ପଛାନ୍ତି ନାହିଁ । ଦାମ ବାବୁ ଦୀର୍ଘ ୪୦ବର୍ଷ ହେଲା ରାଜନୀତି କରୁଛନ୍ତି । ସେ ସବୁବେଳେ କ୍ଷମତାରେ ରହି ଆସିଛସନ୍ତି । ଏହା ତାଙ୍କର ଶେଷ ନିର୍ବାଚନ ବୋଲି ଦାମ ବାବୁ କହିଛନ୍ତି । ତେଣୁ ଶେଷ ନିର୍ବାଚନରେ ସେ କ୍ଷମତା ଶୂନ୍ୟ ହେବାକୁ ଚାହୁଁ ନାହାନ୍ତି । ବିଜେପି ମଧ୍ୟ ବରିଷ୍ଠ ନେତା ଦାମୋଦର ରାଉତଙ୍କୁ ହାତଛଡା କରିବାକୁ ଚାହୁଁନଥିବାରୁ ଦାମଙ୍କ ସର୍ତ୍ତରେ ରାଜି ହୋଇଯାଇଛି । କାରଣ ମୁଖ୍ୟମନ୍ତ୍ରୀ ନବୀନଙ୍କୁ ଟାର୍ଗେଟ କରିବେ ଦାମ ନିଶ୍ଚିତ । ଆଉ ଏହି ସୁଯୋଗକୁ ବିଜେପି ନିଜର ଅସ୍ତ୍ର ଭାବରେ ବ୍ୟବହାର କରିବାକୁ ଚାହେଁ ।

ବିଶେଷ ସୂତ୍ର ଅନୁଯାୟୀ, ବରିଷ୍ଠ ନେତା ଦାମୋଦର ରାଉତ ପ୍ରଥମ ଥର ଦିଲ୍ଲୀରୁ ଫେରିବା ପରେ ନବୀନ ନିବସ ରୁ ଡାକରା ଆସିଥିଲା । ଅଫର କରାଯାଇଥିଲା ପୁଅ ଓ ଝିଅଙ୍କ ଭବିଷ୍ୟତର । ପ୍ରଲୋଭନ ମଧ୍ୟ ଦିଆଯାଇଥିଲା ଯେପରିକି ଦାମ ବିଜେପିରେ ଯୋଗ ନଦେଇ ବିଜେଡିରେ ରହିବା ପାଇଁ । ମାତ୍ର ଦାମ ତାଙ୍କ ଜିଦରେ ଅଟଳ ରହିଥିଲେ । ବିଜେପି ଓ ବିଜେଡି ଉଭୟ ପର୍ଶ୍ଵରୁ ଦାମଙ୍କୁ ଦଉଡିରେ ଟାଣୁଥିଲେ । ଦାମଙ୍କ ଶେଷ କ୍ଷମତା ଆଶା ତାଙ୍କୁ ବିଜେପି ଆଡକୁ ଢଳିବାକୁ ବାଧ୍ୟ କରିଥିଲା । ଶେଷରେ ବିଜେପି ଦାମଙ୍କୁ ରାଜ୍ୟପାଳ କରିବାକୁ ସର୍ତ୍ତ ରଖିବାରୁ ଦାମବାବୁ ସେଥିରେ ରାଜି ହୋଇଥିଲେ ବୋଲି ବିଜେପି ଶିବିରରେ ଚର୍ଚ୍ଚା ହେଉଛି ।

Leave a comment