ଚାଷୀଙ୍କ ଆତ୍ମହତ୍ୟାକୁ ନେଇ ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କଲେ ରାହୁଲ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଅଖିଳ ଭାରତ କଂଗ୍ରେସ କମିଟି (ଏଆଇସିସି) ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଗତକାଲି ବରଗଡ଼ ଗସ୍ତ କରିଥିଲେ । ସେ ଅପରାହ୍ନ ପ୍ରାୟ ସାଢେ଼ ଗୋଟାଏ ବେଳେ ବରଗଡ଼ ସ୍ଥିତ ସରସରା ପଡିଆଠାରେ ପହଞ୍ଚିଥିଲେ । ସେଠାରେ ଆୟୋଜିତ ପରିବର୍ତ୍ତନ ସମାବେଶରେ ରାହୁଲ ସଭାକୁ ସମ୍ବୋଧିତ କରିଥିଲେ । ଏଥିସହ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଉପରେ ବର୍ଷିଥିଲେ ରାହୁଲ । କହିଥିଲେ, ବରଗଡକୁ ଓଡିଶାର ଧାନର ଉତ୍ପତ୍ତିସ୍ଥଳ ଭାବେ ବିବେଚନା କରାଯାଉଥିଲା । କିନ୍ତୁ ଏବେ ଏଠାକାର ଚାଷୀ ପ୍ରତିବର୍ଷ ଆତ୍ମହତ୍ୟା କରୁଛନ୍ତି । ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସାରା ରାଜ୍ୟରେ ଶୀତଳ ଭଣ୍ଡାର ପ୍ରତିଷ୍ଠା କରିବେ ଓ ଚାଷଜମିକୁ ଜଳସେଚନ ବ୍ୟବସ୍ଥା କରିବେ ବୋଲି କହିଥିଲେ । କିନ୍ତୁ ଏହା ଅଦ୍ୟାବଧି ହୋଇପାରିନାହିଁ । ସେହିପରି ପ୍ରଧାନମନ୍ତ୍ରୀ ତାଙ୍କର ସବୁ ଭାଷଣରେ ଚିଷୀଙ୍କୁ ଗୁରୁତ୍ବ ଦେଉଥିବା କହୁଥିବା ବେଳେ ଦେଶରେ ପ୍ରତେକଦିନ ଚାଷୀ ଆତ୍ମହତ୍ୟା କରୁଛନ୍ତି ବୋଲି ରାହୁଲ କହିଥିଲେ । ରାହୁଲଙ୍କ ଏହି ଗସ୍ତରେ ଛତିଶଗଡ ମୁଖ୍ୟମନ୍ତ୍ରୀ ଭୁପେଶ ବାଘେଲ ସାମିଲ ହୋଇଥିଲେ ।

ରାହୁଲଙ୍କ ଗସ୍ତର ଗୋଟିଏ ଦିନ ପୂର୍ବରୁ ଏଆଇସିସି ସମ୍ପାଦକ ଶେକ ମସ୍ତାନ ଅଲ୍ଲୀ, ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ପୂର୍ବତନ ମନ୍ତ୍ରୀ ଜଗନ୍ନାଥ ପଟ୍ଟନାୟକ, ପୂର୍ବତନ ଏମପି ଶରତ ପଟ୍ଟନାୟକ ପ୍ରମୁଖ ବରଗଡ଼ରେ ପହଞ୍ଚିି ସମାବେଶ ନିମନ୍ତେ ବ୍ୟାପକ ବନ୍ଦୋବସ୍ତ କରିଥିଲେ । କଂଗ୍ରେସ କର୍ମୀଙ୍କ ପକ୍ଷରୁ ଏକ ବାଇକ୍ ରାଲି ଅନୁଷ୍ଠିତ ହୋଇଥିଲା । ରାହୁଲଙ୍କ ଗସ୍ତ ପାଇଁ ଦଳ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଥିବା ବେଳେ ପୋଲିସ ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଥିଲା ।

Leave a comment