ସରିଲା ରାଜ୍ୟ କ୍ୟାବିନେଟ୍ ବୈଠକ; ୧୯ଟି ପ୍ରସ୍ତାବ ଉପରେ ବାଜିଲା ମୋହର, ନୂଆ ବସ୍ ଷ୍ଟାଣ୍ଡ ଯୋଜନା ‘ଲକ୍ଷ୍ମୀ’କୁ ମଞ୍ଜୁରୀ
ବିଧାନସଭାର ମୌସୁମୀ ଅଧିବେଶନ ପୂର୍ବରୁ ଆଜି ଗୁରୁତ୍ଵପୂର୍ଣ୍ଣ କ୍ୟାବିନେଟ୍ ବୈଠକ ଶେଷ ହୋଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ସନ୍ଧ୍ୟାରେ ଅନୁଷ୍ଠିତ ବୈଠକରେ ୧୯ଟି ପ୍ରସ୍ତାବ ଉପରେ ମୋହର ବାଜିଛି। ବୈଠକରେ ଅତିରିକ୍ତ ବଜେଟର ଚିଠା ପ୍ରସ୍ତାବକୁ ମିଳିବ ଅନୁମୋଦନ ମିଳିଛି ।
ରାଜ୍ୟ ରାଜଧାନୀରୁ ପଞ୍ଚାୟତକୁ ସହଜରେ ପରିବହନ ବ୍ୟବସ୍ଥା ଯୋଗାଇ ଦେବା ପାଇଁ ଓଡ଼ିଶାରେ ଆରମ୍ଭ ହେବ ନୂଆ ଯୋଜନା । ଏଥିପାଇଁ ଆଜି ରାଜ୍ୟ କ୍ୟାବିନେଟରେ ନୂଆ ବସ୍ ଷ୍ଟାଣ୍ଡ ଯୋଜନା ‘ଲକ୍ଷ୍ମୀ’କୁ ମଞ୍ଜୁରୀ ଦେଇଛନ୍ତି ରାଜ୍ୟ ସରକାର । ଏହି ଯୋଜନାରେ ରାଜ୍ୟ କ୍ୟାବିନେଟ ସଭାପତି ମୋହର ଲଗାଇ ଏହାକୁ ଗ୍ରୀନ ସିଗନାଲ ଦେଇଛନ୍ତି । ଏହାବ୍ୟତୀତ ସିଲିକନ୍ ଓ ନିଷ୍ଟକୁ ୟୁନିଟାରୀ ୟୁନିଭର୍ସିଟି କରିବାକୁ ମଧ୍ୟ କ୍ୟାବିନେଟରେ ନିଷ୍ପତ୍ତି ନିଆଯାଇଛି । କ୍ୟାବିନେଟ୍ ବୈଠକରେ ଖରିଫ ଋତୁ ଧାନ ସଂଗ୍ରହ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି।
ବୁଢାବଳଙ୍ଗ ନଦୀରେ ବ୍ୟାରେଜ୍ ପାଇଁ ୧୨୬ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି। ନବରଙ୍ଗପୁର ଜିଲ୍ଲାର ୨ ନଦୀ ତୁରୀ ଓ ଗୁଣ୍ଟାଟ ନଦୀରେ ଆନିକଟ୍ ନିର୍ମାଣ ପାଇଁ ୧୦୬ କୋଟି ଟଙ୍କାର ବ୍ୟୟ ବରାଦ ହୋଇଛି। ବନ୍ଧୁ, କ୍ଷୁଦ୍ର ଜଳସେଚନ ଉନ୍ନତିକରଣ ପାଇଁ ୨୪୮ କୋଟି ଟଙ୍କା ମଞ୍ଜୁରୀ ମିଳିଛି। ଆଉ ଏକ ନିଷ୍ପତ୍ତିକ୍ରମେ ରାଜ୍ୟରେ ୩୫ଟି ଟୋଲ୍ ଗେଟ୍ ଉଚ୍ଛେଦ ପାଇଁ କ୍ୟାବିନେଟ୍ ଅନୁମୋଦନ ମିଳିଛି। ବାଲେଶ୍ଵର ଓ ମୟୂରଭଞ୍ଜରେ ଭୂତଳ ପାଇପ୍ ଜଳ ପାଇଁ ୨୬୬ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି।
ବୈଠକରେ ଅତିରିକ୍ତ ବଜେଟର ଚିଠା ପ୍ରସ୍ତାବକୁ ମିଳିବ ଅନୁମୋଦନ ମିଳିଛି । ପ୍ରାୟ ୨୧ ହଜାର କୋଟି ଟଙ୍କାର ଅତିରିକ୍ତ ବଜେଟ୍ ଚିଠା ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି। ମନ୍ତ୍ରୀ ପରିଷଦର ଅନୁମୋଦନ ପରେ ୨୨ ତାରିଖରୁ ଆରମ୍ଭ ହେବାକୁ ଯାଉଥିବା ବିଧାନସଭା ମୌସୁମୀ ଅଧିବେଶନରେ ଅତିରିକ୍ତ ବଜେଟ୍ ଆଗତ ହେବ ।
ପେନସନ୍ ବ୍ୟବସ୍ଥା ସରଳୀକରଣ ପାଇଁ ଓସିଏସ୍ ପେନସନ୍ ରୁଲ୍ରେ ସଂଶୋଧନ କରାଯିବ। ଏଥିସହ ଜମି କିସମ ପରିବର୍ତ୍ତନ ଦେୟ ସଂପର୍କିତ ସଂଶୋଧନକୁ ମଞ୍ଜୁରୀ ମିଳିଛି। ଅଣକୃଷି ଉଦ୍ଦେଶ୍ୟରେ ଜମି କିସମ ପରିବର୍ତ୍ତନକୁ ବଜାର ମୂଲ୍ୟର ୧ ପ୍ରତିଶତ ଦେୟ ରହିଛି। କ୍ୟାବିନେଟ୍ ବୈଠକରେ ଖରିଫ ଋତୁ ୨୦୨୩-୨୪ ସିଜିନରେ ୭୯ ଲକ୍ଷ ମେଟ୍ରିକ ଧାନ ସଂଗ୍ରହ ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ଏହା ସହିତ ୫୪ ଲକ୍ଷ ମେଟ୍ରିକ ଟନ ଚାଉଳ ସଂଗ୍ରହ ଲକ୍ଷ୍ୟ ରଖାଯାଇଛି। ଧାର୍ଯ୍ୟ ଲକ୍ଷ୍ୟଠାରୁ ଅଧିକ ଧାନ ମଣ୍ଡିକୁ ଆସିଲେ ବି ସରକାର କ୍ରୟ କରିବେ।