ଯଯାତି କେଶରୀଙ୍କ ନାଁରେ ନାମିତ ହେବ ଯାଜପୁର ମେଡିକାଲ କଲେଜ ଓ ହସ୍ପିଟାଲ
ଯାଜପୁର ମେଡିକାଲ କଲେଜ ଏବଂ ଡାକ୍ତରଖାନାର ନାମ ଯଯାତି କେଶରୀଙ୍କ ନାମରେ ନାମିତ ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁମୋଦନ କରିଛନ୍ତି। ନିକଟରେ ୫ଟି ସଚିବଙ୍କ ଗସ୍ତ ସମୟରେ ଯାଜପୁରବାସୀ ମେଡିକାଲ କଲେଜକୁ ଯଯାତି କେଶରୀଙ୍କ ନାମରେ ନାମିତ କରିବାକୁ ଅନୁରୋଧ କରିଥିଲେ।
ଆସନ୍ତାବର୍ଷ ଶିକ୍ଷାବର୍ଷରୁ ମେଡିକାଲ କଲେଜ କାର୍ଯ୍ୟକ୍ଷମ ହେବାକୁ ଯାଉଛି । ଏନେଇ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ୫୨୬ କୋଟି ୨୧ ଲକ୍ଷ ଟଙ୍କା ବ୍ୟୟରେ ଯାଜପୁରରେ ମେଡିକାଲ କଲେଜ ଖୋଲିବାକୁ ଯାଉଛି । ୪୬ ଏକର ଯାଗାର ମେଡିକାଲର କ୍ୟାମ୍ପସ ରହିଛି । ରାଜ୍ୟ ସରକାର ନ୍ୟାସନାଲ ମେଡିକାଲ କମିଶନଙ୍କ ନିକଟରେ ଏଲଓପି ବା ଲେଟର ଅଫ ପରମିଶନ ପାଇଁ ଆବେଦନ କରିଛନ୍ତି । ଆସନ୍ତାଶିକ୍ଷା ବର୍ଷରୁ ୧୦୦ ଏମବିବିଏସ ସିଟ୍ରେ ନାମ ଲେଖା ହେବ । ଯାଜପୁରର ମେଡିକାଲ କଲେଜ କାର୍ୟ୍ୟକ୍ଷମ ହେଲେ ରାଜ୍ୟରେ ସରକାରୀ ମେଡିକାଲ କଲେଜ ଓ ହସ୍ପିଟାଲ ସଂଖ୍ୟା ୧୨ରେ ପହଞ୍ଚିବ ।