ଯୁବ ବିଜେଡି ସଭାପତି ହେବେ ବବିଙ୍କ ଲାଡ଼ଲା ପ୍ରକାଶ

0


ଭୁବନେଶ୍ୱର, ଓଡ଼ିଶା ଫାଷ୍ଟ(ବ୍ୟୁରୋ) (Exclusive): କିଛି ମାସର ବ୍ୟବଧାନ ପରେ ସାଧାରଣ ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି। ଏହା ପୂର୍ବରୁ ବିଜେଡି ନିଜର ଛାମୁଆ ସଙ୍ଗଠନରେ ବ୍ୟାପକ ପରିବର୍ତ୍ତନ କରିବାକୁ ଯାଉଛି। ବିଶେଷ କରି ଯୁବ ବିଜେଡିରେ ଏକ ବଡ଼ ଧରଣର ଅଦଳବଦଳ ନେଇ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ପ୍ରସ୍ତାବ ଦେଇଛନ୍ତି। ଏହି ପ୍ରସ୍ତାବ ଅନୁଯାୟୀ ପ୍ରଣବ ଓରଫ ବବିଙ୍କ ଲାଡ଼ଲା ପ୍ରକାଶ ମହାନ୍ତି ପରବର୍ତ୍ତୀ ବିଜେଡି ଯୁବ ସଭାପତି ହେବାର ଯଥେଷ୍ଟ ସମ୍ଭାବନା ରହିଛି। ସଞ୍ଜୟ ଦାସବର୍ମାଙ୍କ ପରେ ଏକଦା ବବି ଯୁବ ସଭାପତି ହେବାକୁ ଚାହୁଁଥିଲେ। ହେଲେ ସେ ହୋଇ ପାରି ନ ଥିଲେ। ପରବର୍ତ୍ତୀ ସମୟରେ ଦଳର ସାଙ୍ଗଠନିକ ସମ୍ପାଦକ ହୋଇଥିଲେ ବି ଯୁବ ସଭାପତି ପଦକୁ ନିଜ ଅକ୍ତିଆରରେ ରଖିବାକୁ ଚାହୁଁଛନ୍ତି।

ବବିଙ୍କ ନିକଟତର ଜଣେ ବିଧାୟକଙ୍କ କହିବାନୁଯାୟୀ, ସଞ୍ଜୟ ପରେ ଅମରେଶ ପତ୍ରୀଙ୍କୁ ଯୁବ ଦାୟିତ୍ୱ ଦିଆଯାଇଥିଲା। ଏହା ପରେ ବ୍ୟୋମକେଶ ରାୟ ଏହି ପଦରେ ରହିଥିଲେ। ମାତ୍ର ଏହି ଦୁଇ ଜଣ ନୟାଗଡ଼ ବିଧାୟକ ଅରୁଣ ସାହୁଙ୍କ ଏକାନ୍ତ ଅନୁଗତ ବୋଲି ବବିଙ୍କ ଏକ ଧାରଣା ରହିଛି। ତେଣୁ ବବି ନିଜର ଜଣେ ଅନୁଗତଙ୍କୁ ଯୁବ ସଭାପତି କରିବା ସପକ୍ଷରେ ରହିଛନ୍ତି। ହେଲେ ବ୍ୟୋମକେଶ ରାୟ, ପ୍ରଣବ ବଳବନ୍ତରାୟ, ଦେବୀ ତ୍ରିପାଠୀ, ରୁଦ୍ର ମହାରଥୀ, ଲତିକା ପ୍ରଧାନ, ଅମରେଶ ପତ୍ରୀ, ଚିନ୍ମୟ ସାହୁ, ଏଲିନା ଦାସ, ଇପ୍ସିତା ସାହୁ, ରାଜେଶ ରାଜ, ତନ୍ମୟ ସ୍ୱାଇଁ, ଶିଶିର ପରିଜାଙ୍କ ପରି ଟାଣୁଆ ଯୁବ ଚେହେରା ଥିଲେ ବି ପ୍ରକାଶଙ୍କୁ କାହିଁକି ବବି ଯୁବ ସଭାପତି କରିବାକୁ ଚାହୁଁଛନ୍ତି। ତାହା ବଡ଼ ପ୍ରଶ୍ନ ହେବାକୁ ଲାଗିଛି।

ବବିଙ୍କ ନିକଟତମ ମହଲର ସୂଚନା ଅନୁଯାୟୀ, ପ୍ରକାଶ ମହାନ୍ତି ବୟସରେ ସାନ । ମାତ୍ର ବବିଙ୍କ ନିକଟରେ ରହି ଆର୍ଥିକ ସ୍ୱଚ୍ଛଳ ହେବା ସହ ଲିଆସିନିଂ କରିପାରୁଛନ୍ତି। ବିଧାୟକମାନଙ୍କୁ ଧମକାଇବା ସହ ବୁଝାସୁଝା କରିପାରୁଛନ୍ତି । ବିଧାୟକ ଓ ବବିଙ୍କ ମଧ୍ୟରେ ସେତୁ ଭଳି କାର୍ଯ୍ୟ କରୁଛନ୍ତି। ବବିଙ୍କ ସହ କିଏ କଥା ହେବ। କିଏ କଥା ହେବ ନାହିଁ। କାହା ଫୋନ ଆସିଲେ ବବିଙ୍କୁ ଦିଆଯିବ, ତ ଆଉ କାହା ଫୋନ ଦିଆଯିବ ନାହିଁ, ସେ କଥା ପ୍ରକାଶ ସ୍ଥିର କରୁଛନ୍ତି। ପ୍ରକାଶଙ୍କ ଏଭଳି ଆଚରଣକୁ ବିଧାୟକ ମାନେ ଗ୍ରହଣ କରିସାରିଲେଣି । ପ୍ରଭାବଶାଳୀ ଅଫିସରଙ୍କ ଗସ୍ତ ପୂର୍ବରୁ ପ୍ରକାଶ ବୁଝାବୁଝି କଲେଣି।

ଯୁବ ଓ ଛାତ୍ରନେତା ମାନଙ୍କ ମଧ୍ୟରେ ଆଲୋଚନା ହେଉଛି କି ବୟସ କମ ହେଲେ କଣ ହେଲା ପ୍ରକାଶ ଏବେ ପୁରା ପୁରି ମ୍ୟାଚୋର ହୋଇଗଲେଣି ସେ ଏ ଦାୟିତ୍ୱ ତୁଳାଇ ପାରିବେ । ତେଣୁ ତାଙ୍କର ଏହି ସ୍ୱଭାବ ବର୍ତ୍ତମାନ ସମୟରେ ଯୁବ ସଭାପତି ପାଇଁ ପ୍ରଯୁଜ୍ୟ ହୋଇପାରିବ। ପ୍ରକାଶ ନିର୍ବାଚନ ଲଢିବେନି, ତେଣୁ ତାଙ୍କ ଟିକେଟ୍ ଚିନ୍ତା ନାହିଁ। ମାତ୍ର ଟିକେଟ୍ ଆଶାୟୀଙ୍କୁ ଲଗାମ ଲଗାଇବାରେ ପ୍ରକାଶ ପ୍ରମୁଖ ଭୂମିକା ଗ୍ରହଣ କରିବେ। ତେଣୁ ପ୍ରକାଶ ପରବର୍ତ୍ତୀ ଯୁବ ବିଜେଡି ସଭାପତି ଏକ ପ୍ରକାର ନିଶ୍ଚିତ ବୋଲି ଜଣାପଡିଛି। ମାତ୍ର ମୁଖ୍ୟମନ୍ତ୍ରୀ କିମ୍ବା ତାଙ୍କ ରାଜନୈତିକ ପରାମର୍ଶଦାତା ଏହି ନିଷ୍ପତ୍ତି ଉପରେ ରୋକ ଲଗାଇପାରନ୍ତି।

Leave a comment