୨୦୧୯ ନିର୍ବାଚନ ପୂର୍ବରୁ ଆଶାୟୀଙ୍କ ଥଇଥାନ ପ୍ରକ୍ରିୟା ଆରମ୍ଭ

ଓଡ଼ିଶା ଫାଷ୍ଟ(ଜିତେନ୍ଦ୍ର ମହାନ୍ତି): ଆଉ ଦିନ କେଇଟା ପରେ ସାଧାରଣ ନିର୍ବାଚନ । ୨୦୧୯ ପାଇଁ ବିଗୁଲ ବାଜିବ । ଓଡ଼ିଶାରେ ଏକ ସଙ୍ଗରେ ବିଧାନସଭା- ଲୋକସଭା ନିର୍ବାଚନ ହେବ । ବିଧାନସଭା ନିର୍ବାଚନ କୁ ନେଇ ସାଧାରଣରେ ଉତ୍ସାହ ରହିଛି । ବିଜେଡି ୨୦୦୦ ମସିହାରୁ ଶାସନରେ ଥିବାରୁ ଚାପରେ ରହିବା ସ୍ୱାଭାବିକ । ୧୪୭ ବିଧାନସଭା ଓ ୨୧ ଲୋକସଭା ଆସନ ପାଇଁ ଏକାଧିକ ଆଶାୟୀ ବିଜେଡି ରେ ଅଛନ୍ତି । ତେଣୁ ଟିକେଟ ବଣ୍ଟନ ଠିକ ଭାବରେ ନହେଲେ ବିଜେଡି ପାଇଁ ବିପଦ । ତେଣୁ ବିଧାୟକ ଆଶାୟୀ ଥିବା ନେତାମାନଙ୍କୁ ଥଇଥାନ ର ପର୍ବ ଆରମ୍ଭ ହୋଇ ସାରିଛି ।
ଭୁବନେଶ୍ୱରର ପୂର୍ବତନ ମେୟର ଅନନ୍ତ ନାରାୟଣ ଜେନା(ବୁନୁ)ଙ୍କୁ ବିଡିଏ ଅଧ୍ୟକ୍ଷ ପଦ ଦିଆଯାଇଛି । ସେ ଭୁବନେଶ୍ୱର ମଧ୍ୟମ ବା ଉତ୍ତର ବିଧାନସଭା ଆସନରୁ ଆଶାୟୀ ଥିବା ବିଶେଷ ସୂତ୍ରରୁ ପ୍ରକାଶ ପାଇଥିଲା । ତେଣୁ ଅନନ୍ତଙ୍କୁ ମନାଇବାକୁ ବିଡିଏ ଅଧ୍ୟକ୍ଷ ପରି ଗୁରୁତ୍ୱ ପୂର୍ଣ୍ଣ ପଦବୀ ତାଙ୍କୁ ଦିଆଯାଇଛି । ବୁନୁଙ୍କ ପରି ଅନେକ ଆଶାୟୀଙ୍କ ନାଁ ବର୍ତ୍ତମାନ ସମ୍ନାକୁ ଆସିଛି ସେମାନେ ହେଲେ ବାବୁ ସିଂହ, ଚିନ୍ମୟ ସାହୁ, ମନ୍ଦାକିନୀ କର, ବିଜୟ ନାୟକ, ମିହିର ମହାନ୍ତି, ରଣଜିତ ମହାପାତ୍ର, ସଂଗ୍ରାମ ପାଇକରାୟ, ଲୋପମୁଦ୍ରା ବକ୍ସିପାତ୍ର, ଅଶ୍ୱିନୀ ସାହୁ …. ଏହିପରି ଅନେକ ଆଶାୟୀଙ୍କ ଲମ୍ବା ଲାଇନ ଅଛି । ତେଣୁ ବୁନୁଙ୍କ ପରେ ଆଉ କାହା ପାଳି ପଡିବ ସେନେଇ ଚର୍ଚ୍ଚା ଆରମ୍ଭ ହୋଇଗଲାଣି । ବିଜୟ ନାୟକ ବହୁଦିନ ଧରି ରାଜ୍ୟ ସମ୍ପାଦକ ରହିଲେଣି ସେ ବରୀରୁ ଆଶାୟୀ ଅଛନ୍ତି । ବରୀରୁ ଦେବାଶିଷ ନାୟକ ହେଉଛନ୍ତି ପୁରୁଣା ନେତା ସେହିପରି ବରୀରୁ ଆଉ ଦୁଇ ଆଶାୟୀ ହେଲେ ସୁଲତା ଦେଓ ଓ ସୁଲୋଚନା ଦାସ ସେମାନେ ଭଲ କାମ କରୁଛନ୍ତି । ବିଜୟ, ଦେବାଶିଷ, ସୁଲତା ଓ ସୁଲୋଚନାଙ୍କ ମଧ୍ୟରୁ ଜଣକୁ ଟିକେଟ ମିଳିବ । ତେବେ ଅନ୍ୟ ମାନଙ୍କୁ କିପରି ଥଇଥାନ କରାଯିବ ଏହି ପରି ଅନେକ ପ୍ରଶ୍ନ ରାଜନୈତିକ ମହଲରେ ଚର୍ଚ୍ଚାର ବିଷୟ ପାଲଟିଛି ।