ପାଣି ପଞ୍ଚାୟତ ନାଁରେ ବିପୁଳ ଅର୍ଥ ହେରଫେର କରିଛନ୍ତି ରାଜ୍ୟ ସରକାର: ବିଜେପି
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ରାଜ୍ୟ ଜଳସେଚନ ବିଭାଗ ଅଧୀନରେ ଥିବା ପାଣି ପଞ୍ଚାୟତ କ୍ଷେତ୍ରରେ ବ୍ୟାପକ ଅନିୟମିତତା ଓ ଦୁର୍ନୀତି ହୋଇଥିବା ଅଭିଯୋଗ କରିଛି ଭାଜପା । ଭାଜପା ରାଜ୍ୟ କାର୍ଯ୍ୟାଳୟଠାରେ ଗୁରୁବାର ଆୟୋଜିତ ଏକ ଖବରଦାତା ସମ୍ମିଳନୀରେ ବରିଷ୍ଠ ନେତା ବିଶ୍ୱଭୂଷଣ ହରିଚନ୍ଦନ କହିଛନ୍ତି, ରାଜ୍ୟ ସରକାର ସବୁବେଳେସ୍ବଚ୍ଛ ଶାସନର ଡିଣ୍ଡିମ ପିଟୁଛନ୍ତି । କିନ୍ତୁ ପାଣି ପଞ୍ଚାୟତ ଆଇନକୁ ରାଜ୍ୟ ସରକାର ବେଖାତିର କରିଥିବା ବେଳେ ଏ କ୍ଷେତ୍ରରେ ବିପୁଳ ଅର୍ଥ ହେରଫେର କରିଛନ୍ତି । ପାଣି ପଞ୍ଚାୟତ ଗୁଡିକରେ ପ୍ରତି ୬ବର୍ଷରେ ଥରେ ନିର୍ବାଚନ ହୋଇଥାଏ । ହେଲେ ୨୦୦୮ ପରଠାରୁ ୨୧,୩୬୬ ପାଣି ପଞ୍ଚାୟତର ନିର୍ବାଚନ ହୋଇନାହିଁ । ନିର୍ବାଚନ ହୋଇ ନ ଥିବା ବେଳେ ପାଣି ପଞ୍ଚାୟତଗୁଡ଼ିକ କାର୍ଯ୍ୟ କରି ଖର୍ଚ୍ଚ କରିଥିବା ଉଲ୍ଲେଖ କରିଛନ୍ତି । ଏଭଳି ଏକ ବେନିୟମ, ଆଇନ ବିରୋଧୀ ଓ ଅର୍ଥ ତୋଷାରପାତର ଘଟଣାକୁ ଚାପି ଦେବା ଲାଗି ରାଜ୍ୟ ସରକାର ଉଦ୍ୟମ କରୁଛନ୍ତି ବୋଲି ବିଶ୍ୱଭୂଷଣ କହିଛନ୍ତି ।