ବିମାନ ଭିତରେ ଚାଲିଲାନି ଏସି, ଝାଳ ପୋଛିବାକୁ ଟିସୁ ପେପର ଦେଲେ ଏୟାରହୋଷ୍ଟେସ; ଦେଖନ୍ତୁ ଭିଡିଓ

0

ପଞ୍ଜାବ କଂଗ୍ରେସ କମିଟିର ଅଧ୍ୟକ୍ଷ ଅମରିନ୍ଦର ସିଂହ ରାଜା ଇଣ୍ଡିଗୋ ଫ୍ଳାଇଟରେ ଏକ ଅଦ୍ଭୁତ ଘଟଣାର ଭିଡିଓ ସେୟାର କରିଛନ୍ତି। ସେ କହିଛନ୍ତି, ଚଣ୍ଡୀଗଡରୁ ଜୟପୁରର ୯୦ ମିନିଟ୍‌ର ଉଡାଣ ବେଳେ ବିମାନରେ ଏସି କାମ କରୁନଥିଲା। ଏଭଳି ସ୍ଥିତିରେ ଜଣେ ଏୟାରହୋଷ୍ଟେସ ଲୋକଙ୍କୁ ଝାଳ ପୋଛିବାକୁ ଟିସୁ ପେପରରେ ଦେଉଥିବାର ଦେଖିବାକୁ ମିଳିଥିଲା। ସେ ଇଣ୍ଡିଗୋ 6E7261 ରେ ଯାତ୍ରା କରୁଥିଲେ।

ରାଜା ବିମାନ ବନ୍ଦର ଭିତରର ଭିଡିଓ ସେୟାର କରିଛନ୍ତି, ଯେଉଁଥିରେ ଲୋକମାନେ ହାତରେ ମାଗାଜିନ କିମ୍ବା ଟିସୁ ପେପରରେ ପଙ୍ଖା କରୁଥିବାର ନଜର ଆସିଥିଲେ। ସେ ଲେଖିଛନ୍ତି,ଯେତେବେଳେ ପ୍ରବଳ ଗରମରେ ୧୦-୧୫ ମିନିଟ୍ ଲମ୍ବା ଲାଇନ୍‌ରେ ଠିଆ ହେବାପରେ ବିମାନ ଭିତରେ ଜଣାପଡିଲା ଏସି କାମ କରୁନି। ଆମକୁ ଝଟକା ଲାଗିଥିଲା। ଟେକଅଫ୍‌ରୁ ଲ୍ୟାଣ୍ଡିଂ ପର୍ଯ୍ୟନ୍ତ ଏସି ବନ୍ଦ ଥିଲା ଓ ପୁରା ଯାତ୍ରାରେ ଅନେକ ସମସ୍ୟାର ସମ୍ମୁଖୀନ ହୋଇଥିଲୁ। କେହି ଏନେଇ ଗମ୍ଭୀରତାର ସହ ପ୍ରଶ୍ନ ଉଠାଇନଥିଲେ।

ସେ କହିଛନ୍ତି, ଏୟାରହୋଷ୍ଟେସ ଜଣକ ଲୋକଙ୍କୁ ଝାଳ ପୋଛିବାକୁ ଟିସୁ ପେପର ଦେଇଥିଲେ। ଅନେକ ମହିଳା ଓ ଛୋଟପିଲା ଖୁବ୍ ସମସ୍ୟାର ସମ୍ମୁଖୀନ ହୋଇଥିଲେ। ଏହା ଏକ ବଡ ଟେକ୍ନିକାଲ ସମସ୍ୟା ଥିଲା, କିନ୍ତୁ ଏମାନଙ୍କୁ କେବଳ ଟଙ୍କା ରୋଜଗାର କରିବାର ଇଛା। ଏଥିପାଇଁ ଲୋକଙ୍କ ସ୍ବାସ୍ଥ୍ୟ ସହ ଖେଳୁଛନ୍ତି। ସେ ଡିଜିସିଏକୁ ଏୟାରଲାଇନ୍ସ କମ୍ପାନୀ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି, ଯାହାଫଳରେ ଆଗକୁ ଆଉ କାହାକୁ ସମସ୍ୟା ନହେବ।

ଉଲ୍ଲେଖନୀୟ ଯେ, ଦିନକ ଭିତରେ ଇଣ୍ଡିଗୋରେ ଏହା ତୃତୀୟ ବଡ ଟେକ୍ନିକାଲ ସମସ୍ୟା ଦେଖିବାକୁ ମିଳିଥିଲା। ସେଭଳି ପାଟନାରୁ ଦିଲ୍ଲୀ ଅଭିମୁଖେ ଉଡାଣ ଭରିଥିବା ବିମାନକୁ ପାଟନା ଏୟାରପୋର୍ଟରେ ଏମର୍ଜେନ୍ସି ଲ୍ୟାଣ୍ଡିଂ କରିବାକୁ ପଡିଥିଲା। କୁହାଯାଇଛି ଯେ ଏହାର ଏକ ଇଞ୍ଜିନ ଖରାପ ହୋଇଯାଇଥିଲା। ତେବେ ବିମାନକୁ ସୁରକ୍ଷିତ ଲ୍ୟାଣ୍ଡିଂ କରାଯାଇଥିଲା। ସେଭଳି ରାଞ୍ଚିରୁ ଦିଲ୍ଲୀ ଯାଉଥିବା ବିମାନର ଏକ ଘଣ୍ଟା ଭିତରେ ଏୟାରପୋର୍ଟକୁ ଫେରିଥିଲା। ଏଥିରେ ଖରାପ ଥିବାର ଅଭିଯୋଗ ସାମନାକୁ ଆସିଥିଲା।

Leave a comment