ଟମାଟୋ ପରେ କନ୍ଦାଇବ ପିଆଜ

0

ଇତିମଧ୍ୟରେ ଭାରତୀୟଙ୍କ କିଚେନ୍‌ ବଜେଟ୍‌ ବଢ଼ିଯାଇଛି । ସରକାରୀ ଆକଳନ ଅନୁସାରେ, ବର୍ଷକରେ ଡାଲି, ଚାଉଳ ଏବଂ ଅଟା ୩୦% ପର୍ଯ୍ୟନ୍ତ ମହଙ୍ଗା ହୋଇଛି । ଏସବୁ ମଧ୍ୟରେ ଦେଶର ଅନେକ ପ୍ରାନ୍ତରେ କିଲୋ ପିଛା ଟମାଟୋ ୨୫୦ ଟଙ୍କା ପାର୍‌ କରିଗଲାଣି । ଯଦିଓ ଆଳୁ ଦର କିଛି ମାତ୍ରାରେ ଖସିଛି, ଆସନ୍ତା ମାସ ପିଆଜ ମହଙ୍ଗା ହେବା ଆରମ୍ଭ ହୋଇପାରେ ବୋଲି ଆଶଙ୍କା କରାଯାଉଛି । ଏହାର ଦର ଦୁଇଗୁଣା ହୋଇପାରେ ବୋଲି ଅନୁମାନ କରିଛି କ୍ରିସିଲ ।

କ୍ରିସିଲ ଅନୁସାରେ, ଯୋଗାଣ କମିବା ଯୋଗୁ ସେପ୍ଟେମ୍ବର ଆରମ୍ଭରେ କିଲୋ ପିଛା ପିଆଜ ଦର ୬୦ରୁ ୭୦ ଟଙ୍କା ପର୍ଯ୍ୟନ୍ତ ଯାଇପାରେ । ଏବେ ଏହା କିଲୋ ପିଛା ୩୦ ଟଙ୍କା ପର୍ଯ୍ୟନ୍ତ ଦରରେ ବିକ୍ରି ହେଉଛି । କ୍ରିସିଲ ଅନୁସାରେ, ଫେବ୍ରୁଆରୀରେ ମହାରାଷ୍ଟ୍ର ଭଳି ପ୍ରମୁଖ ଉତ୍ପାଦକ ରାଜ୍ୟଗୁଡ଼ିକରେ ରବି ଫସଲ ଶୀଘ୍ର ଅମଳ ହୋଇଥିଲା । ମାର୍ଚ୍ଚରେ ଏସବୁ ସ୍ଥାନରେ ଅତ୍ୟଧିକ ବର୍ଷା ଯୋଗୁ ପିଆଜର ସେଲ୍‌ଫ ଲାଇଫ୍‌ ୬ ମାସରୁ କମି ୪ରୁ ୫ ମାସ ରହିଯାଇଛି।

ସଂସଦରେ ଏକ ପ୍ରଶ୍ନର ଉତ୍ତରରେ ଉପଭୋକ୍ତା ବ୍ୟାପାର ମନ୍ତ୍ରାଳୟ ସୂଚନା ଦେଇଛି ଯେ, ଆଳୁକୁ ଛାଡ଼ି ଅଧିକାଂଶ ଖାଦ୍ୟ ସାମଗ୍ରୀ ମହଙ୍ଗା ହୋଇଛି । ହରଡ଼, ମୁଗ ଡାଲି, ଚାଉଳ, କ୍ଷୀର, ବାଦାମ ତେଲ ଏବଂ ଅଟା ସବୁ କିଛି ଚଢ଼ା ଦରରେ ବିକ୍ରି ହେଉଛି । ବର୍ଷକରେ ଆଳୁ ୧୨% ଶସ୍ତା ହୋଇଛି କିନ୍ତୁ ପିଆଜ ୫% ମହଙ୍ଗା ହୋଇଛି । କିଚେନ ବଜେଟ ବିଗାଡିବାରେ ଟମାଟୋ ବଡ଼ ଭୂମିକା ନେଇଛି । ଏ କ୍ଷେତ୍ରରେ ହରଡ଼ ଡାଲି ମଧ୍ୟ କିଛି କମ୍‌ ନାହିଁ । ଜୁଲାଇ ୩୧ ସୁଦ୍ଧା ବର୍ଷକ ମଧ୍ୟରେ ଏହା ୩୦% ମହଙ୍ଗା ହୋଇଛି । ଉପଭୋକ୍ତା ବ୍ୟାପାର ମନ୍ତ୍ରାଳୟ ପ୍ରକାଶ କରିଛି ଯେ, ହରଡ଼ ଡାଲି ଦର ବଢ଼ିବାର ମୁଖ୍ୟ କାରଣ ହେଉଛି ଘରୋଇ ଉତ୍ପାଦନ ହ୍ରାସ ।

Leave a comment