କମିବ ବିଧାନସଭା ନିର୍ବାଚନ ଲଢିବାର ବୟସ ସୀମା !
ବିଧାନସଭା ନିର୍ବାଚନ ଲଢିବା ନେଇ ଥିବା ବୟସ ସୀମା ଉପରେ ବଡ ଖବର ଆସିଛି । ଏକ ସଂସଦୀୟ କମିଟି ଶୁକ୍ରବାର ଦିନ ବିଧାନସଭା ନିର୍ବାଚନ ଲଢିବା ପାଇଁ ଥିବା ସର୍ବନିମ୍ନ ବୟସ ସୀମାର ପରିବର୍ତ୍ତନ ପାଇଁ ସୁପାରିଶ କରିଛନ୍ତି । ସଂସଦୀୟ କମିଟି ମୁତାବକ ବିଧାନସଭା ନିର୍ବାଚନ ଲଢିବା ପାଇଁ ସର୍ବନିମ୍ନ ବୟସ ୨୫ ବର୍ଷରୁ କମ କରି ୧୮ ବର୍ଷ କରାଯାଇପାରେ ।
ଏନେଇ ସଂସଦୀୟ କମିଟି ଯୁକ୍ତି ବାଢିଛି କି, ଏଥିରେ ନୀତି ବିତର୍କର ଦୃଷ୍ଟିକୋଣ ବୃଦ୍ଧି ପାଇବା ସଂଗେ ରାଜନୈତିକ ପ୍ରକ୍ରିୟା ଉପରେ ବିଶ୍ୱାସ ସୃଷ୍ଟି ହେବ ।
ଏକ ଜାତୀୟ ଗଣମାଧ୍ୟମ ମୁତାବକ ବିଜେପି ସାଂସଦ ସୁଶୀଲ କୁମାର ମୋଦୀଙ୍କ ଅଧ୍ୟକ୍ଷତାରେ ରାଜ୍ୟସଭାର କାର୍ମିକ, ଲୋକ ଅଭିଯୋଗ, ଆଇନ ଓ ନ୍ୟାୟ ସଂକ୍ରାନ୍ତ ସଂସଦୀୟ ସ୍ଥାୟୀ କମିଟି ନିର୍ବାଚନ ପ୍ରକ୍ରିୟ ଦିଗ ଏବଂ ତାହାର ସଂସ୍କାର ଉପରେ ରିପୋର୍ଟ ଉପସ୍ଥାପନ କରିଛନ୍ତି । ଏହି ଆଭିମୁଖ୍ୟ ଯୁବବର୍ଗଙ୍କ ମଧ୍ୟରେ ବଢୁଥିବା ରାଜନୈତିକ ଚେତନା ଏବଂ ଯୁବ ପ୍ରତିନିଧିତ୍ୱର ଲାଭ, ବୈଶ୍ୱ÷କ ଧାରାର ଏକ ବିସ୍ତୃତ ବିବରଣୀ ଉପରେ ଅଧାରିତ ।
ରିପୋର୍ଟରେ ଆହୁରି ମଧ୍ୟ କୁହାଯାଇଛି ଯେ, ଅତୀତରେ ରାଜନୈତିକ ଦଳମାନେ ସର୍ବସାଧାରଣ ପଦବୀ ପାଇଁ ଅଭିଜ୍ଞ ପ୍ରାର୍ଥୀଙ୍କୁ ଅଗ୍ରାଧୀକାର ଦେଉଥିଲେ । ଅଭିଜ୍ଞତା ଅଭାବରୁ ଯୁବ ପ୍ରାର୍ଥୀଙ୍କୁ ପ୍ରତ୍ୟାଖ୍ୟାନ କରାଯାଉଥିଲା । କମିଟି କହିଛି ଏହି ବିଶ୍ୱାସରୁ ଜଣାପଡୁଛି ଯେ ରାଜନୈତିକ ସମ୍ଭାବନା ବୟସ ସହିତ ଆସିଥାଏ । ଯାହାକୁ ପ୍ଲାଟୋ ପ୍ରାୟ ଦୁଇ ହଜାର ବର୍ଷ ପୂର୍ବେ ଯୁକ୍ତି କରିଥିଲେ ।
କମିଟି କହିଛି ଏହା ଚିନ୍ତାଜନକ ଯେ ପିଆରଏସ ଲେଜିସଲେଟିଭ ରିସର୍ଚ୍ଚ ମୁତାବକ ୨୦୧୯ରେ ୪୭ ପ୍ରତିଶତ ସାଂସଦ ୫୫ ବର୍ଷରୁ ଅଧିକ ବୟସ୍କ ଥିଲେ । ଭାରତର ହାରାହାରି ବୟସ ୨୭.୯ ବର୍ଷ ଥିଲା । ତେବେ ସର୍ବନିମ୍ନ ବୟସ ପରିବର୍ତ୍ତନର ଆବଶ୍ୟକତାକୁ ନେଇ ନିର୍ବାଚନ କମିଶନ ରାଜି ହୋଇନଥିଲେ । ଏହି କମିଟିକୁ ଦିଆଯାଇଥିବା ସୂଚନାରେ ନିର୍ବାଚନ କମିଶନ କହିଛନ୍ତି ଯେ, ସେମାନେ ଏହି ପ୍ରସଙ୍ଗକୁ ବିଚାର କରିଛନ୍ତି ଏବଂ ୧୮ବର୍ଷ ବୟସ୍କଙ୍କ ପାଖରେ ଏହି ଦାୟିତ୍ୱ ପାଇଁ ଆବଶ୍ୟକ ଅଭିଜ୍ଞତା ଏବଂ ପରିପକ୍ୱତା ରହିବ ବୋଲି ଆଶା କରିବା ଅବାସ୍ତବ ମନେ କରୁଛି । କମିଟି କହିଛି କି ସର୍ବେକ୍ଷଣରୁ ଜଣାପଡିଛି ଯେ ବିଶ୍ୱବ୍ୟାପୀ ଯୁବବର୍ଗଙ୍କ ମଧ୍ୟରେ ରାଜନୀତି ବିଷୟରେ ବହୁତ ସଚେତନତା ଏବଂ ଆବଶ୍ୟକ ଜ୍ଞାନ ରହିଛି ।