ବାହାନଗା ଟ୍ରେନ ଦୁର୍ଘଟଣା; ୩ ରେଳ କର୍ମଚାରୀଙ୍କୁ ଗିରଫ କଲା ସିବିଆଇ

ବାହାନଗା ଟ୍ରେନ ଦୁର୍ଘଟଣା । ୩ ଜଣ ରେଳ କର୍ମଚାରୀଙ୍କୁ ଗିରଫ କଲା ସିବିଆଇ । ୨ ସେକ୍ସନ ଇଞ୍ଜିନିୟର ଅରୁଣ କୁମାର ମହାନ୍ତ, ମହମ୍ମଦ ଅମିର ଖାନ୍ ଓ ଟେକ୍ନିସିଆନ ପପୁ କୁମାର ଗିରଫ । ସିଆରପିସି ୩୦୪ ଓ ୨୦୧ ଧାରାରେ ଏହି ୩ ଜଣଙ୍କୁ ଗିରଫ କରିଛି ସିବିଆଇ । ଗିରଫ କରିବା ପରେ ସମ୍ପୃକ୍ତ ଅଭିଯୁକ୍ତଙ୍କୁ ମାମଲା ସମ୍ପର୍କରେ ପଚରାଉଚରା କରିବା ସହ ସତ୍ୟତା ଖୋଜିବାକୁ ଚେଷ୍ଟା ଜାରି ରଖିଛି ତଦନ୍ତକାରୀ ଟିମ୍ । ତେବେ ଏହି ୩ ଜଣଙ୍କ ବିରୋଧରେ କିଛି ସୁରାଗ ପାଇବା ପରେ ସିବିଆଇ ଧାରା ୩୦୪ ଏବଂ ୨୦୧ ସିଆରପିସି ଅନୁସାରେ ଏମାନଙ୍କୁ ଗିରଫ କରିଛି । କିନ୍ତୁ ଗିରଫ ନେଇ ତଦନ୍ତକାରୀ ଟିମ୍ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳି ପାରିନାହିଁ ।
ସୂଚନା ଥାଉ କି ଗତ ଜୁନ୍ ୨ ତାରିଖରେ ବାଲେଶ୍ୱର ବାହାନଗା ରେଳ ଷ୍ଟେସନ ନିକଟରେ ଏକ ଭୟଙ୍କର ରେଳ ଦୁର୍ଘଟଣା ଘଟିଯାଇଥିଲା । ଗୋଟିଏ ସ୍ଥାନରେ ୩ଟି ଟ୍ରେନ ମଧ୍ୟରେ ଧକ୍କା ହେବାରୁ ଘଟଣାସ୍ଥଳରେ ୨୮୮ ଜଣ ଯାତ୍ରୀ ପ୍ରାଣ ହରାଇଥିଲେ ଏବଂ ୧୨୦୦ରୁ ଅଧିକ ଯାତ୍ରୀ ଗୁରୁତର ଆହତ ହୋଇଥିଲେ । ଏହାପରେ ମେଡିକାଲରେ ଚିକିତ୍ସିତ ଅବସ୍ଥାରେ ୫ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଏବେ ପର୍ଯ୍ୟନ୍ତ ମୋଟ ମୃତ୍ୟୁ ସଂଖ୍ୟା ୨୯୩ରେ ପହଞ୍ଚିଛି । ସେପଟେ ପ୍ରାୟ ୮୧ ଜଣ ମୃତକଙ୍କର ଶବ ଚିହ୍ନଟ ହେବା ସମ୍ଭବ ହୋଇନାହିଁ ।