ହିନ୍ଦୁଧର୍ମରେ ସ୍ନାନର କ’ଣ ରହିଛି ମହତ୍ୱ ? କେଉଁ ସ୍ନାନ କଲେ କିଭଳି ଫଳ ମିଳେ ?

ହିନ୍ଦୁ ମାନ୍ୟତା ଅନୁସାରେ ସ୍ନାନ ର ଅନେକ ମହତ୍ୱ ରହିଛି l ମାନ୍ୟତା ରହିଛି ଯେ ସ୍ନାନ ବିନା କୌଣସି କାର୍ଯ୍ୟରେ ସିଦ୍ଧି ଲାଭ ହୋଇ ନଥାଏ l ଏହି ସ୍ନାନକୁ ନେଇ ଧର୍ମ ଶାସ୍ତ୍ରରେ ବିଶେଷ ବିଧି ରହିଛି l ଏହାଛଡା ସ୍ନାନ ର ୪ ପ୍ରକାର ବର୍ଣ୍ଣନା ମଧ୍ୟ ଧର୍ମ ଗ୍ରନ୍ଥରେ ରହିଛି l ସ୍ନାନ ଦ୍ୱାରା ମନୁଷ୍ୟର ଶରୀର ଓ ଆତ୍ମା ର ଶୁଦ୍ଧି ହୋଇଥାଏ ବୋଲି କୁହାଯାଇଛି l ଆଜି ଆସନ୍ତୁ ଜାଣିବା କେଉଁ ସ୍ନାନର କଣ ମହତ୍ୱ ରହିଛି ଓ କେଉଁ ସ୍ନାନ ଶ୍ରେଷ୍ଠ ସ୍ନାନ ଅଟେ l
ବ୍ରହ୍ମ ସ୍ନାନ –
ବ୍ରହ୍ମ ସ୍ନାନ ପ୍ରାତଃ କାଳର ୪ଟା ରୁ ୫ଟା ମଧ୍ୟରେ କରାଯାଇ ଥାଏ, ଏହାକୁ ମୁନୀ ସ୍ନାନ ଓ ରୁଷି ସ୍ନାନ ମଧ୍ୟ କୁହାଯାଇ ଥାଏ l ଅର୍ଥାତ ସୂର୍ଯ୍ୟ ଉଦୟ ପୂର୍ବରୁ ସ୍ନାନ କରାଯାଇ ଥାଏ l ଶାସ୍ତ୍ର ଅନୁସାରେ ବ୍ରହ୍ମ ସ୍ନାନ କରିବା ଦ୍ୱାରା ବଳ , ବୁଦ୍ଧି , ବିବେକ, ସୌନ୍ଦର୍ଯ୍ୟ ଓ ସ୍ୱାସ୍ଥ୍ୟ ରେ ଉନ୍ନତି ହୋଇଥାଏ l ଏହା ଶରୀର କୁ ଶକ୍ତି ଯୋଗାଇ ଥାଏ l
ଦେବ ସ୍ନାନ –
ସୂର୍ଯ୍ୟ ଉଦୟ ପୂର୍ବରୁ ବା ସୂର୍ଯ୍ୟ ଉଦୟ ସମୟରେ ୫ଟାରୁ ୬ଟା ମଧ୍ୟରେ ପବିତ୍ର ନଦୀରେ କରାଯାଉଥିବା ସ୍ନାନ କିମ୍ବା ପବିତ୍ର ନଦୀ କୁ ସ୍ମରଣ କରି କରାଯାଉଥିବା ସ୍ନାନ କୁ ଦେବ ସ୍ନାନ କୁହାଯାଏ l ମାନ୍ୟତା ଅନୁସାରେ ଦେବ ସ୍ନାନ ଜୀବନ ରେ ଯଶଃ, କୀର୍ତି, ଧନ, ବୈଭବ ଓ ସୁଖ ଶାନ୍ତି ଆଣିଥାଏ l
ମାନବ ସ୍ନାନ –
ଯେଉଁ ସ୍ନାନ ସକାଳ ୬ଟାରୁ ୮ଟା ମଧ୍ୟରେ କରାଯାଏ ତାହାକୁ ମାନବ ସ୍ନାନ କୁହାଯାଇ ଥାଏ l ଯାହାକୁ ସାଧାରଣ ଭାବରେ ପ୍ରାୟ ସମସ୍ତେ କରିଥାଆନ୍ତି l ମାନବ ସ୍ନାନ ଦ୍ୱାରା ମନରେ ଓ ଜୀବନ ରେ ସକାରାତ୍ମକ ଭାବନା ଭରି ରହିଥାଏ l ଦୈନିକ କାର୍ଯ୍ୟ କରିବାରେ ଇଛାଶକ୍ତି ବୃଦ୍ଧି ପାଇଥାଏ l
ରାକ୍ଷସୀ ସ୍ନାନ –
ସକାଳୁ ଅଗାଧୁଆ ଭାବରେ ଭୋଜନ ପରେ ଯେଉଁ ସ୍ନାନ କରାଯାଏ ତାହାକୁ ରାକ୍ଷସୀ ସ୍ନାନ କୁହାଯାଏ l ଧର୍ମ ଶାସ୍ତ୍ର ଅନୁସାରେ ରାକ୍ଷସୀ ସ୍ନାନ ଦ୍ୱାରା ବ୍ୟକ୍ତି ଜୀବନ ରେ ଦରିଦ୍ରତା ବାସ କରିଥାଏ l ଧନ ହାନି ହେବ ସହିତ କ୍ଳେଶ ଓ ଦୁଃଖ ବୃଦ୍ଧି ହୋଇଥାଏ l