ମହିଳାଙ୍କୁ ସ୍ୱାବଲମ୍ବୀ କରିଛି ମିଶନ ଶକ୍ତି ଯୋଜନା: ମୁଖ୍ୟମନ୍ତ୍ରୀ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଶନିବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯାଜପୁର ଜିଲ୍ଲା ଚଣ୍ଡିଖୋଲ ନିକଟବର୍ତ୍ତୀ ବଡ଼ଚଣାର ସୁଙ୍ଗୁଡ଼ା ଖେଳ ପଡ଼ିଆରେ ଅନୁଷ୍ଠିତ ଏକ ସାଧାରଣ ସଭାରେ ଯୋଗଦେଇଥିଲେ । ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ, କାଳିଆ ଯୋଜନାରେ ଚାଷୀ, ଭାଗ ଚାଷୀ, ଭୂମିହୀନ ଏବଂ ସାଧାରଣ କୃଷକ ମଧ୍ୟ ସାମିଲ ହୋଇଛନ୍ତି । ଚାଷୀଙ୍କର ମାନଦଣ୍ଡ ବୃଦ୍ଧି କରିବାରେ କାଳିଆ ଯୋଜନା ସହାୟକ ହୋଇଛି । ଏପ୍ରିଲ୍ ୨ ତାରିଖରେ ‘କାଳିଆ ଯୋଜନା’ର ଦ୍ୱିତୀୟ କିସ୍ତି ଟଙ୍କା ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ କହିବା ସହ ଆଗକୁ ଏହାଦ୍ୱାରା ୧୦ଲକ୍ଷ ଚାଷୀ ଉପକୃତ ହେବେ ବୋଲି ମଧ୍ୟ କହିଛନ୍ତି । ସେହିଭଳି ମିଶନ ଶକ୍ତି ମାଧ୍ୟମରେ ମହିଳାମାନଙ୍କୁ ରୋଜଗାରକ୍ଷମ କରାଯାଇପାରିଛି । ବିନା ସୁଧରେ ସେମାନଙ୍କୁ ଋଣ ଯୋଗାଇ ଦିଆଯାଉଛି । ଏହାଦ୍ୱାରା ସମସ୍ତ ମହିଳା ରୋଜଗାର କ୍ଷମ ହେଉଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ତାଙ୍କ ବକ୍ତବ୍ୟରେ କହିଥିଲେ । ଯାଜପୁର ଜିଲାପାଳ ରଞ୍ଜନ କୁମାର ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସଭାରେ ଉଚ୍ଚ ଶିକ୍ଷାମନ୍ତ୍ରୀ ଅନନ୍ତ ନାରାୟଣ ଦାସ, ସରକାରୀ ମୁଖ୍ୟ ସଚେତକ ଅମର ପ୍ରସାଦ ଶତପଥୀ, ସଂସ୍କୃତି ମନ୍ତ୍ରୀ ଅଶୋକ ପଣ୍ଡା, ଏମ୍‌ପି ରୀତା ତରାଇ, ବିଧାୟକ ଆକାଶ ଦାସ ନାୟକ, ଦେବାଶିଷ ନାୟକ, ପ୍ରୀତିରଞ୍ଜନ ଘଡେଇ, ପ୍ରଣବ ବଳବନ୍ତ ରାୟ ପ୍ରମୁଖ ଯୋଗ ଦେଇଥିଲେ ।

Leave a comment