କଣ୍ଠଶିଳ୍ପୀ ସୌରିନ୍ ଭଟ୍ଟଙ୍କୁ ଗିରଫ କରିବାକୁ କମିଶନରେଟ୍ ପୋଲିସର ୫ ଜଣିଆ ଟିମ୍ ଗଲା ରାଜ୍ୟ ବାହାରକୁ
ଲୋକପ୍ରିୟ କଣ୍ଠଶିଳ୍ପୀ ସୌରିନ୍ ଭଟ୍ଟଙ୍କ ନାମରେ ପ୍ରେମ, ପ୍ରତାରଣା ଓ ଠକେଇ ଅଭିଯୋଗ ମାମଲା। ରାଜ୍ୟ ବାହାରକୁ ଗଲା କମିଶନରେଟ୍ ପୋଲିସ। ସୌରିନ ଭଟ୍ଟଙ୍କୁ ଗିରଫ କରିବା ପାଇଁ କମିଶନରେଟ୍ ପୋଲିସର ୫ ଜଣିଆ ଟିମ୍ ରାଜ୍ୟ ବାହାରକୁ ଯାଇଛି।
ପ୍ରକାଶ ଥାଉକି, ଗତ ୧୨ ତାରିଖରେ କଟକର ଜଣେ ଯୁବତୀ ମହିଳା ଥାନାକୁ ଆସି କଣ୍ଠଶିଳ୍ପୀ ସୌରିନ୍ ଭଟ୍ଟଙ୍କ ବିରୋଧରେ ସଂଗୀନ ଅଭିଯୋଗ କରିଥିଲେ । ବିବାହର ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ ରଖିଥିବା ସେ ଅଭିଯୋଗ କରିଥିଲେ । ସୌରିନ୍ ବିବାହିତ ବୋଲି ଯୁବତୀ ଜାଣିବା ପରେ ସମ୍ପର୍କ ତୁଟାଇ ତାଙ୍କଠାରୁ ଦୂରେଇବାକୁ ଲାଗିଲେ । ମାତ୍ର, କିଛି ପୁରୁଣା ଫଟୋ ଓ ଭିଡିଓକୁ ଦେଖାଇ ସୌରିନ୍ ପରେ ଜବରଦସ୍ତ ବଳାତ୍କାର କରିବାକୁ ଲାଗିଲେ । ଏଭଳି ସ୍ଥିତିରେ ଯୁବତୀ ବାଧ୍ୟ ହୋଇ ଥାନାରେ ଅଭିଯୋଗ କଲେ । ପୁଲିସ ମାମଲା ରୁଜୁ କରିଥିଲା ।
ଏହାପରେ ପୀଡ଼ିତାଙ୍କୁ ଏସ୍ସିବି ନିଆଯାଇ ଡାକ୍ତରୀ ମାଇନା କରାଯାଇଥିଲା । ପରେ କୋର୍ଟରେ ସିଆର୍ପିସିର ଧାରା ୧୬୪ରେ ବୟାନ ମଧ୍ୟ ରେକର୍ଡ କରାଯାଇଥିଲା । କୋର୍ଟରେ ସେ ନିଜର ଅଭିଯୋଗକୁ ଦୋହରାଇ ଥିଲେ । ଅନ୍ୟପଟେ ସୌରିନ୍ ତାଙ୍କୁ କେଉଁଠାକୁ ନେଇ ଶାରୀରିକ ସମ୍ପର୍କ ରଖିଥିଲେ ଓ ପରେ ବଳାତ୍କାର ବି କରିଥିଲେ ତାହାର ସବୁ ରେକର୍ଡ ପୁଲିସ ଯାଞ୍ଚ କରୁଛି । କିଛି ଟଙ୍କା ନେଣଦେଣ ନେଇ ଯୁବତୀ ଅଭିଯୋଗ କରିଥିବାରୁ ସେଗୁଡ଼ିକର ତଥ୍ୟ ବ୍ୟାଙ୍କ୍ ଆକାଉଣ୍ଟରୁ ଯାଞ୍ଚ କରାଯାଉଛି । ଏତଲା ପରଠାରୁ ସୌରିନ୍ଙ୍କ ଖୋଜ୍ଖବର ମିଳୁନି । ଫୋନ୍ ବନ୍ଦ ରହିଛି । ତେଣୁ ତାଙ୍କୁ ଠାବ କରିବା ପାଇଁ କଟକ ପୁଲିସ ପକ୍ଷରୁ କୋଲକାତା ପୁଲିସ ସହ ଯୋଗାଯୋଗ କରାଯାଇଛି । ସୌରିନ୍ଙ୍କ ଗତିବିଧି ଉପରେ ପୁଲିସ ନଜର ରଖିଛି । ସବୁ ତଥ୍ୟ ପ୍ରମାଣ ଏକାଠି ହେବା ପରେ କମିଶନରେଟ୍ ପୋଲିସର ୫ ଜଣିଆ ଟିମ୍ ରାଜ୍ୟ ବାହାରକୁ ଯାଇଛି।