ଟିକେଟ ଚିନ୍ତାରେ ଚରିତ୍ର ସ୍ୱଚ୍ଛ କରିବାକୁ ପୂର୍ବତନ ମନ୍ତ୍ରୀ ଶ୍ରୀକାନ୍ତ ସାହୁଙ୍କ ପ୍ରୟାସ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ସାଧାରଣ ନିର୍ବାଚନ ଯେତେ ନିକଟତର ହେଉଛି ନେତାଙ୍କ ହୃତସ୍ପନ୍ଦନ ସେତିକି ତୀବ୍ର ହେଉଛି । କାଳେ କଟିଯିବକି ଟିକେଟ । ନିର୍ବାଚନ ରେସରୁ ପଡିଯିବେକି ବାଦ । କିଛି ନେତାଙ୍କୁ ଟିକେଟ ସବୁଜ ସଙ୍କେତ ମିଳିଥିବା ବେଳେ ଆଉ କିଛି ବ୍ୟଗ୍ର ଭାବରେ ଏହା ଅପେକ୍ଷାରେ । ତେଣୁ ନିଜ ନିଜ ଚିତ୍ର ଓ ଚରିତ୍ର ସ୍ୱଚ୍ଛ କରିବାରେ ଅଧିକାଂଶ ନେତା ତତ୍ପର । ଏହାର ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି ପୂର୍ବତନ ଶ୍ରମ ମନ୍ତ୍ରୀ ଶ୍ରୀକାନ୍ତ ସାହୁ । ନିକଟରେ ଜଣେ ବିଜେଡି ନେତ୍ରୀଙ୍କ ଅଭିଯୋଗ କ୍ରମେ ନିଜ ମନ୍ତ୍ରୀପଦ ହରାଇଥିଲେ ଶ୍ରୀକାନ୍ତ ସାହୁ । ବର୍ତ୍ତମାନ ଶ୍ରୀକାନ୍ତଙ୍କ ହଜିଯାଇଛି ନିଦ । କଳେ ବଳେ କୌଶଳେ ନିଜ ଭାବମୂର୍ତ୍ତି ସୁଧାରିବାକୁ ଆରମ୍ଭ କରିଛନ୍ତି ପ୍ରୟାସ । ସାଧାରଣ ନିର୍ବାଚନକୁ ଖୁବ କମ ସମୟ ରହିଥିବାବେଳେ ଟିକେଟ କଟିବ ଚିନ୍ତା ଘାରିଛି ଶ୍ରୀକାନ୍ତଙ୍କୁ । ସେ କିଛି ଗଣମାଧ୍ୟମ ପ୍ରତିନିଧି ଙ୍କୁ ପାଉଣା ଦେଇ ଖୁସ କରିବା ସହ ନିଜ ସପକ୍ଷରେ ସମ୍ବାଦ ପରିବେଷଣ କରିବାକୁ ମନାଇଥିବା ସୂଚନା ମିଳିଛି । ସେହିପରି ବୁଗୁଡ଼ାରେ ଆୟୋଜିତ କର୍ମୀ ସଭାରେ ଶ୍ରୀକାନ୍ତ କାନ୍ଦିବା ନେଇ ଚର୍ଚ୍ଚା ଜୋର ଧରିଛି ।

ସୂଚନା ଅନୁଯାୟୀ, ଶ୍ରମ ମନ୍ତ୍ରୀ ଶ୍ରୀକାନ୍ତ ସାହୁଙ୍କ ବିରୁଦ୍ଧରେ ଜଣେ ବିଜେଡି ନାରୀ ନେତ୍ରୀ ଅସଦାଚରଣ ଅଭିଯୋଗ କରି ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଥିଲେ । ଶଙ୍ଖ ଭବନ ଉଦ୍ଘାଟନ ଉତ୍ସବ ସମୟରେ ଉକ୍ତ ନାରୀନେତ୍ରୀ ରାସ୍ତାରେ କାନ୍ଦିକାନ୍ଦି ଯାଉଥିବା ଦେଖିବାକୁ ମିଳିଥିଲା । ଯାହାକି ବିଜେଡିର ପ୍ରତିଷ୍ଠା ଉପରେ ଆଞ୍ଚ ଆଣିଥିଲା ।ମୁଖ୍ୟମନ୍ତ୍ରୀ ଏହାକୁ ଗମ୍ଭୀରତା ସହ ନେଇଥିବା ଚର୍ଚ୍ଚା ଜୋର ଧରିଥିଲା । ଏହାର ଫଳ ସ୍ୱରୂପ ଘଟଣାର କିଛିଦିନ ପରେ ଶ୍ରୀକାନ୍ତଙ୍କୁ ମନ୍ତ୍ରୀ ପଦରୁ ଇସ୍ତଫା ଦେବାକୁ ନିର୍ଦ୍ଦେଶ ଦିଆଯାଇଥିଲା ।

ଅପରପକ୍ଷରେ ବିଧାୟକ ବାବୁ ଶ୍ରୀକାନ୍ତ ସାହୁ ଇସ୍ତଫା ଦେବାବେଳେ କହିଥିଲେ ଯେ, “ଦଳର ସାଙ୍ଗଠନିକ କାମ ପାଇଁ ସମୟ ଦେବେ ବୋଲି ସେ ମନ୍ତ୍ରୀପଦରୁ, ଇସ୍ତଫା ଦେଇଛନ୍ତି” । ତେବେ ବୁଗୁଡ଼ାରେ ଆୟୋଜିତ କର୍ମୀ ସଭାରେ ସେ କାନ୍ଦିଲେ କାହିଁକି, ତାଙ୍କ ଆଖିରୁ ଲୁହ ଗଡ଼ିଲା କାହିଁକି ? ଏଥିରୁ ଜଣାପଡ଼ିଯାଉଛି ଯେ ସେ ସ୍ବ-ଇଚ୍ଛା ରେ ମନ୍ତ୍ରୀପଦରୁ ଇସ୍ତଫା ଦେଇ ନ ଥିଲେ, ତାଙ୍କୁ ଇସ୍ତଫା ଦେବାଲାଗି ବାଧ୍ୟ କରାଯାଇଥିଲା । ଯଦି ଏ କଥାଟି ସତ, ତାହାହେଲେ ସେହି ସଭାରେ ସେ ବାରମ୍ବାର ଉଚ୍ଚାରଣ କରିଥିବା ‘ଷଡ଼ଯନ୍ତ୍ର’ ପଛର ଖଳନାୟକ କିଏ ସେକଥା ସେ କହିଲେ ନାହିଁ କାହିଁକି ? ତେବେ ଏଥିରୁ ସ୍ପଷ୍ଟ ଜଣାପଡୁଛି ଯେ ‘ଷଡ଼ଯନ୍ତ୍ର’ ତାଙ୍କ ବିରୋଧରେ ମୁଣ୍ଡ ଟେକିବା ଆରମ୍ଭ କଲେଣି। ବିଧାୟକ ମଉକା ଦେଖି ତାଙ୍କ ବିରୋଧୀମାନଙ୍କୁ ଚେତାବନୀ ଦେଇ କହିଥିଲେ, ‘‘ଆଜି ମୋର ମନ୍ତ୍ରୀପଦ ଯାଇଛି ବୋଲି ଖୁସି ମନେଇ ଯୋଉମାନେ ରସଗୋଲା ଖାଉଛନ୍ତି ସେମାନେ ତାହା ବନ୍ଦ କରନ୍ତୁ। ଆଗାମୀ ନିର୍ବାଚନରେ ମୁଁ ପଚାଶ ହଜାରରୁ ଊର୍ଦ୍ଧ୍ବ ଭୋଟ୍‌ରେ ବିଜୟୀ ହୋଇ ଆସିବି।”

Leave a comment