ବାହାନଗା ଟ୍ରେନ୍ ଦୁର୍ଘଟଣାର ପ୍ରକୃତ କାରଣ ଲୁଚାଇବାକୁ ଚକ୍ରାନ୍ତ କରୁଛି ରେଳବାଇ: ମମତା ବାନାର୍ଜୀ
ବାହାନଗା ଟ୍ରେନ୍ ଦୁର୍ଘଟଣାକୁ ନେଇ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପୁଣି ରେଳ ମନ୍ତ୍ରଣାଳୟ ଉପରେ ବର୍ଷିଛନ୍ତି । ସିବିଆଇ ତଦନ୍ତ ବାହାନାରେ ଦୁର୍ଘଟଣାର ପ୍ରକୃତ କାରଣ ଲୁଚାଇବାକୁ ଚକ୍ରାନ୍ତ କରାଯାଉଛି ବୋଲି ମମତା ଅଭିଯୋଗ କରିଛନ୍ତି । ପୀଡିତଙ୍କ ପରିବାରବର୍ଗ ବାରମ୍ବାର ଦୁର୍ଘଟଣାର କାରଣ ଜାଣିବାକୁ ପ୍ରଶ୍ନ କରୁଥିବାବେଳେ ରେଳ ମନ୍ତ୍ରଣାଳୟ ଏହାକୁ ଜାଣିଶୁଣି ଏଡାଇ ଯାଉଥିବା ମମତା କହିଛନ୍ତି ।
ଏଭଳି ଏକ ସମ୍ବେଦନଶୀଳ ମୁହୂର୍ତ୍ତରେ ଏଭଳି ପ୍ରଶ୍ନ କରିବା ଅନୁଚିତ ବୋଲି ମମତା ସ୍ୱୀକାର କରିଥିଲେ ସୁଦ୍ଧା ପରିସ୍ଥିତି ଚାପରେ ସେ ବାଧ୍ୟ ହେଉଥିବା ସେ କହିଛନ୍ତି । ଯେଉଁମାନେ ନିଜର ଆତ୍ମୀୟ ସ୍ୱଜନଙ୍କୁ ହରାଇଛନ୍ତି, ସେମାନେ ଏଭଳି ପ୍ରଶ୍ନ କରିବା ସ୍ୱାଭାବିକ୍ । ରେଳ ମନ୍ତ୍ରଣାଳୟ ଅଧୀନରେ ଥିବା ରେଲୱେ ସେଫ୍ଟି କମିଶନରଙ୍କ ରିପୋର୍ଟ ଏପର୍ଯ୍ୟନ୍ତ ଚୂଡାନ୍ତ ହୋଇନଥିବାବେଳେ ଏଭଳି ସିବିଆଇ ପ୍ରହସନ କାହିଁକି ବୋଲି ମମତା ପ୍ରଶ୍ନ କରିଛନ୍ତି । କରମଣ୍ଡଳ ଟ୍ରେନ୍ ଦୁର୍ଘଟଣା ଏକ ଫୌଜଦାରୀ ମାମଲା ହୋଇଥିବାବେଳେ ଏହାର ତଦନ୍ତ ପ୍ରକ୍ରିୟାରେ ସିବିଆଇ କିଛି କରିପାରିବ ନାହିଁ ବୋଲି ମମତା କହିଛନ୍ତି ।
ଟ୍ରେନ୍ ଦୁର୍ଘଟଣାର ତଦନ୍ତ କେଉଁ ଦିଗରେ ଗତି କରୁଛି, ତାହା ସ୍ପଷ୍ଟ ଜଣାପଡୁନଥିବାବେଳେ ପଶ୍ଚିମବଙ୍ଗ ମ୍ୟୁନିସିପାଲିଟୀ ନିଯୁକ୍ତି ମାମଲାରେ ସିବିଆଇ କିନ୍ତୁ ଘଣ୍ଟାଚକଟା କରୁଥିବା ମମତା କହିଛନ୍ତି । ଟ୍ରେନ୍ ଦୁର୍ଘଟଣାରେ ପଶ୍ଚିମବଙ୍ଗର ଅଧିକ ଯାତ୍ରୀ ମୃତାହତ ହୋଇଥିବାବେଳେ ସେମାନଙ୍କୁ ଉତ୍ତର ଦେବା ମୋର କର୍ତ୍ତବ୍ୟ ବୋଲି ମମତା କହିଛନ୍ତି । ତାଙ୍କ କହିବା ଅନୁଯାୟୀ ଦୁର୍ଘଟଣାରେ ରାଜ୍ୟର ୧୦୩ ଜଣ ପ୍ରାଣ ହରାଇଥିବାବେଳେ ୧୭୨ ଜଣ ଗୁରୁତର ଏବଂ ୬୩୫ ଜଣ ସାମାନ୍ୟ ଆହତ ହୋଇଛନ୍ତି । ପଶ୍ଚିମବଙ୍ଗର ପ୍ରତ୍ୟେକ ମୃତକଙ୍କ ପରିବାରକୁ ୫ ଲକ୍ଷ, ପ୍ରତ୍ୟେକ ଗୁରୁତର ଆହତଙ୍କୁ ୧ ଲକ୍ଷ ଏବଂ ସାମାନ୍ୟ ଆହତ ପ୍ରତ୍ୟେକ ଯାତ୍ରୀଙ୍କୁ ୫୦ ହଜାର ଟଙ୍କାର କ୍ଷତିପୂରଣ ପ୍ରଦାନ କରାଯାଇଛି ।
ମମତା ଇତିମଧ୍ୟରେ ଦ୍ୱିତୀୟ ଥର ଓଡ଼ିଶା ଗସ୍ତରେ ଆସି କଟକ ଓ ଭୁବନେଶ୍ୱରର ବିଭିନ୍ନ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ପଶ୍ଚିମବଙ୍ଗ ଯାତ୍ରୀଙ୍କୁ ଭେଟିଥିବାବେଳେ ସେମାନଙ୍କୁ କ୍ଷତିପୂରଣ ବାବଦ ଚେକ୍ ମଧ୍ୟ ପ୍ରଦାନ କରିଛନ୍ତି । ଅପରପକ୍ଷରେ ରାଜ୍ୟ ସରକାରଙ୍କ ଏଭଳି ପଦକ୍ଷେପକୁ ପଶ୍ଚିମବଙ୍ଗ ବିଜେପି ଶାଖା ତୀବ୍ର ସମାଲୋଚନା କରିଛି । ନିର୍ମାଣ ଶ୍ରମିକ କଲ୍ୟାଣ ପାଣ୍ଠିରୁ ଅର୍ଥ ନେଇ ମମତା ଏହି ଅନୁଦାନ ପ୍ରଦାନ କରୁଥିବା ରାଜ୍ୟ ବିଜେପି ନେତା ତଥା ବିଧାୟକ ଶୁଭେନ୍ଦୁ ଅଧିକାରୀ କହିଛନ୍ତି ।