ଝାରସୁଗୁଡ଼ା ଗଡ଼ ହେଲା ଦୀପାଳିଙ୍କର; ସମସ୍ତଙ୍କୁ ପଛରେ ପକାଇ ବାଜି ମାରିଲା ବିଜେଡି
ବାପାଙ୍କୁ ପଛରେ ପକାଇଲେ ଦୀପାଳି
ଆସିଲା ଝାରସୁଗୁଡ଼ା ଉପନିର୍ବାଚନ ଫଳାଫଳ। ବାଜି ମାରିଲେ ବିଜେଡି ପ୍ରାର୍ଥୀ ଦୀପାଳି ଦାସ। ବାପାଙ୍କୁ ପଛରେ ପକାଇଲେ ଦୀପାଳି । ସେ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ବିଜେପିର ଟଙ୍କଧର ତ୍ରିପାଠୀଙ୍କୁ ୪୮, ୬୧୯ ଖଣ୍ତ ଭୋଟରେ ପରାସ୍ତ କରିଛନ୍ତି। ଦୀପାଳିଙ୍କୁ ୧ ଲକ୍ଷ ୭ହଜାର ୩ ଖଣ୍ଡ ଭୋଟ ମିଳିଥିବା ବେଳେ ଟଙ୍କଧରଙ୍କୁ ୫୮ ହଜାର ୩୮୪ ଖଣ୍ଡ ଭୋଟ ମିଳିଛି।
ଅନ୍ୟପକ୍ଷରେ କଂଗ୍ରେସ ପ୍ରାର୍ଥୀ ତରୁଣ ପାଣ୍ଡେଙ୍କୁ ମାତ୍ର ୪୪୭୩ଖଣ୍ଡ ଭୋଟ ମିଳିଛି। ଆଜି ମୋଟ ୧୯ ରାଉଣ୍ଡ ଗଣତି ହୋଇଥିବା ବେଳେ ପ୍ରଥମ ରାଉଣ୍ଡରୁ ହିଁ ଦୀପାଳି ଆଗରେ ରହିଥିଲେ। ରାଉଣ୍ଡ ପରେ ରାଉଣ୍ଡ ଗଣତି ହେବା ସହିତ ପ୍ରତିଦ୍ୱନ୍ଦ୍ୱିଙ୍କ ଠାରୁ ଦୀପାଳିଙ୍କ ଭୋଟ ବ୍ୟବଧାନ ସଂଖ୍ୟା ବଢ଼ି ଚାଲିଥିଲା। ଆଉ ଶେଷରେ ସେ ୪୮ ହଜାରରୁ ଅଧିକ ଭୋଟରେ ବିଜୟୀ ହୋଇଥିଲେ।
ଦୀପାଳିଙ୍କ ବାପା ତଥା ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସଙ୍କୁ ଗତ ଜାନୁଆରୀ ୨୯ ତାରିଖରେ ବ୍ରଜରାଜନଗରରେ ଗୁଳି କରି ହତ୍ୟା କରାଯିବା ପରଠୁ ଝାରସୁଗୁଡ଼ା ବିଧାନସଭା ଆସନ ଖାଲି ପଡ଼ିଥିଲା। ୨୦୧୯ ନିବାଚନରେ ଦୀପାଳିଙ୍କ ବାପା ନବ କିଶୋର ଦାସ ଏହି ଆସନରେ ୪୫ ହଜାରରୁ ଅଧିକ ଭୋଟରେ ବିଜେପି ପ୍ରାର୍ଥୀ ଦୀନେଶ କୁମାର ଜୈନଙ୍କୁ ପରାସ୍ତ କରିଥିଲେ। ସ୍ୱର୍ଗତ ନବ କିଶୋର ଦାସ ୯୮,୬୨୦ ଖଣ୍ଡ ଭୋଟ୍ ପାଇଥିବା ବେଳେ ଦୀନେଶ ଜୈନ ୫୨,୯୨୧ ଖଣ୍ଡ ଭୋଟ ପାଇଥିଲେ। ସେତେବେଳେ କଂଗ୍ରେସ ପ୍ରାର୍ଥୀ ମହେନ୍ଦ୍ର ନାଏକ ୧୮,୮୨୩ ଖଣ୍ଡ ଭୋଟ ପାଇଥିଲେ। କିନ୍ତୁ ଏଥର କଂଗ୍ରେସ ପ୍ରାର୍ଥୀ ତରୁଣ ପାଣ୍ଡେ ୫ ହଜାର ଭୋଟ୍ ମଧ୍ୟ ପାଇଲେ ନାହିଁ।