ଜୁଲାଇ ୩୦ରେ ବାତିଲ୍ ହୋଇଥିବା ଆକାଉଣ୍ଟାଣ୍ଟ ପରୀକ୍ଷା
ଓଡ଼ିଶା କର୍ମଚାରୀ ଚୟନ ଆୟୋଗ (ଓଏସ୍ଏସ୍ସି) ପକ୍ଷରୁ ବାତିଲ୍ ହୋଇଥିବା ଆକାଉଣ୍ଟାଣ୍ଟ ପରୀକ୍ଷା ଆସନ୍ତା ଜୁଲାଇ ୩୦ରେ ଅନୁଷ୍ଠିତ ହେବ। ଆଶାୟୀମାନେ ଆକାଉଣ୍ଟାଣ୍ଟ ପ୍ରିଲିମିନାରୀ ପରୀକ୍ଷା ଗୋଟିଏ ସିଟିଂରେ ଦେବେ। ‘ଓଏମ୍ଆର’ ମୋଡ୍ରେ ପରୀକ୍ଷା ହେବ। ସମସ୍ତ ଜିଲ୍ଲା ମୁଖ୍ୟାଳୟରେ ପରୀକ୍ଷା ହେବାନେଇ ଆୟୋଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।
ସୂଚନାଥାଉକି ଓଏସ୍ଏସ୍ସି ଆକାଉଣ୍ଟାଣ୍ଟ ପରୀକ୍ଷା ପ୍ରଶ୍ନପତ୍ରରେ ତ୍ରୁଟି ଯୋଗୁଁ ମାର୍ଚ୍ଚ ୨୩ ତାରିଖରେ ଅନୁଷ୍ଠିତ ପରୀକ୍ଷା ବାତିଲ୍ ହୋଇଥିଲା। ବିଶେଷ ଭାବେ ଓଡ଼ିଆ ଭାଷାରେ ପ୍ରଶ୍ନପତ୍ର ଚୟନ କରିଥିବା ପରୀକ୍ଷାର୍ଥୀଙ୍କୁ ପ୍ରଶ୍ନ ପଢ଼଼ି ବୁଝିବା ସମ୍ଭବପର ହୋଇ ନ ଥିଲା। ତେବେ ୬୫ଟି ଆକାଉଣ୍ଟାଣ୍ଟ ପଦ ପାଇଁ ରାଜ୍ୟର ସମସ୍ତ ଜିଲ୍ଲାରେ ପ୍ରିଲିମ୍ ପରୀକ୍ଷା କେନ୍ଦ୍ର ପ୍ରସ୍ତୁତ କରାଯାଇଥିବା ବେଳେ ପ୍ରାୟ ୫୦ ହଜାର ଛାତ୍ରଛାତ୍ରୀ ପରୀକ୍ଷା ଦେବେ। ସେହିପରି ସ୍ନାତକସ୍ତରୀୟ ଏକକ ନିଯୁକ୍ତି ପରୀକ୍ଷା(ସିଜିଏଲ୍ଆର୍ଇ) ପରୀକ୍ଷା ମେ ୧୪ ତାରିଖରେ ଅନୁଷ୍ଠିତ ହେବ। ଏଥିଲାଗି ଆଡମିଟ କାର୍ଡ ଆସନ୍ତା ୬ ତାରିଖରୁ ଅନ୍ଲାଇନରେ ଉପଲବ୍ଧ ହେବ ବୋଲି ଓଏସ୍ଏସ୍ସି ଦର୍ଶାଇଛି।