ଓଡ଼ିଶାର ନୀତି ଯୋଗୁଁ ଛତିଶଗଡ଼ରେ ବନ୍ଧ, ବ୍ୟାରେଜ୍ ନିର୍ମାଣ ଅଟକି ରହିଛି : ଛତିଶଗଡ଼ ମୁଖ୍ୟମନ୍ତ୍ରୀ
ମହାନଦୀ ଜଳ ବିବାଦ ପ୍ରସଙ୍ଗରେ ଓଡିଶା ମୁଣ୍ଡରେ ଦୋଷ ଲଦିଲେ ଭୁପେଶ ବାଘେଲ
ମହାନଦୀ ଜଳ ବିବାଦ ପ୍ରସଙ୍ଗରେ ଛତିଶଗଡ଼ର ଆଭିମୁଖ୍ୟ କ’ଣ ତାହା ପୁଣି ଥରେ ସ୍ପଷ୍ଟ କରି ଦେଇଛନ୍ତି ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୁପେଶ ବଘେଲ । ଚୋର ମୁହଁ ଟାଣ ନୀତିରେ ଭୁପେଶ ବାଘେଲ କହିିଛନ୍ତି- ଓଡ଼ିଶାର ନୀତି ଯୋଗୁଁ ଛତିଶଗଡ଼ରେ ବନ୍ଧ, ବ୍ୟାରେଜ୍ ନିର୍ମାଣ ଅଟକି ରହିଛି । ନଦୀର ଅଧିକାଂଶ ପାଣି ଓଡ଼ିଶାକୁ ଯାଉଥିବା ସତ୍ୱେ ମହାନଦୀ ଟ୍ରିବ୍ୟୁନାଲକୁ ଯିବା ଯୋଗୁଁ ଏକାଧିକ ପ୍ରକଳ୍ପ ଅଟକି ରହିଛି ବୋଲି ପ୍ରତିକ୍ରିୟା ରଖିଛନ୍ତି ଭୁପେଶ ବାଘେଲ ।
ମହାନଦୀ ଜଳ ବିବାଦର ସମାଧାନ ପାଇଁ ଗଠନ ହୋଇଥିବା ଟ୍ରିବ୍ୟୁନାଲ ଛତିଶଗଡ଼ ଯାଇ ଅନୁଧ୍ୟାନ କରିବା ପୂର୍ବରୁ ଏଭଳି କିଛି ବୟାନ ରଖିଛନ୍ତି ଛତିଶଗଡ଼ ମୁଖ୍ୟମନ୍ତ୍ରୀ ।
ଛତିଶଗଡ଼ରେ କୌଣସି ବନ୍ଧ ନାହିଁ, ୭ଟି ବ୍ୟାରେଜ୍ ନିର୍ମାଣ ହୋଇଛି । ଏହାକୁ ନେଇ ବିବାଦ ସୃଷ୍ଟି ହୋଇଛି । ଯେଉଁ ହାଇରାଜ୍ ଡ୍ୟାମ୍ ଓ ବ୍ୟାରେଜ୍ ନିର୍ମାଣ ପାଇଁ ଯୋଜନା ରହିଛି ତାହା ଅଟକି ରହିଛି । ଛତିଶଗଡ଼ରୁ ବାହାରିଥିବା ନଦୀର ଅଧିକାଂଶ ପାଣି ଓଡ଼ିଶା ଚାଲିଯାଉଛି ବୋଲି କହିଛନ୍ତି ଛତିଶଗଡ଼ ମୁଖ୍ୟମନ୍ତ୍ରୀ । ବଡ଼ କଥା ହେଉଛି, ମହାନଦୀ ପାଣିକୁ ନେଇ ଛତିଶଗଡ଼ର ଆଭିମୁଖ୍ୟ ଯୋଗୁଁ ତଳମୁଣ୍ଡରେ କେଉଁ ଭଳି ଜଳ ସଙ୍କଟ ସ୍ଥିତି ସୃଷ୍ଟି ହୋଇଛି, ତାହା ଓଡ଼ିଶା ଦେଖିଛି । ଛତିଶଗଡ଼ ପଟେ ଉଛୁଳା ମାରୁଛି ପାଣି, ଓଡ଼ିଶା ପଟ ଶୁଖିଲା । ଏଭଳି ଚିତ୍ର ବାରମ୍ବାର ଦେଖାଇ ଆସୁଛି ଓଡ଼ିଶାର ଗଣମାଧ୍ୟମ । ଯେତେବେଳେ ବି ଆମେ ଗ୍ରାଉଣ୍ଡ ଜିରୋରୁ ଚିତ୍ର ଦେଖାଇଛୁ, ସେହି ଚିତ୍ର ହିଁ ବୟାନ କରିଛି, ଜଳ ବିବାଦର ସମାଧାନ ଦିଗରେ ଟ୍ରିବ୍ୟୁନାଲର କେତେ ବଡ଼ ଭୂମିକା ରହିଛି ।
ଏସବୁ ଭିତରେ ଟ୍ରିବ୍ୟୁନାଲ ଅଧ୍ୟକ୍ଷ ବିଚାରପତି ଏଏମ୍ ଖାଣ୍ଡିଲକାରଙ୍କ ନେତୃତ୍ୱରେ ବିଚାରପତି ରବି ରଞ୍ଜନ ଓ ବିଚାର ଇନ୍ଦରମିତ କୌର କୋଚ୍ଚରଙ୍କ ତିନି ଜଣିଆ ଦଳ ଛତିଶଗଡ଼ରେ ପହଂଚିଛି । ଏହି ଟିମ୍ ଆସନ୍ତାକାଲି ମହାନଦୀର ଉତ୍ପତ୍ତିସ୍ଥଳ ଫାରସିଆ ଯାଇ ଅନୁଧ୍ୟାନ ଆରମ୍ଭ କରିବେ ଟ୍ରିବ୍ୟୁନାଲ । ସୋନ୍ଦୁର ଡ୍ୟାମ୍ ଓ ରବିଶଙ୍କର ସାଗର ଜଳଭଣ୍ଡାରକୁ ବୁଲି ଦେଖିବେ । ସେହିପରି ଗୁରୁବାର ମହାନଦୀ ଅବବାହିକା ଅଂଚଳର ମୁରୁମୁସୁଲି ଡ୍ୟାମ୍ ଅଂଚଳ ଦଧୁଆ ଡ୍ୟାମ୍ ଅଂଚଳ ଏବଂ ନ୍ୟୁରୁଦ୍ରି ବ୍ୟାରେଜକୁ ଯାଇ ଅନୁଧ୍ୟାନ କରିବେ । ଶୁକ୍ରବାର ସିଓନାଥ ଉପଅବାହିକା ଅଂଚଳର ଧାମଧାଠାରେ ଟିମାରି ଜଳଭଣ୍ଡାର, ଖଇରାଗଡ଼ ଉଦୟପୁର କ୍ଷୁଦ୍ରଜଳଭଣ୍ଡାର, ସିନ୍ଧିାବା ଜଳଭଣ୍ଡାର ଓ ପିପରିଆ ଜଳଭଣ୍ଡାର ପରିଦର୍ଶନ କରିବେ । ପ୍ରଥମ ପର୍ଯ୍ୟାୟ ଅନୁଧ୍ୟାନ ପରେ ଏପ୍ରିଲ ୨୯ ତାରିଖରେ ଦ୍ୱିତୀୟ ପର୍ଯ୍ୟାୟ ଅନୁଧ୍ୟାନ କରିବେ । ଆଉ ଏପଟେ ମହାନଦୀ ଜଳ ବିବାଦ ପ୍ରସଙ୍ଗକୁ ନେଇ ଓଡ଼ିଶାରେ ପୁଣି ବୟାନବାଜି ଚାଲିଛି ।ରାଜନୀତିର ଏହି ବୟାନବାଜି ଭିତରେ ଟ୍ରିବ୍ୟୁନାଲ ହିଁ ନିର୍ଦ୍ଧାରଣ କରିବ ଜଳ ବିଦାଦର ଭାଗ୍ୟ ।