ଅପରାଜିତା ଓ ମେୟରଙ୍କ ଲଢ଼େଇ ହେବ ଜୋରଦାର !
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ନିର୍ବାଚନ ଯେତେ ପାଖୋଉଛି ରାଜନୈତିକ ଦଳଙ୍କ ଟିକେଟ ବଣ୍ଟନକୁ ନେଇ ନବୀନ ନିବାସ ଠାରୁ ଥାର୍ଡ ଫ୍ଲୋର ପର୍ଯ୍ୟନ୍ତ ଆଲୋଚନା ପର୍ଯ୍ୟାଲୋଚନା ସେତେ ଜୋରଦାର ହେଉଛି । କିଛିଦିନ ପୂର୍ବରୁ ଗଣମାଧ୍ୟମ ରେ ଚର୍ଚ୍ଚା ଜୋର ଧରିଥିଲା କି ବିଜେପି ପ୍ରାର୍ଥୀନୀ ପୂର୍ବତନ ଆଇ.ଏ.ଏସ ଅଫିସର ଅପରାଜିତାଙ୍କ ଏବଂ ବିଜେଡି ପ୍ରାର୍ଥୀ ପୂର୍ବତନ ମୁମ୍ବାଇ ପୋଲିସ କମିଶନର ଅରୁପ ପଟ୍ଟନାୟକଙ୍କ ମଧ୍ୟରେ ଭୁବନେଶ୍ୱର ଲୋକସଭା ଆସନ ଲଢ଼େଇ ଜୋରଦାର ହେବ ମାତ୍ର ବର୍ତ୍ତମାନ ଏଥିରେ ପରିବର୍ତ୍ତନ ହୋଇଛି । ଅପରାଜିତାଙ୍କ ବଢୁଥିବା ଲୋକପ୍ରିୟତାକୁ ଦେଖି ବିଜେଡି ନିଜ ରଣନୀତିରେ କରିଛି ପରିବର୍ତ୍ତନ । ଅପରାଜିତାଙ୍କ ବିପକ୍ଷରେ ଜଣେ ଜଣାଶୁଣା ବ୍ୟକ୍ତିଙ୍କୁ ପ୍ରାର୍ଥୀ କରିବାକୁ ଯାଇ ଭୁବନେଶ୍ୱରର ପୂର୍ବତନ ମେୟର ଅନନ୍ତ ନାରାୟଣ ଜେନାଙ୍କୁ ମନୋନୀତ କରାଯାଇଛି ।
ସୂଚନା ଅନୁଯାୟୀ, ପୂର୍ବତନ ଆଇ.ଏ.ଏସ ଅଫିସର ଅପରାଜିତା ପୂର୍ବରୁ ବିଏମସିର ପୂର୍ବତନ କମିଶନର ରହିସାରିଛନ୍ତି । ଅପରାଜିତା କମିଶନର ଥିବା ସମୟରେ ଭୁବନେଶ୍ୱରର ଅନେକ ସ୍ଥାନରେ ଭେଣ୍ଡିଂ ଜୋନ ବ୍ୟବସ୍ଥା କରିଥିଲେ ଓ ସିଧାସଳଖ ବ୍ୟବସାୟୀଙ୍କ ସହ ଯୋଗାଯୋଗରେ ରହିଥିଲେ । ଯାହାକି ବର୍ତ୍ତମାନ ଅପରାଜିତାଙ୍କ ରାଜନୈତିକ କ୍ୟାରିୟରରେ ସହାୟକ ହଉଛି । ତେଣୁ ତାଙ୍କ ବିପକ୍ଷରେ ପୂର୍ବତନ ମେୟର ଅନନ୍ତ ନାରାୟଣଙ୍କୁ ପ୍ରାର୍ଥୀ କରାଯିବାକୁ ନେଇ ବିଜେଡି ନିଷ୍ପତ୍ତି ନେଇଥିବା ଦଳରେ ଚର୍ଚ୍ଚା ହେଉଛି । ସେହିପରି ବିଜେଡି କର୍ମୀମାନେ ମଧ୍ୟ ଅପରାଜିତାଙ୍କ ବିପକ୍ଷରେ ଅନନ୍ତଙ୍କୁ ପାଇ ଖୁବ ଉତ୍ସାହିତ ଥିବା ଜଣାପଡିଛି । କାରଣ ପୂର୍ବତନ ମେୟର ଅନନ୍ତ ନାରାୟଣ ଭୁବନେଶ୍ୱରବାସୀଙ୍କ ପାଇଁ ଏକ ପରିଚିତ ଓ ଲୋକପ୍ରିୟ ନେତା । ତାଙ୍କ ସାଙ୍ଗଠନିକ ଦକ୍ଷତା ଥିବାବେଳେ ଜନସାଧାରଣଙ୍କ ସହ ସିଧାସଳଖ ସମ୍ପର୍କରେ ମଧ୍ୟ ସେ ଅଛନ୍ତି । ତେଣୁ ଅପରାଜିତା ଓ ମେୟରଙ୍କ ଲଢ଼େଇ ଜୋରଦାର ହେବ ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ଜୋର ଧରିଛି ।