ଉମେଶ ପାଲ୍‌ ହତ୍ୟା ମାମଲା: ଅଭିଯୁକ୍ତ ଅତିକ୍‌ ଅହମଦ୍‌ର ପୁଅ ଅସଦ୍‌କୁ ପୋଲିସର ଏନକାଉଣ୍ଟର

0

ଉମେଶ ପାଲ୍‌ ହତ୍ୟା ମାମଲାର ଅନ୍ୟତମ ଅଭିଯୁକ୍ତ ଅତିକ୍‌ ଅହମଦ୍‌ର ପୁଅ ଅସଦ୍‌ ନିହତ ହୋଇଛି। ସଦ୍ୟ ଖବର ମୁତାବକ ଆଜି ଝାନ୍‌ସୀରେ ପୁଲିସ ଏନକାଉଣ୍ଟର କରିଥିଲା। ଯେଉଁଥିରେ ଅସଦର ସହ ଗୁଲାମ ନାମକ ଜଣେ ଆତତାୟୀର ମୃତ୍ୟୁ ଘଟିଛି। ଉତ୍ତର ପ୍ରଦେଶର ‘ସ୍ପେସାଲ୍‌ ଟାସ୍କ୍‌ ଫୋର୍ସ’ର (ଏସ୍‌ଟିଏଫ୍‌) ଏହି ଏନ୍‌କାଉଣ୍ଟର୍‌ କରିଥିଲା। ମୃତ ଅସଦ୍‌ ପାଖରୁ ପୁଲିସ ବିଦେଶରେ ନିର୍ମିତ ଅତି ଉନ୍ନତ ଅସ୍ତ୍ରଶସ୍ତ୍ର ଜବତ କରିଛି।

ସୂଚନାଯୋଗ୍ୟ, ବହୁଚର୍ଚ୍ଚିତ ଉମେଶ ପାଲ୍‌ ହତ୍ୟା ମାମଲାରେ ଆଜି ଅତୀକ୍‌ ଅହମଦ୍‌ଙ୍କୁ ପ୍ରୟାଗରାଜସ୍ଥିତ ଚିଫ୍‌ ଜୁଡିସିଆଲ୍‌ ମାଜିଷ୍ଟ୍ରେଟ୍‌ଙ୍କ ଅଦାଲତରେ ହାଜର କରାଯାଉଥିଲା ଏହି ସମୟରେ ଏନ୍‌କାଉଣ୍ଟର୍‌ରେ ତାଙ୍କ ପୁଅ ଅସଦ୍‌ଙ୍କ ମୃତ୍ୟୁ ଘଟିଛି।

ପୁଲିସ କହିବା ଅନୁସାରେ, ଉତ୍ତର ପ୍ରଦେଶ ‘ସ୍ପେସାଲ୍‌ ଟାସ୍କ୍‌ ଫୋର୍ସ’ ଟିମ୍‌ ଉପରକୁ ଅସଦ ଓ ଗୁଲାମ୍‌ ଦୁହେଁ ପ୍ରଥମେ ଗୁଳି ଚଳାଇଲେ। ‘ସ୍ପେଶାଲ୍‌ ଟାସ୍କ୍‌ ଫୋର୍ସ’ ଟିମ୍‌ ପାଲଟା ଗୁଳି ଚଳାଇବାରୁ ଦୁହିଁଙ୍କର ମୃତ୍ୟୁ ଘଟିଲା।

ସୂଚନାଯୋଗ୍ୟ, ୨୦୦୫ରେ ବହୁଜନ ସମାଜ ପାର୍ଟିର ସାଂସଦ ରାଜୁ ପାଲ୍‌ଙ୍କ ହତ୍ୟାକାଣ୍ଡର ମୁଖ୍ୟ ସାକ୍ଷୀ ଥିଲେ ଉମେଶ ପାଲ୍‌। ଏଥିରେ ଅଭିଯୁକ୍ତ ଥିଲେ ଅତୀକ୍‌ ଅହମଦ୍। ଫେବ୍ରୁଆରି ୨୪ ତାରିଖରେ ପ୍ରୟାଗରାଜ ବାସଭବନ ବାହାରେ ଉମେଶ ପାଲ୍‌ ଏବଂ ତାଙ୍କର ଦୁଇଜଣ ଅଙ୍ଗରକ୍ଷୀଙ୍କୁ ଗୁଳି କରି ହତ୍ୟା କରାଗଲା।

ଏଥିରେ ଅତିକ ଅହମଦଙ୍କ ପରିବାରର ସଦସ୍ୟମାନେ ସମ୍ପୃକ୍ତ ବୋଲି ଉମେଶଙ୍କ ପତ୍ନୀ ଜୟା ଅଭିଯୋଗ କରିଥିଲେ। ଯାହାର ଆଧାରରେ ମାମାଲା ରୁଜୁ କରାଯାଇଥିଲା ଓ ତଦନ୍ତ ଚାଲୁ ରହିଥିଲା। ସ୍ଥାନୀୟ ଡେପୁଟି ଏସ୍‌.ପି. ନବେନ୍ଦୁ ଏବଂ ବିମଳଙ୍କ ନେତୃତ୍ବାଧୀନ ଉତ୍ତର ପ୍ରଦେଶର ‘ସ୍ପେସାଲ୍‌ ଟାସ୍କ୍‌ ଫୋର୍ସ’ କରିଥିବା ଏହି ଏନ୍‌କାଉଣ୍ଟର୍‌ରେ ଗୁଲାମ୍‌ ନାମରେ ଆଉ ଜଣେ ବ୍ୟକ୍ତିଙ୍କର ବି ମୃତ୍ୟୁ ଘଟିଛି। ତାଙ୍କ ଉପରେ ୫ ଲକ୍ଷ ଟଙ୍କା ପୁରସ୍କାର ଘୋଷଣା କରାଯାଇଥିଲା।

ମୃତ ଅସଦ୍‌ ଓ ଗୁଲାମ୍‌ଙ୍କ ପାଖରୁ ପୁଲିସ ବିଦେଶରେ ନିର୍ମିତ ଅତି ଉନ୍ନତ ଅସ୍ତ୍ରଶସ୍ତ୍ର ଉଦ୍ଧାର କରିଛି।ନୂଆ ସେଲ୍‌ଫୋନ୍‌ ଏବଂ ସିମ୍‌ କାର୍ଡ ଉଦ୍ଧାର କରାଯାଇଛି।

Leave a comment