ବିଜେଡ଼ି ମୁଖପାତ୍ର ପ୍ରତାପ ଦେବ କହିଲେ ପ୍ରଥମେ ନିଜ ରାଜ୍ୟ ସମ୍ଭାଳ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଓଡିଶା ଗସ୍ତରେ ଆଜି ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଭବାନୀପାଟଣା ଆସି ନବୀନ ସରକାରଙ୍କୁ ଟାର୍ଗେଟ କରିଛନ୍ତି । ରାଜ୍ୟରେ ଟଙ୍କିକିଆ ଚାଉଳ ଓ ପକ୍କାଘର ବଣ୍ଟନରେ ଅନିୟମିତତା ହୋଇଥିବା ବେଳେ ୟୁପିରେ ଅଧିକ ଲୋକଙ୍କୁ ପକ୍କା ଗୃହ ବଣ୍ଟନ କରାଯାଇଥିବା କହିଥିଲେ । ତେବେ ଟଙ୍କିକିଆ ଚାଉଳ ପାଇଁ ଏକତିରିଶ ଟଙ୍କାରୁ ୨୯ ଟଙ୍କା କେନ୍ଦ୍ର ଦେଉଛି । ସେହିପରି କାଳିଆ ଯୋଜନା ନେଇ ରାଜ୍ୟ ସରକାରଙ୍କୁ ସମାଲୋଚନା କରିଥିଲେ ଯୋଗୀ ।

ଏହାର ପ୍ରତିଉତ୍ତରରେ ବିଜେଡ଼ି ମୁଖପାତ୍ର ପ୍ରତାପ ଦେବ କହିଛନ୍ତି, ୟୁପି ମୁଖ୍ୟମନ୍ତ୍ରୀ ସରକାରଙ୍କ ବିରୋଧରେ ଯେଉଁ ବିଷୋଦଗାର କରିଛନ୍ତି ତାହା ସମ୍ପୂର୍ଣ୍ଣ ଭିତ୍ତିହୀନ । ଋଣଛାଡ଼ କରିବେ ବୋଲି ପ୍ରତିଶ୍ରୁତି ଦେଇ କ୍ଷମତାକୁ ଆସିିଥିଲେ ଯୋଗୀ । ସେ ଏପରି ଋଣ ଛାଡ କଲେଯେ ଲୋକେ ୧୫, ୧୬ , ୧୭ ଟଙ୍କା ପାଇଲେ । ଏହା ଚାଷୀଙ୍କ କଣ ଉପକାର କଲା । ତେଣୁ ସେ ପ୍ରଥମେ ନିଜ ରାଜ୍ୟ କଥା ଚିନ୍ତା କରିବା କଥା ।
 
ସେହିପରି ରାଜ୍ୟ ସରକାରଙ୍କ ଦ୍ଵାରା ଲାଗୁ କରାଯାଇଥିବା କାଳିଆ ଯୋଜନାକୁ ସମସ୍ତେ ପ୍ରଶଂସା କରୁଛନ୍ତି ଏପରିକି ପ୍ରଧାନମନ୍ତ୍ରୀ ମଧ୍ୟ ନିଜେ ଏହି କାଳିଆ ଯୋଜନାର ପ୍ରଶଂସା କରିଥିଲେ । ଏହି ଯୋଜନାରେ ଟଙ୍କା ସିଧାସଳଖ ଚାଷୀଙ୍କ ପାଖରେ ପହଞ୍ଚୁଛି । ତୃତୀୟ ବ୍ୟକ୍ତି ଏଠାରେ ହସ୍ତକ୍ଷେପ କରିପାରିବ ନାହିଁ । ତେଣୁ କାଳିଆ ଯୋଜନାରେ ଦୁର୍ନୀତିର ପ୍ରଶ୍ନ ହିଁ ନାହିଁ ।

ଯେଉଁ ବର୍ଷ ଯୋଗୀ ମୁଖ୍ୟମନ୍ତ୍ରୀ ହୋଇଥିଲେ ସେହି ବର୍ଷ ଡିସେମ୍ବର ମାସରେ ମ୍ୟୁନିସିପାଲ ନିର୍ବାଚନରେ ହାରିଗଲା ବିଜେପି । ୟୁପି ମୁଖ୍ୟମନ୍ତ୍ରୀ କଣ ଏପର୍ଯ୍ୟନ୍ତ ଏହାର କାରଣ ଖୋଜି ପାରିଲେଣି । ପଞ୍ଚାୟତ ନିର୍ବାଚନରେ ଓଡ଼ିଶାରେ ଯାହାହୋଇଛି ତାହାର ଆଉ ପୁନରାବୃତ୍ତି ନହେବାକୁ ଆମେ ଚେଷ୍ଟିତ । ଆଗାମୀ ସାଧାରଣ ନିର୍ବାଚନରେ ବିଜେଡି ୧୦୦ରୁ ଉର୍ଦ୍ଧ ଆସନରେ ବିଜୟଲାଭ କରି ପୁନର୍ବାର ସରକାର ଗଢ଼ିବ । ତେଣୁ କେନ୍ଦ୍ରୀୟ ନେତାମାନେ ଓଡ଼ିଶା ଆସି ବାହାସ୍ପଟ ମାରିବା ବନ୍ଦ କରନ୍ତୁ ବୋଲି କହିଛନ୍ତି ପ୍ରତାପ ଦେବ ।

ଟଙ୍କିକିଆ ଚାଉଳ ସମ୍ୱନ୍ଧରେ ପ୍ରତାପ ଦେବ କହିଛନ୍ତି, ଭାରତ ସମ୍ବିଧାନ ଅନ୍ତର୍ଗତ ଯେଉଁ ସରକାର କେନ୍ଦ୍ର୍ରକୁ ଆସିବେ ସେ ପିଡ଼ିଏସ୍ ମାଧ୍ୟମରେ ସମସ୍ତ ରାଜ୍ୟକୁ ଖାଦ୍ୟ ଯୋଗାଣ କରିବ । ଏହା କେନ୍ଦ୍ରର କର୍ତ୍ତବ୍ୟ । କେନ୍ଦ୍ର ସରକାର ଦେଉଥିବା ମୁଲ୍ୟରୁ ମଧ୍ୟ କମ କରି ରାଜ୍ୟ ସରକାର ଏହା ହିତାଦିକାରି ମାନଙ୍କୁ ଦେଉଛି । ତେଣୁ ଯୋଗୀଙ୍କ ସମସ୍ତ ଅଭିଯୋଗ ଭିତ୍ତିହୀନ ।

Leave a comment