ତେଲେଙ୍ଗାନା ବିଜେପି ଅଧ୍ୟକ୍ଷ ବନ୍ଦୀ ସଞ୍ଜୟ କୁମାରଙ୍କୁ ଗିରଫ କଲା ପୋଲିସ
ତେଲେଙ୍ଗାନା ବିଜେପି ଅଧ୍ୟକ୍ଷ ତଥା ସାଂସଦ ବନ୍ଦୀ ସଞ୍ଜୟ କୁମାରଙ୍କୁ ଗିରଫ କରିଛି ପୋଲିସ । SSC ହିନ୍ଦି ପ୍ରଶ୍ନ ପତ୍ର ଲିକ୍ ମାମଲାରେ ତାଙ୍କୁ ପ୍ରଥମେ ପୋଲିସ ହେପାଜତକୁ ନେବା ପରେ ଗିରଫ କରାଯାଇଥିବା ସୂଚନା ମିଳିଛି । କରିମନଗରରେ ଥିବା ତାଙ୍କ ବାସଭବନରୁ ବୁଧବାର ଭୋରରୁ ଉଠାଇ ନେଇଥିଲା ତେଲେଙ୍ଗାନା ପୋଲିସ ।
ତେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଗସ୍ତ ପୂର୍ବରୁ ରାଜ୍ୟ ବିଜେପି ମୁଖ୍ୟଙ୍କୁ ଗିରଫ କରାଯିବାକୁ ନେଇ ପ୍ରତିକ୍ରିୟଶୀଳ ହୋଇ ପଡିଛନ୍ତି ଦଳୀୟ ନେତା ଓ କର୍ମୀ ।
ସୂଚନା ଯେ, ତେଲେଙ୍ଗାନାର ଓ୍ବାରାଙ୍ଗଲରେ ଗତ ମଙ୍ଗଳବାର SSC ହିନ୍ଦି ପ୍ରଶ୍ନ ପତ୍ର ଲିକ୍ ହୋଇଥିଲା । ପରୀକ୍ଷା ଆରମ୍ଭ ହେବାର ମାତ୍ର କେଇ ମିନିଟ ପରେ ହିଁ ପ୍ରଶ୍ନ ପତ୍ର ସାମାଜିକ ଗଣମାଧ୍ୟମରେ ଭାଇରାଲ ହୋଇଥିଲା । ଏହା ପୂର୍ବରୁ ଏପ୍ରିଲ ୩ ତାରିଖ ସୋମବାର ମଧ୍ୟ ଅନ୍ୟ ଏକ ପେପର୍ର ପ୍ରଶ୍ନପତ୍ର ସୋସିଆଲ ମିଡିଆରେ ଘୁରି ବୁଲିଥିଲା । ବିଜେପି ନେତା ବୋରାମ ପ୍ରଶାନ୍ତ ପ୍ରଥମେ ପ୍ରଶ୍ନପତ୍ର ଭାଇରାଲ କରିଥିବା ଜଣାପଡିଥିଲା । ତେବେ ଘଟଣାରେ ମୁଖ୍ୟ ଅଭିଯୁକ୍ତ ଭାବେ ରାଜ୍ୟ ବିଜେପି ମୁଖ୍ୟ ବନ୍ଦୀ ସଞ୍ଜୟ କୁମାରଙ୍କୁ ହେପାଜତକୁ ନେଇଥିଲା ପୋଲିସ । ପରେ ଗିରଫ କରିଛି । ପାଲାକୁର୍ତ୍ତୀରେ ହସ୍ପିଟାଲରେ ତାଙ୍କର ସ୍ବାସ୍ଥ୍ୟାବସ୍ଥା ଯାଞ୍ଚ କରାଯାଇଛି ।
ପ୍ରଶ୍ନପତ୍ର ଲିକ୍ ମାମଲାରେ ତେଲେଙ୍ଗାନା ବିଜେପି ମୁଖ୍ୟଙ୍କ ସମେତ ଅନ୍ୟ ୩ ଜଣଙ୍କୁ ଗିରଫ କରିଛି । ସେମାନେ ହେଉଛନ୍ତି ବିଜେପି ନେତା ବୋରାମ୍ ପ୍ରଶାନ୍ତ, ମୌତମ ଶିବ ଗଣେଷ ଓ ଜଣେ ୧୬ ବର୍ଷୀୟ ବାଳକ । ତେବେ ବନ୍ଦୀ ସଞ୍ଜୟ କୁମାରଙ୍କ ଗିରଫଦାରୀକୁ ନେଇ ଦଳୀୟ କାର୍ଯ୍ୟକର୍ତ୍ତା ପ୍ରତିକ୍ରିୟାଶୀଳ ହୋଇପଡିଛନ୍ତି । ରାଜ୍ୟବ୍ୟାପୀ ବିଭିନ୍ନ ସ୍ଥାନରେ ବିକ୍ଷୋଭ ପ୍ରଦର୍ଶନ କରାଯାଉଥିବା ବେଳେ ଗିରଫଦାରୀକୁ ବେଆଇନ ବୋଲି ଦର୍ଶାଉଛନ୍ତି । ବିଜେପି କର୍ମୀମାନେ ସିଧାସଳଖ ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓଙ୍କୁ ଟାର୍ଗେଟ୍ କରିଛନ୍ତି । ତୁରନ୍ତ ସଞ୍ଜୟ କୁମାରଙ୍କୁ ଛାଡ କରାଯାଉ ବୋଲି ଦାବି କରିଛନ୍ତି ଦଳୀୟ କର୍ମୀ । ତେଲେଙ୍ଗାନାରେ ଚାପା ଉତ୍ତେଜନା ଲାଗିରହିଛି ।
ଘଟଣାକୁ ନେଇ ଓ୍ବାରାଙ୍ଗଲ ପୋଲିସ କମିଶନର ଏଭି ରଙ୍ଗନାଥ କହିଛନ୍ତି, ‘ହିନ୍ଦି ପ୍ରଶ୍ନପତ୍ର ଲିକ୍ ହୋଇଥିବା ସ୍ପଷ୍ଟ ହୋଇଛି । ମଙ୍ଗଳବାର ଦିନ ପରୀକ୍ଷା ସକାଳ ୯.୩୦ ମିନିଟରେ ଆରମ୍ଭ ହୋଇଥିବା ବେଳେ ଘଣ୍ଟାଏ ୧୫ ମିନିଟ୍ ପରେ ଅର୍ଥାତ୍ ୧୦.୪୭ ମିନିଟରେ ପ୍ରଶ୍ନପତ୍ର ଲିକ୍ ହୋଇଥିଲା । ଏକାଧିକ ହ୍ବାଟ୍ସଆପ୍ ଗ୍ରୁପରେ ଭାଇରାଲ ହୋଇଥିଲା ପ୍ରଶ୍ନ ପତ୍ର । ସାଇବର ପୋଲିସ ଘଟଣାର ଅଧିକ ଛାନଭିନ୍ ଜାରି ରଖିଛି ଏବଂ ତଦନ୍ତ ଜାରି ରହିଛି’।