ମାଲକାନଗିରିରେ ୫ଟି ସଚିବ ଭି.କେ. ପାଣ୍ଡିଆନ, ୨୦୨୪ ସୁଦ୍ଧା ଉଡିବ ବିମାନ
ରାଜ୍ୟ ସରକାରଙ୍କ ୫ଟି ସଚିବ ଭି.କେ. ପାଣ୍ଡିଆନ ଓ ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ସଚିବ ଆର୍ ଭିନିଲ କ୍ରିଷ୍ଣା ଦୁଇଦିନିଆ ମାଲକାନଗିରି ଜିଲ୍ଲା ଗସ୍ତରେ ଆସି ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ପରିଦର୍ଶନ କରିଛନ୍ତି । ବୁଧବାର ସକାଳେ ସ୍ୱାଭିମାନ ଅଞ୍ଚଳରୁ ଆସି ମାଲକାନଗିରିରେ ପହଞ୍ଚିଥିଲେ ।
ପ୍ରଥମେ ନିର୍ମାଣାଧୀନ ଏୟାର ଷ୍ଟ୍ରିପ୍ ବୁଲି ଦେଖିବା ସହିତ ତୁରନ୍ତ କାର୍ଯ୍ୟ ସାରିବା ପାଇଁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଆସନ୍ତା ୨୦୨୪ ସୁଦ୍ଧା ମାଲକାନଗିରିକୁ ଯେପରି ବିମାନ ଚଳାଚଳ ହେବ ତାହା ଉପରେ ଗୁରୁତ୍ବ ଦେଇଛନ୍ତି ୫ଟି ସଚିବ । ଜିଲ୍ଲାର ବିଭିନ୍ନ ପ୍ରକଳ୍ପର ସମୀକ୍ଷା କରିବା ସହ ପ୍ରକଳ୍ପଗୁଡ଼ିକୁ ଠିକ୍ ସମୟରେ ଶେଷ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।
କେତେବାଟ ଆଗେଇଛି ମାଲକାନଗିରିର ବିକାଶ? ସୀମାନ୍ତ ଅଞ୍ଚଳର ପ୍ରଗତି ପଥରେ କ’ଣ ରହିଛି ସମସ୍ୟା? କିଭଳି ଦ୍ରୁତ ଗତିରେ ଆଗକୁ ବଢ଼ିବ ସ୍ବାଭିମାନ ଅଞ୍ଚଳର ବିକାଶ ତାହାକୁ ଗୁରୁତ୍ବ ଦିଆଯାଉଛି । କେବୁଲ୍ ବଡ଼ପଦର ସବ୍ ଷ୍ଟେସନକୁ ୩୩ କେଭି ଲାଇନ୍ ସଂଯୋଗ କରିବ । କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ସହ ପ୍ରକଳ୍ପକୁ ଯଥାଶୀଘ୍ର ଶେଷ କରିବାକୁ ସେ ଓପିଟିସିଏଲ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।
୫ଟି ସଚିବ ମାଲକାନଗିରିର କୋଟେଲଗୁଡା ଗସ୍ତ କରି ଏୟାର ଷ୍ଟ୍ରିପ୍, ଟର୍ମିନାଲ ବିଲ୍ଡିଂ ଓ ଗେଷ୍ଟ ହାଉସ୍ ନିର୍ମାଣ କାର୍ଯ୍ୟର ତଦାରଖ କରିଥିଲେ । ସମୟ ଅବଧି ପୂର୍ବରୁ କାମ ସାରିବାକୁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଭିକେ ପାଣ୍ଡିଆନ୍ । ଏହା ସହିତ ମାଲକାନାଗିରିର ମାଲ୍ୟ ବନ୍ତ ପର୍ବତ ଶିଖରେ ପ୍ରତିଷ୍ଠିତ ମାଲିକେଶ୍ୱର ମନ୍ଦିର ପରିଦର୍ଶନ କରି ଉନ୍ନତିକରଣ ପାଇଁ ମନ୍ଦିର କମିଟି ସଦସ୍ୟଙ୍କ ସହ ଆଲୋଚନା କରିଥିଲେ । ମନ୍ଦିରର ସୌନ୍ଦର୍ଯ୍ୟକରଣ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଦାଖଲ ପାଇଁ ଡିପିଆର୍ ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦେଇଥିଲେ।
ସତୀଗୁଡା ଇକୋ ପାର୍କ, କଟେଜ୍ ଆଣ୍ଡ ଭିୟୁ ପଏଣ୍ଟରେ ଇକୋ ପାର୍କ ଓ ପର୍ଯ୍ୟଟନସ୍ଥଳୀର ଅଧିକ ବିକାଶ ପାଇଁ ପ୍ରସ୍ତାବ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ୫ଟି ସଚିବ । ଏହା ସହିତ ଆପ୍ରୋଚ୍ ରୋଡର ମରାମତି କାର୍ଯ୍ୟ ଆରମ୍ଭ କରିବାକୁ ସେ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।
୫ଟି ସଚିବ ମୋଟୁ ଯାଇ ତିନୋଟି ରାଜ୍ୟ ଯଥା ଓଡ଼ିଶା, ଆନ୍ଧ୍ରପ୍ରଦେଶ ଓ ଛତିଶଗଡ଼ ର ଟ୍ରାଇ ଜଙ୍କସନ୍ ମୁଗି ପଏଣ୍ଟ ପରିଦର୍ଶନ କରିଥିଲେ। ମୁଗି ପଏଣ୍ଟର ବିକାଶ ପାଇଁ କାର୍ଯ୍ୟଯୋଜନା ଦାଖଲ କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି। ମାନ୍ୟମକୋଣ୍ଡା ଯାଇ ଗୁମ୍ଫା ପରିଦର୍ଶନ କରିବା ସହିତ ଅଧିକ ବିକାଶ ପାଇଁ ଗୁୁରୁତ୍ବ ଦେଇଛନ୍ତି । କାଲିମେଳାରେ ପାଠାଗାର ନିର୍ମାଣ, ଇନ୍ ଡୋର କ୍ରୀଡ଼ା ସୁବିଧା ଏବଂ ଦକ୍ଷତା ବିକାଶ ପାଇଁ ନିର୍ମିତ ଗୃହ ଦେଖି ପ୍ରଶଂସା କରିଛନ୍ତି । ଏହା ପରେ ୫ଟି ସଚିବ ବାଳକ ଉଚ୍ଚ ବିଦ୍ୟାଳୟରେ ଥିବା କ୍ଲାସ୍ ରୁମ୍, ସ୍ମାର୍ଟ କ୍ଲାସ୍,ଇ-ଲାଇବ୍ରେରୀ ଓ ସାଇନ୍ସ ଲାଇବ୍ରେରି ପରିଦର୍ଶନ କରିଥିଲେ।
ବୁଧବାର ଅପରାହ୍ନରେ ଜିଲ୍ଲା ପାଠାଗାରକୁ ଯାଇ ସାଧାରଣ ଲୋକଙ୍କ ଅଭିଯୋଗ ଶୁଣିବା ସହ ତୁରନ୍ତ ଅଭିଯୋଗର ସମାଧାନ କରିବାକୁ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଓକିଲ ସଂଘ ଓ ଜିଲ୍ଲାପ୍ରେସ କ୍ଲବ, ସାମ୍ବାଦିକ ସଂଘର କର୍ମକର୍ତ୍ତା ୫ଟି ସଚିବଙ୍କୁ ଭେଟି ଦାବି ଉପସ୍ଥାପନ କରିଛନ୍ତି ।