ଲୋକସଭା ବାଚସ୍ପତି ଓମ୍ ବିର୍ଲାଙ୍କ ବିରୋଧରେ ଅବିଶ୍ବାସ ପ୍ରସ୍ତାବ ଆଣିବେ ବିରୋଧି ଦଳ
ଲୋକସଭା ବାଚସ୍ପତି ଓମ୍ ବିର୍ଲାଙ୍କ ବିରୋଧରେ ଅବିଶ୍ବାସ ପ୍ରସ୍ତାବ ଆଣିବେ ବିରୋଧି ଦଳ । ଏ ନେଇ କଂଗ୍ରେସର ଜଣେ ବରିଷ୍ଠ ନେତା ସୂଚନା ଦେଇଛନ୍ତି । ରାହୁଲ ଗାନ୍ଧିଙ୍କ ଲୋକସଭା ସଦସ୍ୟ ପଦ ରଦ୍ଦ କରିବା ଓ ସଂସଦରେ ବାଚସ୍ପତି ପକ୍ଷପାତିତା କରିଥିବା ବିରୋଧୀ ଦଳମାନେ ଅଭିଯୋଗ କରିଛନ୍ତି ।
ଏହାକୁ ବିରୋଧ କରିବା ପୂର୍ବକ ଆସନ୍ତା ସୋମବାର ଗୃହରେ ଅବିଶ୍ବାସ ପ୍ରସ୍ତାବ ଆଣାଯିବାର ସମ୍ଭାବନା ରହିଛି ।
ମଙ୍ଗଳବାର କଂଗ୍ରେସ ସାଂସଦଙ୍କୁ ନେଇ ଅନୁଷ୍ଠିତ ବୈଠକରେ ଅବିଶ୍ବାସ ପ୍ରସ୍ତାବ ଆଣିବାକୁ ଆଲୋଚନା ହୋଇଛି । ଏହା ସହିତ ଅନ୍ୟ ବିରୋଧୀ ଦଳର ସାଂସଦଙ୍କ ସହିତ ବି ଆଲୋଚନା କରାଯାଉଥିବା ଜଣେ ବରିଷ୍ଠ କଂଗ୍ରେସ ନେତା କହିଛନ୍ତି । କଂଗ୍ରେସ ସାଂସଦଙ୍କ ଅଭିଯୋଗ ଯେ, ସଂସଦ ଗୃହରେ ବାଚସ୍ପତି ଓମ୍ ବିର୍ଲା ପକ୍ଷପାତିତା କରୁଛନ୍ତି । ଏହା ସହିତ ବିରୋଧୀ ସଦସ୍ୟ ଆଦାନୀ ପ୍ରସଙ୍ଗ ଉଠାଇଲେ, କିଛି ଦାବି ଜଣାଇଲେ କିମ୍ବା କହିବାକୁ ଗଲେ ଜାଣିଶୁଣି ସେମାନଙ୍କ ମାଇକ୍ ବନ୍ଦ କରି ଦିଆଯାଉଛି । ବାରମ୍ବାର ଏଭଳି ହେଉଥିବା କାରଣରୁ ବିରୋଧି ସଦସ୍ୟ କିଛି କହି ପାରୁନାହାନ୍ତି ।
ସୂଚନା ଯୋଗ୍ୟ ଯେ, ୨୦୧୯ ମସିହାରେ ଏକ ଦଳୀୟ ରାଲିରେ ମୋଦି ସାଙ୍ଗିଆକୁ ନେଇ ବିବାଦୀୟ ବୟାନ ଦେଇଥିଲା କଂଗ୍ରେସ ନେତା ରାହୁଲ ଗାନ୍ଧି । ଯାହାକୁ ନେଇ ମାମଲା ରୁୁଜୁ ହୋଇଥିଲା ଏବଂ ଶୁଣାଣି ଜାରି ରହିଥିଲା । ଏହି ମାମଲାରେ ରାହୁଲ ଗାନ୍ଧିଙ୍କୁ ସୁରତ୍ କୋର୍ଟ ଦୋଷୀ ସାବ୍ୟସ୍ତ କରିବା ସହିତ ୨ ବର୍ଷର ଜେଲ୍ ଦଣ୍ଡାଦେଶ ଶୁଣାଇଥିଲେ । ପରେ ଅବଶ୍ୟ ତାଙ୍କୁ ବେଲ୍ ମିଳିଯାଇଥିଲା । କିନ୍ତୁ ଗତ ଶୁକ୍ରବାର ରାହୁଲ ଗାନ୍ଧିଙ୍କ ଲୋକସଭା ସଦସ୍ୟ ପଦ ରଦ୍ଦ କରାଯାଇଥିଲା । ଏହି ଘଟଣାକୁ ନେଇ ତମ୍ବିତୋଫାନ ଲାଗି ରହିଥିବା ବେଳେ କେନ୍ଦ୍ରର ମୋଦି ସରକାରଙ୍କୁ ଟାର୍ଗେଟ୍ କରୁଛି କଂଗ୍ରେସ । କେବଳ କଂଗ୍ରେସ ନୁହେଁ ଅନେକ ବିରୋଧୀ ଦଳ ହଙ୍ଗାମା କରିବା ସହିତ ବାହାରେ ପ୍ରଦର୍ଶନ କରୁଛନ୍ତି ।