ନଳକୂପ ଖୋଳୁ ଖୋଳୁ ବାହାରିଲା ସୁନା !
ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ଥାନା ଅନ୍ତର୍ଗତ ନାନ୍ଦୁପଲା ପଞ୍ଚାୟତ ଛଞ୍ଚାଣବାହାଲି ଗାଁରେ ସୁନାଖଣି ! ଗ୍ରାମର ମହମ୍ମଦ ଜାଭେଦ ଦେବରଙ୍କ ଚାଷଜମିରେ ନୂତନ ଭାବେ ଖୋଳାଯାଇଥିବା ଗଭୀର ନଳକୂପରୁ ସୁନା ବାହାରୁଥିବା ଚର୍ଚ୍ଚା ହେଉଛି ।
ଗତ ୮ତାରିଖରେ ଜାଭେଦ ତାଙ୍କ ଚାଷଜମିରେ ଏକ ଗଭୀର ନଳକୂପ ଖୋଳିଥିଲେ । ଉକ୍ତ ନଳକୂପରେ ଏକ ପାଣିମଟର ଖଞ୍ଜାଯାଇ ଗୋଳିଆ ଓ ମାଟିମିଶା ପାଣି ବାହାର କରାଯାଉଥିଲା । ସେହି ସମୟରେ ନଳକୂପ ପାଣିରେ କିଛି ଉଜ୍ଜ୍ୱଳ ବସ୍ତୁ ମିଶିକରି ବାହାରୁଥିବା ଜାଭେଦ ଦେଖିଥିଲେ । ଏହା ସୁନାଗୁଣ୍ଡ ବୋଲି ଜାଭେଦଙ୍କର ସନ୍ଦେହ ହୋଇଥିଲା । ଏନେଇ ସ୍ଥାନୀୟ ଲୋକେ ଖପ୍ରାଖୋଲ ତହସିଲାଦାରଙ୍କୁ ଜଣାଇଥିଲେ । ଏହାପରେ ତହସିଲାଦାର ଆଦିତ୍ୟ ପ୍ରାସାଦ ମିଶ୍ର ନଳକୂପ ଖୋଳା ଯାଇଥିବା ସ୍ଥାନକୁ ଯାଇ ତଦନ୍ତ କରିଥିଲେ । ସେହିପରି ବିଡ଼ିଓ ରଶ୍ମିରଞ୍ଜନ ରାଉତ ଏବଂ ଥାନାଧିକାରୀ ରମାକନ୍ତ ସାହୁ ମଧ୍ୟ ପହଞ୍ଚି ନଳକୂପରୁ ବାହାରିଥିବା ପଥର ଗୁଣ୍ଡ ନିରୀକ୍ଷଣ କରିଥିଲେ । ଚକଚକ କରୁଥିବା ପଥରଗୁଣ୍ଡକୁ ଜମିମାଲିକ ସୁନା ବୋଲି ସନ୍ଦେହ କରୁଛନ୍ତି । ଏଣୁ ପରୀକ୍ଷଣ ପାଇଁ ଉକ୍ତ ପଥରଗୁଣ୍ଡର ନମୁନା ସଂଗ୍ରହ କରାଯାଇଛି । ପରୀକ୍ଷଣ ପରେ ଏହା ସୁନା କି ନୁହେଁ ସ୍ପଷ୍ଟହେବ ବୋଲି ତହସିଲଦାର ଶ୍ରୀ ମିଶ୍ର କହିଛନ୍ତି ।
ପ୍ରକାଶ ଯେ, ଗନ୍ଧମାର୍ଦ୍ଦନ ପାଦଦେଶରେ ବିଭିନ୍ନ ଧାତୁ ଭରପୁର ଥିବାବେଳେ ସୁନା ମଧ୍ୟ ରହିଥିବା ପୂର୍ବରୁ ଆଲୋଚନା ହେଉଥିଲା । ଛଞ୍ଚାଣବାହାଲି ଗ୍ରାମ ଗନ୍ଧମାର୍ଦ୍ଦନ ପାହାଡ଼ ପାଦଦେଶରେ ରହିଛି । ଏଣୁ ଏହି ସ୍ଥାନରୁ ସୁନା ବାହାରିବ କି ନାହିଁ ଖଣିବିଭାଗ ତଦନ୍ତ କଲେ ସ୍ପଷ୍ଟ ହେବ ବୋଲି ବୁଦ୍ଧିଜୀବୀ ମହଲରେ ଆଲୋଚନା ହେଉଛି ।