ରାହୁଲ ଗାନ୍ଧୀଙ୍କ ସାଂସଦ ସଦସ୍ୟତା ରଦ୍ଦ ନେଇ ଏଭଳି ପ୍ରତିକ୍ରିୟା ରଖିଲେ ମମତା ବାନାର୍ଜୀ

0

କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ସାଂସଦ ସଦସ୍ୟତା ରଦ୍ଦ ହେବା ପରେ ଏହାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ‌ତଥା ଟିଏମସି ଅଧ୍ୟକ୍ଷ ମମତା ବାନାର୍ଜୀ। ସେ କହିଛନ୍ତି ଯେ,’ପ୍ରଧାନମନ୍ତ୍ରୀ ମୋଦୀଙ୍କ ନୂଆ ଭାରତରେ ବିଜେପିର ଟାର୍ଗେଟରେ ରହିଛନ୍ତି ବିରୋଧ ଦଳ ନେତା।’ ମମତା ପୁଣି କହିଛନ୍ତି ଯେ,’ଅପରାଧିକ ପୃଷ୍ଠଭୂମିରେ ସାମିଲ ‌ଥିବା ଅନେକ ବିଜେପି ନେତା ମନ୍ତ୍ରୀମଣ୍ଡଳରେ ରହିଥିବା ବେଳେ ଜଣେ ବିରୋଧିଙ୍କ ବୟାନକୁ ନେଇ ତାଙ୍କୁ ଅଯୋଗ୍ୟ ସାବ୍ୟସ୍ତ କରାଯାଇଛି।

ଆଜି ଆମେ ଆମର ସାମ୍ବିଧାନିକ ଲୋକତନ୍ତ୍ର ପାଇଁ ଏକ ନିମ୍ନସ୍ଥର ଦେଖିଲୁ। ସେପଟେ ତମାମ ମାମଲାକୁ ନେଇ ଅଭିଶେକ ବାନାର୍ଜୀ ମଧ୍ୟ ପ୍ରତିକ୍ରିୟା ଦେଇଛନ୍ତି। ସେ ହ୍ୟାସ୍‌ଟ୍ୟାଗ୍‌ ଦେଇ ଆରଆଇପି ଡେମୋକ୍ରାସି ଲେଖି ଟ୍ବିଟ କରିଥିଲେ।

ସୂଚନାଥାଉକି, ସୁରଟର ଏକ କୋର୍ଟ ଗୁରୁବାର ଦିନ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ‘ମୋଦୀ’ ଉପନାମ (ସାଙ୍ଗିଆ) ସମ୍ବନ୍ଧରେ ଦେଇଥିବା ମନ୍ତବ୍ୟ ପାଇଁ ୨୦୧୯ ରେ ଦାଖଲ ହୋଇଥିବା ଅପରାଧିକ ମାନହାନୀ ମାମଲାରେ ଦୁଇ ବର୍ଷ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ତେବେ ରାହୁଲ ଗାନ୍ଧୀଙ୍କୁ କୋର୍ଟ ଜାମିନ ପ୍ରଦାନ କରିଛନ୍ତି। କଂଗ୍ରେସ ନେତାମାନେ ଏହି ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରି ପାରିବେ ବୋଲି କୋର୍ଟ ତାଙ୍କ ଦଣ୍ଡର ନିଷ୍ପତ୍ତିକୁ ୩୦ ଦିନ ପର୍ଯ୍ୟନ୍ତ ସ୍ଥଗିତ ରଖିଥିଲେ।

ତେବେ ଏସବୁ ଭିତରେ ରାହୁଲ ଗାନ୍ଧୀଙ୍କ ସାଂସଦ ସଦସ୍ୟତା ରଦ୍ଦ କରିଦିଆଯାଇଛି। ଲୋକସଭା ସଚିବାଳୟ ବିଜ୍ଞପ୍ତି ଜାରୀ କରି କହିଛନ୍ତି ଯେ, ସେ (ରାହୁଲ ଗାନ୍ଧୀ) ସମ୍ବିଧାନର ଧାରା ୧୦୨ (କ) ଏବଂ ଜନପ୍ରତିନିଧୀ ଅଧିନିୟମ ୧୯୫୧ର ଧାରା ୮ ଅନୁସାରେ ଅଯୋଗ୍ୟ ଘୋଷଣା କରାଯାଇଛି। କଂଗ୍ରେସ ଏହି ନିଷ୍ପତ୍ତିକୁ ନେଇ କହିଛି ଯେ,’ରାହୁଲ ଗାନ୍ଧୀଙ୍କ ଲୋକସଭା ସଦସ୍ୟତା ରଦ୍ଦ କରାଯାଇଛି। ସେ ଜନସାଧାରଣ ଓ ଦେଶ ପାଇଁ ଲଗାତର ସଡ଼କରୁ ସଂସଦ ଉପରେ ଲଢ଼ି ଆସୁଛନ୍ତି, ଗଣତନ୍ତ୍ରର ସୁରକ୍ଷା ପାଇଁ ସେ ଲଗାତର ପ୍ରୟାସ କରିଆସୁଛନ୍ତି। ସବୁ ଷଡ଼ଯନ୍ତ୍ର ପରେ ବି ସେ ଲଢ଼େଇ କରିବାକୁ ପ୍ରସ୍ତୁତ ଏବଂ ଏହି ମାମଲାରେ ମଧ୍ୟ ନ୍ୟାୟପୂର୍ଣ୍ଣ କାମ ଜାରି ରଖିବେ।

Leave a comment