ଆରମ୍ଭ ହେଲା ମିଶନ ଅନ୍ତ୍ୟୋଦୟ, ଗାଁ ଗାଁ ବୁଲି ୨୧୬ ପ୍ରଶ୍ନର ତଥ୍ୟ ଖୋଜିବେ
ଗାଁରେ ଗାଁରେ ହେବ ସର୍ଭେ । ଶିକ୍ଷା, ସ୍ୱାସ୍ଥ୍ୟ, କୃଷି, ଦ୍ରାରିଦ୍ୟ ଦୂରୀକରଣ, ସାମାଜିକ ବିକାଶ, ସରକାରୀ ଭିତ୍ତିଭୂମି, ପରିମଳ, ପିଇବା ପାଣି ଭଳି ୨୯ଟି ବିଷୟ ଉପରେ ୨୧୬ଟି ପ୍ରଶ୍ନ କରାଯିବ । ସରପଞ୍ଚ, ଗ୍ରାମବାସୀ ଓ ପଞ୍ଚାୟତ ଅଧିକାରୀଙ୍କୁ ଶତାଧିକ ପ୍ରଶ୍ନ ପଚରାଯିବ । ଏହି ପ୍ରଶ୍ନର ଉତ୍ତର ଓ ଗ୍ରାମବାସୀଙ୍କ ଦାବି ଆଧାରରେ ଗାଁ ପାଇଁ ବିକାଶର ଖସଡ଼ା ତିଆରି ହେବ ।
ଗାଁରେ ଏଭଳି ସର୍ଭେ ପାଇଁ ମିଶନ ଅନ୍ତ୍ୟୋଦୟ ଆରମ୍ଭ ହୋଇଛି । ଗତ ୧୪ ତାରିଖଠାରୁ ଆରମ୍ଭ ହୋଇଥିବା ଏହି ସର୍ଭେ ଆସନ୍ତା ୨୫ ତାରିଖ ଯାଏ ଚାଲିବ । ରାଜ୍ୟର ୫୧ ହଜାର ୩୦୪ ଗାଁରେ ସର୍ଭେ ଆରମ୍ଭ ଚାଲିଛି । ସ୍ଥାନୀୟ ସମସ୍ୟା (ଗ୍ୟାପ୍ ଫାଇଣ୍ଡିଂ) ଜାଣିବା ସହ ଲୋକଙ୍କ ଆବଶ୍ୟକତା ବୁଝି ଗାଁ ବିକାଶ ପାଇଁ ଯୋଜନା ତିଆରି କରିବାକୁ ଏହି ସର୍ଭେ ହେଉଛି । ସର୍ଭେରୁ ସମସ୍ତ ତଥ୍ୟ ସଂଗ୍ରହ ପରେ ଏହାକୁ ଗ୍ରାମସଭାରେ ଉପସ୍ଥାପନା କରାଯିବ । ପ୍ରତିଟି ପ୍ରଶ୍ନ ପାଇଁ ସଂଗ୍ରହ ହୋଇଥିବା ତଥ୍ୟ ଠିକ୍ ଅଛି କି ନା, ତାହା ଗ୍ରାମସଭାରେ ଆଲୋଚନା ହେବ । ଗାଁ ଲୋକଙ୍କ ଆଗରେ ୨୧୬ ପ୍ରଶ୍ନର ତଥ୍ୟ ଉପରେ ଟିକିନିଖି ଆଲୋଚନା ହେବ । ଗ୍ରାମସଭାରେ ମୋହର ପରେ ଏହାକୁ ଅପଲୋଡ୍ କରାଯିବ ।
ନୂଆ ମୁଖ୍ୟ ଶାସନ ସଚିବ ଦାୟିତ୍ୱ ନେବା ପରେ ରାଜ୍ୟରେ ଏହି ସର୍ଭେ ଆରମ୍ଭ ହୋଇଛି । ସର୍ଭେ ଆରମ୍ଭ ପାଇଁ କେନ୍ଦ୍ର ସରକାର ପ୍ରତି ରାଜ୍ୟକୁ ନିର୍ଦ୍ଦେଶ ଦେଇଥିଲେ । ପୂର୍ବରୁ କେନ୍ଦ୍ର ଗ୍ରାମ୍ୟ ଉନ୍ନୟନ ମନ୍ତ୍ରାଳୟ ସଚିବ ଶୈଳେଶ କୁମାର ସିଂ ଓ କେନ୍ଦ୍ର ପଞ୍ଚାୟତିରାଜ ମନ୍ତ୍ରାଳୟ ସଚିବ ସୁନୀଲ କୁମାର ମୁଖ୍ୟ ଶାସନ ସଚିବଙ୍କୁ ଚିଠି ଲେଖି ସର୍ଭେ ଆରମ୍ଭ ପାଇଁ କହିଥିଲେ ।
ଅନ୍ତ୍ୟୋଦୟ ଗାଇଡଲାଇନ୍ ଅନୁସାରେ ପ୍ରଥମେ ଗ୍ରାମପଞ୍ଚାୟତର ମୁଖ୍ୟାଳୟ (ହେଡ୍କ୍ୱାର୍ଟର) ଗାଁରୁ ସର୍ଭେ ଆରମ୍ଭ ହେବ । ଆପସ୍ରେ ଏହାର ତଥ୍ୟ ଅପଲୋଡ୍ କରିବା ପରେ ଯାଇ ଅନ୍ୟ ଗାଁରେ ସର୍ଭେ କରି ହେବ । ସର୍ଭେ ପାଇଁ ରାଜ୍ୟରେ ପ୍ରାୟ ୩୮ ହଜାର କମ୍ୟୁନିଟି ରିସୋର୍ସ ପର୍ସନ(ସିଆର୍ପି)ଙ୍କୁ ନିୟୋଜିତ କରାଯାଇଛି । ଯେଉଁଠି ସିଆର୍ପି ନଥିବେ ସେଠି ମାଷ୍ଟର ବୁକ୍ କିପର(ଏମବିକେପି) ଓ ଜିଆରଏସ୍ମାନେ ସର୍ଭେ କରିବେ । ସର୍ଭେରେ ଯେଉଁ ପ୍ରଶ୍ନ ଉପରେ ତଥ୍ୟ ଅପଲୋଡ୍ କରିବେ ତାର ପ୍ରମାଣ ଭାବେ ଫଟୋକୁ ଜିଓଟ୍ୟାଗିଂ କରିବେ । ପଞ୍ଚାୟତ ଅଫିସ୍, କୃଷି ଅଧିକାରୀ, ମତ୍ସ୍ୟ ବିଭାଗ ଅଧିକାରୀ, ରାଜସ୍ୱ ଓ ଜଙ୍ଗଲ ବିଭାଗ ଅଧିକାରୀଙ୍କ ସହ ସଂପୃକ୍ତ ସମସ୍ତ ବିଭାଗର ଅଧିକାରୀମାନେ ସର୍ଭେ ପାଇଁ ଆବଶ୍ୟକ ପଡୁଥିବା ତଥ୍ୟ ତତ୍କାଳ ଯୋଗାଇବାକୁ ସରକାର ପୂର୍ବରୁ ନିର୍ଦ୍ଦେଶ ଦେଇ ସାରିଛନ୍ତି ।
ଗାଁ ତଥା ପଞ୍ଚାୟତର ଆବଶ୍ୟକତା ବୁଝି ସ୍ୱତନ୍ତ୍ର ଯୋଜନା ମାଧ୍ୟମରେ ସ୍ଥାନୀୟ ସମସ୍ୟାକୁ ସମାଧାନ ପାଇଁ ଏହି ସର୍ଭେ ହେଉଛି । ଏହି ସର୍ଭେର ତଥ୍ୟ ଆଧାରରେ ଗ୍ରାମ ପଞ୍ଚାୟତ ଡେଭଲପ୍ମେଣ୍ଟ ଫଣ୍ଡ୍ (ଜିପିଡିପି) ପ୍ରସ୍ତୁତ କରାଯିବ । ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା, ସରକାରଙ୍କ ବିଭିନ୍ନ ବିଭାଗ ପାଖରେ ତୃଣମୂଳସ୍ତରର ତଥ୍ୟ ପହଞ୍ଚିବ । ଗାଁରେ କେତେ ଚାଷ ଜମି ଅଛି ? ମାଛ ଚାଷ ପାଇଁ ଜଳାଶୟ ସୁବିଧା ରହିଛି? ଜଳସେଚନର ସୁବିଧା କଣ ଅଛି? କେଉଁ ସ୍ଥାନରେ ଚେକ୍ଡ୍ୟାମ୍ର ଆବଶ୍ୟକତା ଅଛି? ବୃକ୍ଷରୋପଣ ପାଇଁ କେଉଁଠି ଖାଲିସ୍ଥାନ ରହିଛି? ଏ ସବୁର ଟିକିନିଖି ତଥ୍ୟ ସରକାରଙ୍କ ପାଖରେ ରହିବ ।
ସେହିଭଳି ବିଭିନ୍ନ ସରକାରୀ ଯୋଜନାର କାର୍ଯ୍ୟକାରିତା ଠିକ୍ରେ ହେଉଛି କି ନା? ବଞ୍ଚିତ ପରିବାରର ସଦସ୍ୟଙ୍କୁ ରୋଜଗାର ସୁବିଧା, ଗ୍ରାମାଞ୍ଚଳରେ ବିକାଶ କାମ କିଭଳି ହେଉଛି, ତୃଣମୂଳସ୍ତରରେ ପ୍ରଶାସନିକ ସକ୍ରିୟତା, ବିକାଶମୂଳକ କାମରେ ଲୋକଙ୍କ ଭାଗିଦାରୀ ବଢ଼ାଇବା ଓ ଗ୍ରାମାଞ୍ଚଳରେ ନିଯୁକ୍ତି ସୁଯୋଗ ବଢ଼ାଇବା ପାଇଁ ବିଭିନ୍ନ ସଂସ୍ଥା ଓ ଉଦ୍ୟୋଗକୁ ପଞ୍ଚାୟତିରାଜ ଅନୁଷ୍ଠାନ ସହ ଯୋଡ଼ିବା ଉଦ୍ଦେଶ୍ୟରେ ଏହି ସର୍ଭେ କରାଯାଉଛି । ଏହି ସର୍ଭେରୁ ଯେଉଁ ତଥ୍ୟ ବାହାରିବ ତା ଆଧାରରେ ପଞ୍ଚାୟତ ପାଇଁ ଯୋଜନା ପ୍ରଣୟନ ହେବ ବୋଲି ପଞ୍ଚାୟତିରାଜ ବିଭାଗର ଜଣେ ଅଧିକାରୀ ସୂଚନା ଦେଇଛନ୍ତି । ମୋଟ ୨୯ଟି ବିଷୟ ଉପରେ ଏହି ସର୍ଭେ ହେବ । ରାସ୍ତାଘାଟ, ପିଇବା ପାଣି, ବିଦ୍ୟୁତ୍, ଅଣପାରମ୍ପରିକ ଶକ୍ତି ଉତ୍ସ, ଗୋଷ୍ଠୀଗତ ସମ୍ପତ୍ତିର ସୁରକ୍ଷା, ପରିଚାଳନା, ପିଡିଏସ୍, ଶିକ୍ଷା, ଧନ୍ଦାମୂଳକ ଶିକ୍ଷା, ବଜାର ଓ ହାଟ, ସ୍ୱାସ୍ଥ୍ୟ, ପରିମଳ, ସାମାଜିକ ଉନ୍ନୟନ, ଗରିବୀ ଦୂରୀକରଣ କାର୍ଯ୍ୟକ୍ରମ, ସାମାଜିକ ବନୀକରଣ, କ୍ଷୁଦ୍ର ଶିଳ୍ପ, କ୍ଷୁଦ୍ର ଜଳସେଚନ, ମତ୍ସ୍ୟ ଓ ପଶୁସମ୍ପଦ, ଗ୍ରାମୀଣ ଘର ଭଳି ବିଷୟ ଉପରେ ସର୍ଭେ ହେବ ।
ତେବେ ଏହି ସର୍ଭେ ପାଇଁ ସ୍ୱତନ୍ତ୍ର ଆପସ୍ ବିକଶିତ ହୋଇଛି । ଏଥିରେ ୨୧୬ଟି ପ୍ରଶ୍ନାବଳୀ ଥିବା ତାଲିକା ତିଆରି ହୋଇଛି । ବିଭିନ୍ନ ଯୋଜନାର ହିତାଧିକାରୀଙ୍କ ତାଲିକା ପଞ୍ଚାୟତ କାନ୍ଥରେ ପ୍ରଦର୍ଶିତ କରାଯାଉଛି କି ନା? ପଞ୍ଚାୟତ ଆୟ ପ୍ରମାଣପତ୍ର ଦେଉଛି କି ନାହିଁ? ପଞ୍ଚାୟତ ଷ୍ଟାଣ୍ଡିଂ କମିଟିରେ ଏସଏଚ୍ଜିଙ୍କୁ ସଦସ୍ୟ ଭାବେ ରଖାଯାଇଛି ତ’? ଗ୍ରାମସଭାରେ ମହିଳା ସାମିଲ ହେଉଛନ୍ତି କି ନାହିଁ? ଯଦି ସାମିଲ ହେଉଛନ୍ତି ତେବେ କେତେ ଜଣ? ପଞ୍ଚାୟତରେ କମ୍ୟୁନିଟି କୋଠା ଅଛି ତ? ପଞ୍ଚାୟତ ଓ ଗାଁର ବିଭିନ୍ନ ସ୍ଥାନରେ ସୂଚନା ଫଳକ ଲାଗିଛି କି ନା? ଶେଷଥର ପାଇଁ ପଞ୍ଚାୟତରେ ମହିଳା ସଭା କେବେ ହୋଇଥିଲା? ପଞ୍ଚାୟତରୁ ଏଭଳି ମାଳ ମାଳ ପ୍ରଶ୍ନର ତଥ୍ୟ ସଂଗ୍ରହ କରାଯିବ ।
ସ୍ଥାନୀୟ ସ୍କୁଲର ଶିକ୍ଷକ, ଆଶା ଓ ଏଏନଏମ୍ କର୍ମୀ, ଅଙ୍ଗନବାଡ଼ି କର୍ମୀ, ଏସଏଚ୍ଜି, ବିଡିଓ ଓ ପଞ୍ଚାୟତ ଅଧିକାରୀଙ୍କଠାରୁ ମଧ୍ୟ ଅନେକ ପ୍ରଶ୍ନର ଉତ୍ତର ସଂଗ୍ରହ କରାଯିବ । ତେବେ ସଂଗ୍ରୃହୀତ ହୋଇଥିବା ତଥ୍ୟ/ଉତ୍ତର ଠିକ୍ କି ନା, ତାକୁ ଯାଞ୍ଚ ପାଇଁ ଗ୍ରାମସଭା ଡକାଯିବ । ଗ୍ରାମସଭାରେ ପ୍ରତିଟି ଉତ୍ତରକୁ ଲୋକଙ୍କଠାରୁ ଯାଞ୍ଚ କରାଯିବ । ଗ୍ରାମସଭାରେ ଏହି ସର୍ଭେର ସବୁ ତଥ୍ୟକୁ ସ୍ୱୀକୃତି ମିଳିବା ପରେ ଯାଇ ଏହା ସରକାରଙ୍କୁ ଦିଆଯିବ । ଅଧିକାଂଶ ଗାଁରେ ସର୍ଭେ ଜୋରସୋରରେ ଚାଲିଛି । ଅନେକ ଗାଁରେ ସର୍ଭେ ଶେଷ ହୋଇଗଲାଣି । ଖୁବ୍ଶୀଘ୍ର ଦ୍ୱିତୀୟ ଗ୍ରାମସଭା ଡାକି ସର୍ଭେ ତଥ୍ୟ ଉପସ୍ଥାପନ କରାଯିବ ବୋଲି ପଞ୍ଚାୟତିରାଜ ବିଭାଗର ଜଣେ ଅଧିକାରୀ କହିଛନ୍ତି ।