ରାଜନୀତିକୁ ସନ୍ନ୍ୟାସ ନେବେ ବୋଲି ଲାଗିରହିଥିବା ଚର୍ଚ୍ଚାରେ ଏଭଳି ଉତ୍ତର ଦେଇ ପୂର୍ଣ୍ଣଛେଦ ପକାଇଲେ ସୋନିଆ
କଂଗ୍ରେସର ମହାଅଧିବେଶନରେ ପୂର୍ବତନ ଅଧ୍ୟକ୍ଷ ସୋନିଆ ଗାନ୍ଧୀଙ୍କ ସମ୍ବୋଧନ ପରେ ସେ ରାଜନୀତିକୁ ସନ୍ନ୍ୟାସ ନେବେ ବୋଲି ଚର୍ଚ୍ଚା ଜୋର ଧରିଛି। ଏବେ ସୋନିଆ ଗାନ୍ଧୀ ନିଜେ ଏହି ଚର୍ଚ୍ଚା ଆଲୋଚନା ଉପରେ ପୂର୍ଣ୍ଣଛେଦ ପକାଇଛନ୍ତି। କଂଗ୍ରେସ ମୁଖପାତ୍ର ଅଲକା ଲାମ୍ବା ରବିବାର ସୋନିଆଙ୍କ ପକ୍ଷରୁ କହିଛନ୍ତି ଯେ, ‘ସେ କେବେ ବି ଅବସର ନେଇନଥିଲେ କି ଭବିଷ୍ୟତରେ ମଧ୍ୟ ଅବସର ନେବେ ନାହିଁ।’
ଦଳୀୟ ଅଧିବେଶନ ଶେଷରେ କହିଛନ୍ତି ଯେ, ସୋନିଆଙ୍କ ଭାଷଣଙ୍କୁ ନେଇ ଗଣମାଧ୍ୟମ ଅଲଗା ଅର୍ଥ ବାହାର କରିବା ବନ୍ଦ କରୁ। ସୋନିଆଙ୍କ ବୟାନକୁ ନେଇ କଂଗ୍ରେସ ନେତା କୁମାରୀ ସୈଳଜା କହିଛନ୍ତି ଯେ, ‘ସୋନିଆ ଅଧ୍ୟକ୍ଷ ପଦରୁ ତାଙ୍କ ପାଳି ପୂରା ହେବା କଥା କହିଥିଲେ, ରାଜନୀତିରୁ ନୁହେଁ।’ ସୂଚନାଥାଉକି, ଦଳର ୮୫ତମ ମହାଧିବେଶନରେ ଶନିବାର ଦଳର ପୂର୍ବତନ ଅଧ୍ୟକ୍ଷ ସୋନିଆ ଗାନ୍ଧୀ କହିଥିଲେ ଯେ, ‘ଭାରତ ଯୋଡ଼ୋ’ ଯାତ୍ରା ସହିତ ମୋ ଅଧ୍ୟକ୍ଷତାର ପାଳି ଶେଷ ହୋଇଛି। କିନ୍ତୁ କିଛି ଗଣମାଧ୍ୟମ ରିପୋର୍ଟରେ ସୋନିଆଙ୍କର ଏହି ବୟାନକୁ ସେ ରାଜନୀତିରୁ ସନ୍ନ୍ୟାସ ନେବେ ବୋଲି ପ୍ରଚାର କରାଯାଇଥିଲା। ତେବେ ତମାମ ପ୍ରଚାରକୁ ଖଣ୍ଡନ କରିଛି କଂଗ୍ରେସ।
ମହାଧିବେଶନରେ ସୋନିଆ ଗାନ୍ଧୀ କହିଥିଲେ ଯେ, ‘ମୋର ଅତ୍ୟନ୍ତ ସୌଭାଗ୍ୟ ଯେ, ମୁଁ ପ୍ରଥମ ଥର ୧୯୯୮ରେ ଅଧ୍ୟକ୍ଷ ହୋଇଥିଲି। ଏହି ୨୫ ବର୍ଷରେ ଆମ ଦଳ ବିଶ୍ବସନୀୟ ଉପଲବ୍ଧି ହାସଲ କରିବା ସହିତ ଗଭୀର ପରାଜୟର ମଧ୍ୟ ସମ୍ମୁଖିନ ହୋଇଛି। ଆପଣଙ୍କ ସହଯୋଗରୁ ଆମକୁ ସାହାସ ମିଳିଛି। ସେ କହିଥିଲେ ଯେ, ପ୍ରଥମେ ୨୦୦୪ରେ ମୁଁ ଜିତିଥିଲି ଏବଂ ପୁଣିଥରେ ଡଃ ମନମୋହନ ସିଂହଙ୍କ ନେତୃତ୍ବରେ ୨୦୦୯ରେ ପୁଣିଥରେ ଅଧ୍ୟକ୍ଷ ପଦ ପାଇଁ ଜିତିଥିଲି। ମୋତେ ଏହି ପଦବିରେ ବ୍ୟକ୍ତିଗତ ଭାବରେ ଆତ୍ମ ସନ୍ତୋଷ ମିଳିଥିଲା।’