ପ୍ରଦୀପ ଜେନା ହେଲେ ନୂତନ ମୁଖ୍ୟ ଶାସନ ସଚିବ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ପ୍ରଦୀପ ଜେନା ହେଲେ ନୂତନ ମୁଖ୍ୟ ଶାସନ ସଚିବ । ସୁରେଶ ମହାପାତ୍ରଙ୍କ କାର୍ଯ୍ୟକାଳ ବୃଦ୍ଧି ପାଇଁ ପୁନର୍ବାର ନିବେଦନ କରାଯାଇଥିଲେ ମଧ୍ୟ ହଠାତ ରାଜ୍ୟ ସରକାର ନିଜ ନିଷ୍ପତ୍ତି ପରିବର୍ତ୍ତନ କରିଛନ୍ତି । ଏହା ପଛର ମୁଖ୍ୟ କାରଣ ପୂର୍ବତନ ମୁଖ୍ୟ ଶାସନ ସଚିବ ବିଜୟ ପଟ୍ଟନାୟକ ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ଜୋର ଧରିଛି । କାରଣ କିଛି ଦିନ ତଳେ ବିଜୟ ରାଜ୍ୟ କଂଗ୍ରେସରେ ଯୋଗ ଦେବା ସହ ରାଜ୍ୟକୁ କିଛି ଅଣ ଓଡ଼ିଆ ଚଳାଉଥିବା ନେଇ ସରକାରଙ୍କୁ ଟାର୍ଗେଟ କରିଥିଲେ । ରାଜ୍ୟରେ ଏକ ଦକ୍ଷ ପ୍ରଶାସକ ଭାବେ ବିଜୟ ପଟ୍ଟନାୟକଙ୍କ ସ୍ୱତନ୍ତ୍ର ପରିଚୟ ରହିଛି । ଏହି ସମୟରେ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ରଙ୍କ ବର୍ଦ୍ଧିତ କାର୍ଯ୍ୟକାଳ ମଧ୍ୟ ଶେଷ ହୋଇଛି । ରାଜ୍ୟ ସରକାରଙ୍କ ପକ୍ଷରୁ ତାଙ୍କର କାର୍ଯ୍ୟକାଳ ବୃଦ୍ଧି କରିବାକୁ ନିବେଦନ କରାଯାଇଥିଲା । ଅପରପକ୍ଷରେ ଆଇଏଏସ ଅନୁ ଗର୍ଗଙ୍କ ନାଁ ରେ ମୁଖ୍ୟ ଶାସନ ସଚିବ ପାଇଁ ପ୍ରାୟତଃ ମୋହର ଲାଗି ଯାଇଥିଲା । ମାତ୍ର ଵିଜୟ ଙ୍କ କଂଗ୍ରେସରେ ଯୋଗଦାନ ସବୁ ଗଣିତ ବଦଳାଇ ଦେଲା ।

ସୂଚନା ଅନୁଯାୟୀ, ସୁରେଶ ମହାପାତ୍ର ଜଣେ ଦକ୍ଷ ପ୍ରଶାସକ ମାତ୍ର ତାଙ୍କ ସ୍ଵଭାଵ ଟିକେ ଶାନ୍ତ । ସେ ସୋସିଆଲ ମିଡିଆରେ ପ୍ରତିପକ୍ଷ କୁ ଉତ୍ତର ଦେବାରେ ଅଧିକ ତତ୍ପର ନୁହଁନ୍ତି । ସେହିପରି ଵିଜୟଙ୍କ ଅଣ ଓଡ଼ିଆ ଟାର୍ଗେଟ ପରେ ଅନୁ ଗର୍ଗଙ୍କୁ ମୁଖ୍ୟ ଶାସନ ସଚିବ ପଦ ଦେବାକୁ ରାଜ୍ୟ ସରକାର ଟିକେ ପଛ ଘୁଞ୍ଚା ଦେଇଥିବା ନେଇ ଚର୍ଚ୍ଚା ହେଉଛି । ସମସ୍ତ ବିଚାର ପରେ ପୂର୍ବରୁ ମୁଖ୍ୟ ଶାସନ ସଚିବ ପଦର ଦବେଦାର ପ୍ରଦୀପ ଜେନାଙ୍କୁ ଏହି ପଦ ପ୍ରଦାନ କରାଯାଇଛି । କାରଣ ସେ ବିଜୟଙ୍କୁ ସଠିକ ପ୍ରତି ଉତ୍ତର ଦେଇ ପାରିବେ । ଏବଂ ସୋସିଆଲ ମିଡ଼ିଆରେ ମଧ୍ୟ ସେ ଖୁବ ତତ୍ପର ।

୧୯୮୯ ବ୍ୟାଚ ଆଇଏଏସ ପ୍ରଦୀପ କୁମାର ଜେନା ଓଡ଼ିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣର ପରିଚାଳନା ନିର୍ଦ୍ଦେଶକ ରାଜ୍ୟର ମୁଖ୍ୟ ଶାସନ ସଚିବ ପଦ ପାଇଁ ଜଣେ ପ୍ରମୁଖ ଦାବିଦାର ଥିଲେ । ସେ ଜଣେ ଦକ୍ଷ ପ୍ରଶାସକ । ବିପର୍ଯ୍ୟୟ ପରିଚାଳନା ସହ ଭାରତ ସରକାର, ନ୍ୟାସନାଲ ସାଇକ୍ଲୋନନ୍ ରିସ୍କ୍ ମିଟିଗେସନ୍ ଏବଂ ଓଡିଶା ବିପର୍ଯ୍ୟୟ ପୁନଃ ନିର୍ମାଣ ପ୍ରକଳ୍ପ ଭଳି ବିଶ୍ୱ ବ୍ୟାଙ୍କ ଦ୍ୱାରା ଅନୁଦାନ ପ୍ରାପ୍ତ ପ୍ରକଳ୍ପ ସହିତ ମଧ୍ୟ ଶ୍ରୀଯୁକ୍ତ ଜେନା ସମନ୍ୱୟ ରକ୍ଷା ଦାୟିତ୍ୱ ତୁଲାଇଛନ୍ତି ।

ସୂଚନା ଥାଉକି, ଜାନକୀ ବାବୁ ଏସ. ଏନ. ପଟ୍ଟନାୟକଙ୍କୁ ମୁଖ୍ୟ ଶାସନ ସଚିବ ଦାୟିତ୍ୱ ପ୍ରଦାନ କରି ଅଣଓଡ଼ିଆ ପରମ୍ପରାକୁ ପରିବର୍ତ୍ତନ କରିଥିଲେ । ଯାହାକି ଆଜି ପର୍ଯ୍ୟନ୍ତ ଚାଲୁ ରହିଛି । ୧୯୮୦ରୁ କେବଳ ଓଡ଼ିଆ ମୁଖ୍ୟ ଶାସନ ସଚିବ ରହିବା ପରମ୍ପରା ଚାଲୁ ରହିଛି ।

Leave a comment