ଆସିଲା ମହିଳା କ୍ରିକେଟର ରାଜଶ୍ରୀ ସ୍ୱାଇଁଙ୍କ ହ୍ୟାଣ୍ଡରାଇଟିଂ ରିପୋର୍ଟ : ମିଳିଥିବା ସୁଇସାଇଡ୍ ନୋଟରେ ହାତଲେଖା ରାଜଶ୍ରୀଙ୍କର
ମହିଳା କ୍ରିକେଟର ରାଜଶ୍ରୀ ସ୍ୱାଇଁଙ୍କ ସ୍କୁଟିରୁ ମିଳିଥିବା ସୁଇସାଇଡ୍ ନୋଟରେ ରହିଛି ତାଙ୍କର ହସ୍ତାକ୍ଷର । ରାଜଶ୍ରୀ ନିଜେ ସେହି ସୁଇସାଇଡ୍ ନୋଟ୍ ଲେଖିଛନ୍ତି । ପୋଲିସ ରାଜଶ୍ରୀଙ୍କ ଘରେ ଥିବା କିଛି ହାତ ଲେଖା ସହିତ ସୁଇସାଇଡ୍ ନୋଟ୍ର ମେଳ ପାଇଁ ରସୁଲଗଡ଼ ଫରେନ୍ସିକ୍ ଲାବରୋଟାରୀର ହେଣ୍ଡରାଇଟିଂ ବ୍ୟୁରୋକୁ ପଠାଇଥିଲା । ଚିଠିକୁ ମେଳ କରାଯାଇ ରିପୋର୍ଟ ଦିଆଯାଇଛି ।
ରାଜଶ୍ରୀ ତାଙ୍କ ମୃତ୍ୟୁ ପାଇଁ କୋଚ୍ ଓ ମାଣ୍ଡେଲା ସାରଙ୍କୁ ଦାୟୀ କରିଥିବା ଉଲ୍ଲେଖ କରିଥିବା ଦର୍ଶାଯାଇଥିଲା । ଏବେ ରିପୋର୍ଟ ଆସିବା ପରେ ଚିଠିରେ ଲେଖାଥିବା ବ୍ୟକ୍ତିଙ୍କ ବିରୋଧରେ କ’ଣ ତଦନ୍ତ ହେଉଛି ତାକୁ ଅପେକ୍ଷା । ପୁରୀ ଜିଲ୍ଲା ରାମଚଣ୍ଡୀ ଥାନା ଅଞ୍ଚଳର ରାଜଶ୍ରୀ ସ୍ୱାଇଁ ଓସିଏରେ ପ୍ରାୟ ୧୩ ବର୍ଷ ଖେଳିଆସୁଥିଲେ । ପୁଡୁଚେରୀରେ ହେବାକୁ ଯାଉଥିବା ବରିଷ୍ଠ ମହିଳା ଦିନିକିଆ କ୍ରିକେଟର ପ୍ରଥମ ତିନି ମ୍ୟାଚ୍ ପାଇଁ ତାଙ୍କ ନାଁ ବାଦ୍ ପଡ଼ିଥିଲା ।
ଜାନୁଆରୀ ୧୧ ତାରିଖରେ ରାଜଶ୍ରୀ କେଉଁଆଡେ ଗାଏବ ହୋଇଯାଇଥିଲେ । ୧୩ ତାରିଖରେ ଗୁରୁଡିଝାଟିଆ ସୁବାସୀ ଜଙ୍ଗଲରୁ ତାଙ୍କର ମୃତଦେହ ଉଦ୍ଧାର କରାଯାଇଥିଲା । ସେଠାରେ ଥିବା ତାଙ୍କ ସ୍କୁଟିରୁ ଏକ ସୁଇସାଇଡ୍ ନୋଟ୍ ଜବତ କରିଥିଲା ପୋଲିସ । ଭିସେରା ରିପୋର୍ଟ ଆସିନଥିବା ବେଳେ ହ୍ୟାଣ୍ଡରାଇଟିଂ ରିପୋର୍ଟ ପୋଲିସକୁ ହସ୍ତଗତ ହୋଇଛି ।