ଆପଣଙ୍କ ପିଲା ବ୍ରଶ କରିବାବେଳେ ଏହିସବୁ ପ୍ରତି ଧ୍ୟାନ ଦିଅନ୍ତୁ, ତେବେ ଏହାକୁ ନେଇ କ’ଣ କହନ୍ତି ବିଶେଷଜ୍ଞ ଆସନ୍ତୁ ଜାଣିବା
ପାଟିର ସ୍ବଚ୍ଛତାକୁ ଅଧିକ ଗମ୍ଭୀରତାର ସହ ନେବା ଆବଶ୍ୟକ। ବିଶେଷକରି ପିଲାମାନଙ୍କ ପାଟିର ଯତ୍ନସଠିକ୍ ଉପାୟରେ ନେବା ନିତ୍ୟାନ୍ତ ଜରୁରୀ। ଏଥିପାଇଁ ପିଲାମାନେ ବ୍ୟବହାର କରୁଥିବା ଟୁଥ୍ବ୍ରଶ ପ୍ରତି ଧ୍ୟାନ ଦେବା ଉଚିତ। ସାଧାରଣତଃ ଭାରତୀୟମାନେ ନିଜ ପିଲାଙ୍କ ପାଇଁ ସମାନ ପ୍ରକାରର ଟୁଥ୍ ବ୍ରଶ ବାଛିଥାନ୍ତି। ଯାହାକୁ ବୟସ୍କମାନେ ବ୍ୟବହାର କରିଥାନ୍ତି ସେମିତି ବ୍ରଶ୍ ପିଲାଙ୍କ ପାଇଁ ମଧ୍ୟ କିଣିଥାନ୍ତି।
ଏପରି କରିବା ଦ୍ୱାରା ଟୁଥ୍ବ୍ରଶ ପିଲାଙ୍କ ପାଇଁ ଫିଟ୍ ହୋଇ ନ ଥାଏ। କାରଣ ଶିଶୁର ପାଟି, ଦାନ୍ତ, ଜିଭ ସମେତ ବୟସ୍କଙ୍କ ତୁଳନାରେ ଅଧିକ କୋମଳ ଅଟେ। ତେଣୁ ଏଥିରୁ ଦୂରେଇ ରହିବା ଦରକାର। ଏନେଇ ଶିଶୁ ସ୍ବାସ୍ଥ୍ୟ ବିଶେଷଜ୍ଞମାନେ ଅଧିକ କ’ଣ କହିଛନ୍ତି ସେ ସମ୍ପର୍କରେ ଜାଣନ୍ତୁ…
ବୟସ୍କଙ୍କ ତୁଳନାରେ ଶିଶୁଙ୍କର ପାଟି ଛୋଟ। ଅଭିଭାବକମାନେ ଏପରି ଏକ ଟୁଥ ବ୍ରଶ୍ ବାଛିବା ଉଚିତ୍ ଯାହାକି ପିଲାଙ୍କ ପାଟିରେ ଆରାମରେ ଫିଟ୍ ହେବ ଏବଂ ସେମାନେ ଭଲ ଭାବରେ ବ୍ରଶ କରିପାରିବେ।
ବୟସ୍କମାନଙ୍କ ବ୍ରଶ୍ ସାଧାରଣତଃ ଟାଣ ହୋଇଥାଏ। ଏହାକୁ ଶିଶୁମାନେ ବ୍ୟବହାର କଲେ ପାଟିରେ ଆଘାତ ଲାଗେ। ତେଣୁ ଶିଶୁମାନଙ୍କ ପାଇଁ ସର୍ବଦା ନରମ, ଗୋଲାକାର, ପଲିସ ଟୁଥ୍ବ୍ରଶ ବାଛିବା ଦରକାର।
ଏପରିକି ହ୍ୟାଣ୍ଡେଲର ଆକାର ଏବଂ ଡିଜାଇନ ଏପରି ହେବା ଉଚିତ ଯେ, ପିଲାଟି ସହଜ ପରିଚାଳନା ପାଇଁ ଟୁଥ୍ବ୍ରଶକୁ ଆରାମରେ ଧରିପାରିବ। ଶିଶୁର ଛୋଟ ହାତ ପାଇଁ ଡିଜାଇନ ହୋଇଥିବା ଟୁଥ୍ ବ୍ରଶ ବାଛନ୍ତୁ। ଏବେ ବଜାରରେ ପିଲାମାନଙ୍କ ପାଇଁ ଲାଇଟ୍, ମ୍ୟୁଜିକ୍ କିମ୍ବା ହ୍ୟାଣ୍ଡେଲରେ ଖୋଦିତ ସେମାନଙ୍କର ପ୍ରିୟ କାର୍ଟୁନ ଚିତ୍ର ଥିବା ବ୍ରଶ୍ ଆସିଲାଣି। ଏପରି ବ୍ରଶ୍ ଦେଲେ ସେମାନଙ୍କୁ ଖୁସି ବି ଲାଗିଥାଏ।
ପିଲାମାନଙ୍କୁ ଅତି କମ୍ରେ ଦୁଇ ମିନିଟ୍ ପାଇଁ ବ୍ରଶ୍ କରିବାକୁ ଉତ୍ସାହିତ କରନ୍ତୁ। ୩ ମାସରେ ଥରେ ବ୍ରଶ୍ ବଦଳାନ୍ତୁ।