ଯଥାଶୀଘ୍ର ପୋଲିସ ବ୍ୟବସ୍ଥାର ସୁଧାର ଅଣାଯିବା ଆବଶ୍ୟକ, ନହେଲେ ଅନେକ ଗୋପାଳ ଦାସ ସୃଷ୍ଟି ହେବାର ଆଶଙ୍କା ବଢୁଛି

0

ରାଜ୍ୟରେ ବହୁ ଦକ୍ଷ ପୋଲିସ ଅଧିକାରୀ ଅଛନ୍ତି । କିନ୍ତୁ ଶୃଙ୍ଖଳା ଅଭାବ କାରଣରୁ ରାଜ୍ୟରେ ପୋଲିସ ବ୍ୟବସ୍ଥା ସଂପୂର୍ଣ୍ଣ ଧ୍ୱଂସ ପାଇଛି । ପୋଲିସ ଡିଜି, ବରିଷ୍ଠ ପୋଲିସ ଅଧିକାରୀ, ଏସପି ଓ ଅନ୍ୟାନ୍ୟ ପୋଲିସ ଅଧିକାରୀଙ୍କ ମଧ୍ୟରେ ସମନ୍ୱୟର ଅଭାବ ସ୍ପଷ୍ଟ ପରିଲକ୍ଷିତ ହେଉଛି । ଯଥାଶୀଘ୍ର ପୋଲିସ ବ୍ୟବସ୍ଥାର ସୁଧାର ଅଣାଯିବା ଆବଶ୍ୟକ ।

ଏଭଳି ପରିସ୍ଥିତି ଜାରି ରହିଲେ ଆଗକୁ ଆହୁରୀ ଅନେକ ଗୋପାଳ ଦାସ ସୃଷ୍ଟି ହେବାର ଆଶଂକା ବୃଦ୍ଧି ପାଉଛି ବୋଲି ବରିଷ୍ଠ ନେତା ତଥା ପୂର୍ବତନ ପୋଲିସ ମହାନିର୍ଦ୍ଦେଶକ ପ୍ରକାଶ ମିଶ୍ର କହିଛନ୍ତି ।

ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ମିଶ୍ର କହିଛନ୍ତି ଯେ, ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସଙ୍କୁ ସୁରକ୍ଷା ଦାୟିତ୍ୱରେ ଥିବା ପୋଲିସ ଅଧିକାରୀ ଜଣକ ଗୁଳି କରି ହତ୍ୟା କରିବା ସମଗ୍ର ଓଡିଶା ରାଜନୀତିକୁ ସ୍ତବ୍ଧ କରିଥିଲା । ଏ ଘଟଣାର ସଠିକ୍ ତଦନ୍ତ ହୋଇ ସ୍ୱର୍ଗତଃ ଦାସଙ୍କୁ ହତ୍ୟା କାହିଁକି କରାଯାଇଛି ତାର ସତ୍ୟାସତ୍ୟ ସାମ୍ନାକୁ ଆସିବା ନିହାତି ଆବଶ୍ୟକ । କିନ୍ତୁ ହତ୍ୟାକୁ ୨୫ଦିନ ବିତିଯାଇଥିଲେ ମଧ୍ୟ ହତ୍ୟାର କାରଣ ସଂପର୍କରେ କୌଣସି ସ୍ପଷ୍ଟୀକରଣ ମିଳିପାରିନାହିଁ ।

ଅନ୍ୟ ରାଜ୍ୟକୁ ନେଇ ଗୋପାଳର ନାର୍କୋ ଟେଷ୍ଟ, ଲାଇ ଡିଟେକ୍ସନ ଟେଷ୍ଟ କରାଯାଇଛି । ନିମହାନ୍ସ ଭଳି ବିଶ୍ୱସ୍ତରୀୟ ଅନୁଷ୍ଠାନର ଡାକ୍ତରୀ ଦଳ ଦ୍ୱାରା ଗୋପାଳର ମାନସିକ ପରିସ୍ଥିତିର ପରୀକ୍ଷା କରାଗଲା । ଫଳାଫଳ କଣ ବାହାରିଲା, ତା ସଂପର୍କରେ କିଏ ଜାଣିଲେ ନାହିଁ । ଯେତେବେଳେ ଅପରାଧୀ ଚିହ୍ନଟ ହୋଇସାରିଛି, ସେତେବେଳେ ଏଭଳି ଘଟଣାରେ ଏଫବିଆଇର କୌଣସି ଭୁମିକା ନାହିଁ । ସଠିକ ତଦନ୍ତ ସିବିଆଇ ଭଳି ନିରପେକ୍ଷ ଏଜେନ୍ସି ଦ୍ୱାରା କରାଯିବାକୁ ଶ୍ରୀ ମିଶ୍ର ଦାବୀ କରିଛନ୍ତି ।

ଏହି ସାମ୍ବାଦିକ ସମ୍ମିଳନୀରେ ବିଧାୟକ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର, ନାଉରୀ ନାୟକ, ରାଜ୍ୟ ସାଧାରଣ ସଂପାଦକ ଗୋଲକ ମହାପାତ୍ର, ରାଜ୍ୟ ମୁଖପାତ୍ର ଠାକୁର ରଞ୍ଜିତ ଦାସ, ରାଜ୍ୟ ଗଣମାଧ୍ୟମ ସହମୁଖ୍ୟ ସୁଜିତ୍ କୁମାର ଦାସ୍ ପ୍ରମୁଖ ଉପସ୍ଥିତ ଥିଲେ ।

Leave a comment