ତୁର୍କୀରେ ଭୟଙ୍କର ଭୂ-କମ୍ପ; ମୃତ୍ୟୁ ସଂଖ୍ୟା ୧୩୦୦ରୁ ଉର୍ଦ୍ଧ୍ବ, ଶୋକ ପ୍ରକାଶ କଲେ ପ୍ରଧାମନ୍ତ୍ରୀ
ତୁର୍କୀରେ ଘଟିଥିବା ଭୟଙ୍କର ଭୂ-କମ୍ପ ବିଶ୍ବକୁ ସ୍ତବ୍ଧ କରିଦେଇଛି । ସୋମବାର ଦକ୍ଷିଣ-ପୂର୍ବ ତୁର୍କୀରେ ୭.୮ ତୀବ୍ରତାରେ ଭୂମିକମ୍ପ ଝଟ୍କା ଲାଗିଥିଲା । ପ୍ରାଥମିକ ରିପୋର୍ଟରେ ୨ଶହରୁ ଉର୍ଦ୍ଧ୍ବ ଲୋକଙ୍କ ମୃତ୍ୟୁ ଘଟିଥିବା ନେଇ ରିପୋର୍ଟ ଆସିଥିବା ବେଳେ ବର୍ତ୍ତମାନ ଏହି ସଂଖ୍ୟା ଆହୁରି ଯଥେଷ୍ଟ ବୃଦ୍ଧି ଘଟିଛି ।
ରିପୋର୍ଟ ଅନୁଯାୟୀ ଭୂମିକମ୍ପରେ ବ୍ୟାପକ ମାତ୍ରାରେ ଘରଗୁଡିକ ଭୁୁଶୁଡି ପଡିବାରୁ ୧୩୦୦ରୁ ଉର୍ଦ୍ଧ୍ବ ଜଣଙ୍କ ମୃତ୍ୟୁ ହୋଇଥିବା ସ୍ପଷ୍ଟ ହୋଇଛି । ଆହତଙ୍କ ସଂଖ୍ୟା ୧୦ହଜାର ପାର୍ କରିସାରିଲାଣି । ପାରିପାର୍ଶ୍ବିକ ସ୍ଥିତିକୁ ନଜର ପକାଇଲେ ମୃତ୍ୟୁ ସଂଖ୍ୟା ଆହୁରି ମଧ୍ୟ ବୃଦ୍ଧିପାଇବାର ଆଶଙ୍କା ରହିଛି ।
କେବଳ ତୁର୍କୀ ନୁହେଁ ସୀମାନ୍ତ ଦେଶ ସିରିୟାର କିଛି ସହରେ ମଧ୍ୟ ଭୂମିକମ୍ପର ପ୍ରଭାବ ଦେଖିବାକୁ ମିଳିଛି । ସିରିୟାର ଓସ୍ମାନିୟେ ସହରରେ ୫ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ସାନଲିୟୁରଫାରେ ୧୦ ଜଣଙ୍କ ମୃତ୍ୟୁ ଘଟିଛି । ସୋମବାର ଭୋର ୪.୧୭ ମିନିଟରେ ଭୂମିକମ୍ପ ଅନୁଭୂତ ହୋଇଥିଲା । ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଭୂକମ୍ପ ବେଳେ ସମସ୍ତେ ଶୋଇଥିଲେ । ତେଣୁ ତୁରନ୍ତ ଘରୁ ବାହାରକୁ ଆସିବା ସମ୍ଭବପର ହୋଇନଥିଲା । ତୁର୍କୀ ସମେତ ସିରିୟା, ଲେବାନନ୍ ଓ ସାଇପ୍ରସ୍ରେ ମଧ୍ୟ ଝଟ୍କା ଲାଗିଛି । ପ୍ରାୟ ୧ ମିନିଟ୍ ଧରି ତାଣ୍ଡବ ରଚିଥିଲା ଭୟଙ୍କର ଭୂମିକମ୍ପ ।
ଭୋର ୪.୧୭ ମିନିଟରେ ୭.୮ ତୀବ୍ରତାରେ ଝଟ୍କା ଅନୁଭୂତ ହୋଇଥିବା ବେଳେ ଏହାର ମାତ୍ର ୧୫ ମିନିଟ୍ ପରେ ପୁଣି ୬.୭ ତୀବ୍ରତାର ଏକ ଭୂକମ୍ପ ହୋଇଥିଲା । ତୁର୍କୀର ଏଭଳି ସ୍ଥିତିପରେ ଭାରତ ସମେତ ଅନେକ ଦେଶ ସହଯୋଗ କରିବାକୁ ଆଗେଇ ଆସିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟ୍ବିଟ୍ କରି ଗଭୀର ଦୁଃଖ ପ୍ରକାଶ କରିଛନ୍ତି । ପିଏମ୍ ମୋଦି ଟ୍ବିଟ୍ ଯୋଗେ କହିଛନ୍ତି, ‘ତୁର୍କୀରେ ଭୟଙ୍କର ଭୂମିକମ୍ପ ଯୋଗୁଁ ଅନେକ ଲୋକଙ୍କ ମୃତ୍ୟୁ ଘଟିବା ଏବଂ ବ୍ୟାପକ କ୍ଷୟକ୍ଷତି ଖବର ଶୁଣି ମର୍ମାହତ । ମୃତକଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଜଣାଇବା ସହିତ ପରିବାର ଲୋକଙ୍କୁ ସମବେଦନା ଜଣାଉଛି । ଆହତଙ୍କ ଆଶୁ ଆରୋଗ୍ୟ କାମନା କରୁଛି । ଭାରତ ଏଭଳି ଦୁଃସ୍ଥିତିରେ ତୁର୍କୀ ସହିତ ଛିଡା ହୋଇଛି । ଏହା ସହିତ ଯାହା ବି ସମ୍ଭବ ହେବ ସହଯୋଗ କରିବାକୁ ପ୍ରସ୍ତୁତ ଅଛି’।