ଏଥର ଓଡ଼ିଆରେ ଆଇପିଏଲ୍ର ମଜା ନେବେ ଦର୍ଶକ !
ଇଣ୍ଡିଆନ୍ ପ୍ରିମିୟର୍ ଲିଗ୍ (ଆଇପିଏଲ୍)ର ୧୬ତମ ସଂସ୍କରଣରେ ଓଡ଼ିଆ କମେଣ୍ଟ୍ରି ଶୁଣିବାକୁ ମିଳିବ । ଡିଜିଟାଲ୍ ପ୍ଲାଟ୍ଫର୍ମରେ ଆଇପିଏଲ୍ ଦେଖୁଥିବା ଓଡ଼ିଆ ଲୋକେ ଓଡ଼ିଆ ଭାଷାରେ କ୍ରିକେଟର ମଜ୍ଜା ଉଠାଇ ପାରିବେ ।
ଆଇପିଏଲ୍-୧୬ର ଡିଜିଟାଲ୍ ଲାଇଭ୍ ଷ୍ଟ୍ରିମିଂ ଓଡ଼ିଆରେ କରିବାକୁ ଡିଜିଟାଲ୍ ପ୍ରାୟୋଜକ ଥିବା ‘ଭାଏକମ୍’ ନିଷ୍ପତ୍ତି ନେଇଥିବା ଜଣାପଡିଛି ।
ମୋବାଇଲ୍ରେ ଲୋକେ ଜିଓ ସିନେମା ମାଧ୍ୟମରେ ଆଇପିଏଲ୍ର ମଜ୍ଜା ଓଡ଼ିଆ କମେଣ୍ଟ୍ରି ସହିତ ଉଠାଇପାରିବେ ବୋଲି ସୂଚନା ମିଳିଛି । ଏନେଇ ପ୍ରାୟୋଜକଙ୍କ ତରଫରୁ ଓଡ଼ିଆ କମେଣ୍ଟେଟର୍ ବା ଭାଷ୍ୟକାରଙ୍କୁ ୩ମାସ ଲାଗି ନିଯୁକ୍ତି ଦିଆଯିବ । ଯେଉଁମାନେ ମୁମ୍ବାଇ ଯାଇ ସଂସ୍ଥାର ମୁଖ୍ୟାଳୟ ଷ୍ଟୁଡିଓରେ କାମ କରିବେ । ଆଇପିଏଲ୍ ଆରମ୍ଭରୁ ଶେଷ ଯାଏ ଓଡ଼ିଆ ବିଭାଗର ଏକ ସ୍ୱତନ୍ତ୍ର ୱିଙ୍ଗ୍ ସେଠାରେ କାର୍ଯ୍ୟ କରିବ ବୋଲି ସୂଚନା ରହିଛି । ଏନେଇ କିଛି ଓଡ଼ିଆ ଭାଷ୍ୟକାରଙ୍କୁ ପ୍ରାୟୋଜକ ‘ଭାଏକମ୍’ ତରଫରୁ ଯୋଗାଯୋଗ କରାଯାଉଛି । ଖୁବ୍ଶୀଘ୍ର ଏକ ଚୂଡାନ୍ତ ଟିମ୍ ଗଠନ କରି ଦାୟିତ୍ୱ ଦିଆଯିବ ।
ସୂଚନାଯୋଗ୍ୟ, ପୂର୍ବରୁ ପ୍ରାୟ ୧୨ଟି ଭାଷାରେ ଆଇପିଏଲ୍ କମେଣ୍ଟ୍ରି ଶୁଣିବାକୁ ମିଳିଥିଲା । ତେବେ ପ୍ରଥମଥର ପାଇଁ ଓଡ଼ିଆରେ କମେଣ୍ଟ୍ରି ଶୁଣିବା ପରିପ୍ରେକ୍ଷୀରେ ଓଡ଼ିଆ କ୍ରିକେଟପ୍ରେମୀ ବେଶ୍ ଉତ୍ସାହିତ ଥିବା ଜଣାପଡିଛି ।