ବିଫଳତା ଲୁଚାଇବା ପାଇଁ ଭେଳିକି କରୁଛି କେନ୍ଦ୍ର: ବିଜେଡି

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ନିଯୁକ୍ତି ଦାବିରେ ଭାଜପା ଯୁବମୋର୍ଚ୍ଚା ନେତୃତ୍ୱରେ ହଜାର ହଜାର ଯୁବତୀଯୁବକ ଗୁରୁବାର ବିଧାନସଭା ଘେରାଉ କରିବାକୁ ଯାଉଥିବା ବେଳେ ପୋଲିସ ସେମାନଙ୍କୁ ଅଟକାଇ ଥିଲା । ତେବେ ଏଥିରେ କେତେଜଣ ଆହତ ହୋଇ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିଲେ । ତେବେ କେନ୍ଦ୍ର ସରକାର ନିଜର ବିଫଳତାକୁ ଲୁଚେଇବାକୁ ଉଦ୍ୟମ କରି ଏପରି ଭେଳିକି ଆପଣାଇଥିବା ଶୁକ୍ରବାର ବିଜେଡି ବିଧାୟକମାନେ ଅଭିଯୋଗ ଆଣି ଏକ ସ୍ମାରକପତ୍ର ରାଜ୍ୟପାଳଙ୍କୁ ପ୍ରଦାନ କରିଛନ୍ତି । ସେମାନେ ଉଲ୍ଲେଖ କରିଛନ୍ତି, ୨୦୧୪ ନିର୍ବାଚନ ପୂର୍ବରୁ ଭାଜପା ସରକାର ଦେଶବାସୀଙ୍କୁ ବହୁ ସ୍ବପ୍ନ ଦେଖାଇ ଗାଦିରେ ବସିଥିଲେ । ମାତ୍ର ନିର୍ବାଚନ ଜିତିବା ପରେ ଦେଶବାସୀଙ୍କୁ ଦେଇଥିବା କୌଣସି ବି ପ୍ରତିଶ୍ରୁତି ମୋଦି ନେତୃତ୍ୱଧୀନ କେନ୍ଦ୍ର ସରକାର ପୁରଣ କରିନାହାନ୍ତି । ପ୍ରତିବର୍ଷ ୨ କୋଟି ଯୁବବର୍ଗଙ୍କୁ ନିଯୁକ୍ତି ମିଳିବ ବୋଲି ଭାଜପା ପକ୍ଷରୁ ପ୍ରତିଶ୍ରୁତି ଦିଆଯାଇଥିଲା । ଫଳରେ ୫ବର୍ଷ ମଧ୍ୟରେ ଓଡ଼ିଶାରେ ୫୦ ଲକ୍ଷ ଯୁବବର୍ଗ ସରକାରୀ ଚାକରିଆ ଭାବେ ନିଯୁକ୍ତି ପାଇବା କଥା । କିନ୍ତୁ ତାହା ହୋଇ ନାହିଁ । କେନ୍ଦ୍ର ସରକାର ଭୋଟ ପାଇବା ପାଇଁ ଦେଶବାସୀଙ୍କ ସହ ପ୍ରତାରଣା କରିଛନ୍ତି । ନିଯୁକ୍ତି ଦେବା ବଦଳରେ କେନ୍ଦ୍ର ସରକାର ଯୁବବର୍ଗଙ୍କୁ ଭୁଲ୍‌ ତଥ୍ୟ ପ୍ରଦାନ କରୁଛନ୍ତି ବୋଲି ବିଜେଡି ବିଧାୟକ ଦଳ ପକ୍ଷରୁ କୁହାଯାଇଛି ।

Leave a comment