ମାର୍ଚ୍ଚ ୫ରୁ ସର୍ବସାଧାରଣଙ୍କ ନିମନ୍ତେ ପ୍ରଦର୍ଶିତ ହେବ ଡାକୋଟା ବିମାନ
ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଐତିହାସିକ ‘ଡାକୋଟା ବିମାନ’ ମାର୍ଚ୍ଚ ୫ରୁ ସର୍ବସାଧାରଣଙ୍କ ନିମନ୍ତେ ପ୍ରଦର୍ଶିତ ହେବ। ବିଜୁ ଜୟନ୍ତୀ ତଥା ପଞ୍ଚାୟତିରାଜ ଦିବସରେ ଭୁବନେଶ୍ୱର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଏହି ପ୍ରଦର୍ଶନୀର ଶୁଭାରମ୍ଭ ହେବ।
ବିମାନର ମରାମତି ଓ ସ୍ଥାପନ ପାଇଁ ଏରୋସ୍ପେସ୍ ରିସର୍ଚ୍ଚ ଆଣ୍ଡ୍ ଡେଭଲପ୍ମେଣ୍ଟ ସେଣ୍ଟର(ଏଆର୍ଡିସି) ୩ କୋଟି ଟଙ୍କାର ଚୁକ୍ତି କରିଛି। ଏଥିପାଇଁ କାର୍ଯ୍ୟ ମଧ୍ୟ ଆରମ୍ଭ ହୋଇସାରିଥିବା ସୂଚନା ମିଳିଛି। ଏ ସମ୍ପର୍କରେ ଭୁବନେଶ୍ୱର ବିମାନବନ୍ଦର ନିର୍ଦ୍ଦେଶକ ପ୍ରସନ୍ନ ପ୍ରଧାନ କହିଛନ୍ତି, ବିମାନର ମରାମତି କାର୍ଯ୍ୟ ବିମାନବନ୍ଦରରେ ଥିବା ରାଜ୍ୟ ସରକାରଙ୍କ ହ୍ୟାଙ୍ଗରରେ ଚାଲିଛି। ମରାମତି ପରେ ବିମାନବନ୍ଦରରେ ଆବଣ୍ଟିତ ହୋଇଥିବା ସ୍ଥାନକୁ ସ୍ଥାନାନ୍ତର କରାଯିବ।
ସୂଚନାଯୋଗ୍ୟ, ଡାକୋଟା ବିମାନଟି କୋଲକାତାରୁ ୩ଟି ଲରିରେ ଆସି ଗତ ବୁଧବାର ସନ୍ଧ୍ୟାରେ ଭୁବନେଶ୍ୱରରେ ପହଞ୍ଚତ୍ଥିଲା। ଏଠାରେ ଡାକୋଟାକୁ ଭବ୍ୟ ସ୍ବାଗତ କରାଯାଇଥିଲା। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜେ ଭୁବନେଶ୍ୱର ବିମାନବନ୍ଦରରେ ଫୁଲ ପକାଇ ସ୍ବାଗତ କରିଥିଲେ।