ହକି ଟିକେଟ ପାଇଁ ଲୋକେ ବିକଳ, ବ୍ଲାକରେ ମିଳୁଛି ମାଳମାଳ

0

ଭୁବନେଶ୍ୱର, ଓଡ଼ିଶା ଫାଷ୍ଟ(ବ୍ୟୁରୋ): ହକି ମହାକୁମ୍ଭକୁ ନେଇ ଗର୍ବ କରିବା ଓଡ଼ିଶା ନା ହେବ ଲଜ୍ଜିତ । ଏହା ଜନସାଧାରଣରେ ଚର୍ଚ୍ଚା ହେଉଛି । କାହିଁକି ନା ହକି ଟିକେଟ ବିକ୍ରି ବ୍ୟବସ୍ଥା ହକି ପ୍ରେମୀଙ୍କୁ ନିରାଶ କରିଛି । ଅନଲାଇନ ଟିକେଟ ବିକ୍ରି କରାଯିବା କଥା କୁହାଯାଉଥିଲେ ମଧ୍ୟ କାହାକୁ ଟିକେଟ ମିଳୁନହିଁ । ଅପରପକ୍ଷ ରେ କିଛି ଅସାମାଜିକଙ୍କ ପାଇଁ ଓଡ଼ିଶା ସରକାର ଏବେ ବଦନାମର ହେବାକୁ ଯାଉଛନ୍ତି । ହକି ଟିକେଟ ଓ ପାସ ବ୍ଲାକ ହେଉଥିବା ନେଇ ବାରମ୍ବାର ଅଭିଯୋଗ ହେଉଥିଲା । ଅଭିଯୋଗର ସତ୍ୟାସତ୍ୟ ଜାଣିବା ଲାଗି କମିଶନରେଟ ପୋଲିସର ଏକ ଟିମ ଅନୁସନ୍ଧାନ ଆରମ୍ଭ କରିଥିଲା । ଏହି ସମୟରେ ୫ଜଣ ଟିକେଟ ବ୍ଲାକରଙ୍କୁ ପୋଲିସ କାବୁ କରିଛି । ସେମାନଙ୍କ ଠାରୁ ୩୫ଟି ଟିକେଟ ମଧ୍ୟ ଜବତ କରିଛି ।

ସୂଚନା ଅନୁସାରେ, ହକି ଦେଖିବାକୁ ଲୋକଙ୍କ ମନରେ ଉତ୍ସାହ ବଢୁଥିବା ବେଳେ ଟିକେଟ ବିକ୍ରି ଏକ ପ୍ରକାଶ ଶେଷ ହୋଇଯାଇଛି । ଯାହାକି ଟିକେଟ ମିଳୁଛି ଲୋକେ ଠିକ ସମୟରେ କାଟି ନପରି ଅସୁବିଧାର ସମ୍ମୁଖିନ ହେଉଛନ୍ତି । ଏହାରର ସୁଯୋଗ ନେଇ କିଛି ଅସାମାଜିକ ଯୁବକ ଟିକେଟ ବ୍ଲାକ କରିବା ଆରମ୍ଭ କରିଥିଲେ । ଏଥିରେ ଜଣେ ପୋଲିସ ହାବିଲଦାରଙ୍କ ସଂପୃକ୍ତି ଥିବା ମଧ୍ୟ ଅଭିଯୋଗ ହୋଇଥିଲା । ଅଭିଯୋଗ ଆସିବା ପରେ ପୋଲିସ ଖୋଳତାଡ କରି ଗତକାଲି ରାତିରେ ୫ଜଣ ବ୍ଲାକରଙ୍କୁ ଗିରଫ କରିଛି ।

ସେମାନେ ୧୦୦ ଟଙ୍କା ଟିକେଟକୁ ଅଢେଇ ହଜାର ଓ ୫୦୦ ଟଙ୍କା ଟିକେଟକୁ ୪ ହଜାର ଟଙ୍କାରେ ବିକ୍ରି କରୁଥିଲେ । ପୋଲିସ ଗ୍ରାହକ ସାଜି ସେମାନଙ୍କୁ ମାଡି ବସିଥିଲା । ମାତ୍ର ପାସ ବିକ୍ରିରେ ସହଯୋଗ କରୁଥିବା ପୋଲିସ ହାବିଲଦାର ଖସି ଯାଇଛି । ହାବିଲଦାର ଜଣକ ରିଜର୍ଭ ପୋଲିସରେ କାର୍ଯ୍ୟରତ ଥିବା ଜଣାପଡିଛି । ପୋଲିସ ତା’ର ସଂପୃକ୍ତିକୁ ନେଇ ତଦନ୍ତ କରୁଛି । ପ୍ରମାଣ ମିଳିଲେ ତାକୁ ଗିରଫ କରାଯିବ ବୋଲି ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି ।

Leave a comment