ଆସନ୍ତାକାଲି ବାରବାଟୀରେ ହକି ବିଶ୍ୱକପ୍ର ଉଦ୍ଘାଟନୀ; କଟକର ସମସ୍ତ ଶିକ୍ଷାନୁଷ୍ଠାନ ଛୁଟି ଘୋଷଣା
ବୁଧବାର କଟକ ସହରର ସମସ୍ତ ଶିକ୍ଷାନୁଷ୍ଠାନ ଛୁଟି । ହକି ବିଶ୍ୱକପ୍ର ରଙ୍ଗାରଙ୍ଗ ଉଦ୍ଘାଟନୀ ଉତ୍ସବକୁ ଦୃଷ୍ଟିରେ ରଖି ସମସ୍ତ ଶିକ୍ଷାନୁଷ୍ଠାନକୁ ଛୁଟି କରାଯାଇଛି । ଅପରାହ୍ନ ୨ଟା ପରେ ସହରର ସମସ୍ତ ଶିକ୍ଷାନୁଷ୍ଠାନ ଛୁଟି ବୋଲି ଘୋଷଣା କରିଛନ୍ତି କଟକ ଜିଲ୍ଲାପାଳ ।
ଖବର ଅନୁଯାୟୀ, ଆସନ୍ତା ୧୩ତାରିଖରୁ ଭୁବନେଶ୍ୱର ଓ ରାଉରକେଲାରେ ଆରମ୍ଭ ହେବେ ପୁରୁଷ ହକି ବିଶ୍ୱକପ୍ ।
ବୁଧବାର ଦିନ କଟକର ବାରବାଟି ଷ୍ଟାଡିୟମରେ ଉଦ୍ଘାଟନୀର ପର୍ବ ଆୟୋଜନ ହେବ । ଏଥିରେ ବଲିଉଡ୍ରେ ଅନେକ ନାମୀଦାମୀ କଳାକାର ଯୋଗଦେବେ । ଉଦ୍ଘାଟନୀ ସନ୍ଧ୍ୟାର ମୁଖ୍ୟ ଆକର୍ଷଣ ସାଜିବେ ବଲିଉଡ୍ ଷ୍ଟାର୍ ଆଇକନ୍ ଅଭିନେତା ରଣବୀର ସିଂ ଓ ଅଭିନେତ୍ରୀ ଦିଶା ପଟାନି । ତାଙ୍କ ସାଙ୍ଗକୁ ବିଶିଷ୍ଟ ସଂଗୀତ ନିର୍ଦ୍ଦେଶକ ପ୍ରୀତମ୍ଙ୍କ ମ୍ୟୁଜିକ୍ରେ ଝୁମିବେ ଦର୍ଶକ। ଉଦ୍ଘାଟନୀ ଉତ୍ସବ ପୂର୍ବରୁ ସହରର ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରଖିବାକୁ ଘୋଷଣା କରିଛନ୍ତି ଜିଲ୍ଲାପାଳ । ଅପରାହ୍ନ ୨ଟା ପରେ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରହିବାକୁ ନିର୍ଦ୍ଦେଶ ରହିଛି ।
ସେପଟେ କଟକ ସହରରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ା କରାଯାଇଛି । ଉଦ୍ଘାଟନ ଉତ୍ସବ ବେଳେ ଷ୍ଟାଡିୟମ୍ ଓ ଏହାର ଆଖପାଖ ଅଞ୍ଚଳରେ ପ୍ରାୟ ୫୦ ପ୍ଲାଟ୍ନ୍ ଫୋର୍ସଙ୍କୁ ନିୟୋଜିତ କରାଯିବ । ସୁରକ୍ଷା ଦାୟିତ୍ୱ ତଦାରଖ କରିବା ପାଇଁ ୪୦ ଜଣ ଡିଏସ୍ପି ସ୍ତରୀୟ ଅଧିକାରୀ, ୫୫ ଜଣ ଇନ୍ସପେକ୍ଟର ସ୍ତରୀୟ ଅଧିକାରୀ, ୩୦୦ ଜଣ ଏସ୍ଆଇ ଓ ଏଏସ୍ଆଇଙ୍କ ସମେତ ୮୪ ଜଣ ହାବିଲଦାର, ୩୦୦ରୁ ଅଧିକ କନ୍ଷ୍ଟେବଳ, ୫୦୦ରୁ ଅଧିକ ହୋମଗାର୍ଡଙ୍କୁ ନିୟୋଜିତ କରାଯାଉଛି ।